ମୁଖ୍ୟମନ୍ତ୍ରୀ ପଦରୁ କାହିଁକି ଇସ୍ତଫା ଦେଲେ ବିଜୟ ରୂପାଣୀ ? ଭାରି ପଡିଲା କି ‘ଆରଏସଏସ’ର ସର୍ଭେ । ପଢନ୍ତୁ, ପୂରା କାହାଣୀ…

236

କନକ ବ୍ୟୁରୋ: ବିଜୟ ରୂପାଣୀଙ୍କ ଇସ୍ତଫାର ଦୁଇ ଦିନ ପୂର୍ବରୁ ବିଳମ୍ୱିତ ରାତିରେ ଗୁଜରାଟରେ ପହଁଚିଥିଲେ ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ବିଜେପି ନେତାଙ୍କ ସହିତ ବୈଠକ କଲେ ଆଉ ଏହାର ୨ ଦିନ ପରେ ହଠାତ୍ ଇସ୍ତଫା ଘୋଷଣା କରିଥିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । ତେବେ ବିଜେପିର ଭିତିରି ମହଲରେ ଏପରି କ’ଣ ରଣନୀତି ତିଆରି ହେଲା , ଯାହା ବିଜୟ ରୂପାଣୀଙ୍କୁ ଇସ୍ତଫା ବାଟ ଦେଖାଇଲା ତାହା ଏବେ ଚର୍ଚ୍ଚାରେ…

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅତ୍ୟନ୍ତ ନିକଟତର ହେଉଛନ୍ତି ବିଜୟ ରୂପାଣୀ । ତେବେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବରେ ବିଜୟ ରୂପାଣୀଙ୍କ ହଠାତ୍ ଇସ୍ତଫା ସମସ୍ତଙ୍କୁ ଚକିତ କରିଦେଇଛି । ଶନିବାର ଅପରାହ୍ନରେ ସେ ଯେତେବେଳେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟିବାକୁ ପହଁଚିଲେ , ସେତେବେଳକୁ କେହି ଚିନ୍ତା ବି କରିନଥିଲେ ସେ ଇସ୍ତଫା ଦେବାକୁ ଯାଉଛନ୍ତି । ଅନେକ ଆକଳନ କରୁଥିଲେ ଗୁଜରାଟରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ବୋଧହୁଏ ବିଜୟ ରୂପାଣୀ ରାଜ୍ୟପାଳଙ୍କ ନିକଟକୁ ଆସିଛନ୍ତି । କିନ୍ତୁ କିଛି ମିନିଟ ଭିତରେ ସ୍ପଷ୍ଟ ହୋଇଗଲା ବିଜୟ ରୂପାଣୀ ଇସ୍ତଫା ଦେଇଛନ୍ତି ।

ଶାହାଙ୍କ ଅଚାନକ ଗୁଜରାଟ ଗସ୍ତ ରହସ୍ୟ କଣ?

ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଅଚାନକ ଇସ୍ତଫା ଅନେକ ଆକଳନ ସୃଷ୍ଟି କରିଛି । କୁହାଯାଉଛି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଚାନକ ଗୁଜରାଟ ଗସ୍ତ ଏଥିପାଇଁ ରାସ୍ତା ତିଆରି କରିଦେଇଥିଲା । ଶାହାଙ୍କ ବୈଠକରେ ନିଷ୍ପତ୍ତି ହୋଇଥିଲା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ରୂପାଣୀ । କିନ୍ତୁ ଏହି ନିଷ୍ପତ୍ତିକୁ ପୂରା ଗୁପ୍ତ ରଖାଯାଇଥିଲା । ଏମିତିରେ ବି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅତି ନିକଟତର ହେଉଛନ୍ତି ବିଜୟ ରୂପାଣୀ । ବିଜୟ ରୂପାଣୀ ଇସ୍ତଫା ଆଗରୁ ବିଳମ୍ୱିତ ରାତିରେ ଗୁଜରାଟରେ ପହଁଚିଥିଲେ ଅମିତ ଶାହା । ବିଜୟ ରୂପାଣୀଙ୍କ ସହିତ ଗୁଜରାଟର ଶୀର୍ଷ ବିଜେପି ନେତାଙ୍କ ସହିତ ଆଲୋଚନା କରିଥିଲେ । ଦୀର୍ଘ ଘଣ୍ଟା ଧରି ଚାଲିଥିବା ବୈଠକରେ ନିଷ୍ପତ୍ତି ହୋଇଥିଲା ରୂପାଣୀ ଦେବେ ଇସ୍ତଫା । ହେଲେ ଆଗକୁ କଣ ହେବ, ସେ ନେଇ ରଣନୀତି ବି ଗୁପ୍ତ ରହିଥିଲା । ଶାହା ସକାଳେ ଗୁଜରାଟରୁ ଦିଲ୍ଲୀ ଫେରିଗଲେ । ଅପରାହ୍ନରେ ରୂପାଣୀଙ୍କ ଆସିଲା ଇସ୍ତଫା ଖବର ।

ରୂପାଣୀଙ୍କୁ କେଉଁ ଭୂମିକା ଦେବ ବିଜେପି?

କୁହାଯାଉଛି ଗୁଜରାଟରେ କରୋନା ଦ୍ୱିତୀୟ ଲହର ମୁକାବିଲାରେ ବିଫଳ ରହିଥିଲେ ରୂପାଣୀ । ଗତ ଅପ୍ରେଲ-ମେ ମାସରେ ଏହି ଦ୍ୱିତୀୟ ଲହରକୁ ନେଇ ଗୁଜରାଟ ହାଇକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ ଭତ୍ସନା କରିଥିଲେ । ବିରୋଧୀ ଏହାକୁ ନେଇ ତାଙ୍କୁ ଘେରିବା ଆଗରୁ ଦଳ ତାଙ୍କୁ ଗାଦି ଛାଡିବାକୁ ସ୍ପଷ୍ଟ କହିଦେଇଥିଲା । ସେହିପରି ଗୁଜରାଟରେ ଏହି ମୁଦ୍ଦାକୁ ନେଇ କଂଗ୍ରେସ ଓ ଆମ ଆଦମୀ ପାର୍ଟିର ଲୋକପ୍ରିୟତା ବଢିବାକୁ ଲାଗିଛି । ଲୋକାଲ ବଡି ନିର୍ବାଚନ ଗୁଡିକରେ ବିଜେପି ଏନେଇ ସିଗନାଲ ପାଇ ସାରିଥିଲା ।

ସେହିପରି ଗୁଜରାଟରେ ଆରଏସଏସ ମଧ୍ୟ ଆଗକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଏକ ସର୍ଭେ କରିଥିଲା । ଯେଉଁଥିରେ କରୋନା ମୁକାବିଲାରେ ବିଫଳ ବିଜୟ ରୂପାଣୀଙ୍କ ଚେହେରାକୁ ଲୋକେ ମୁଖ୍ୟମନ୍ତ୍ରୀ ଭାବେ ନାପସନ୍ଦ କରିଥିବା ରିପୋର୍ଟ ପାଇଥିବା କୁହାଯାଉଛି । ଏହା ରୂପାଣୀଙ୍କ ଇସ୍ତଫାର ଆଉ ଏକ କାରଣ ହୋଇପାରେ ବୋଲି ଆକଳନ କରାଯାଉଛି । ଗୁଜରାଟ କଂଗ୍ରେସ ନେତା ହାର୍ଦ୍ଦିକ୍ ପଟେଲ ମଧ୍ୟ ରୂପାଣୀଙ୍କ ଇସ୍ତଫା ନେଇ ଟୁଇଟ୍ କରିଛନ୍ତି । ସେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ରୂପାଣୀଙ୍କ ବଦଳିବାର ପ୍ରମୁଖ କାରଣ ଅଗଷ୍ଟରେ ଆରଏସଏସ ଓ ବିଜେପିର ଗୁପ୍ତ ସର୍ଭେ ଚମକାଇ ଦେଲାଭଳି ଥିଲା । ଏହି ସର୍ଭେ ମୁତାବକ ଆଗାମୀ ନିର୍ବାଚନରେ କଂଗ୍ରେସକୁ ୪୩ ପ୍ରତିଶତ ଭୋଟ୍ ଏବଂ ୯୬ରୁ୧୦୦ ଆସନ , ବିଜେପିକୁ ୩୮ ପ୍ରତିଶତ ଭୋଟ୍ ଏବଂ ୮୦ରୁ ୮୪ ଆସନ, ଆପକୁ ୩ ପ୍ରତିଶତ ଭୋଟ୍ ଏବଂ ୦ ଶୂନ ଆସନ୍, ଏମଆଇଏମକୁ ୧ ପ୍ରତିଶତ ଭୋଟ୍ ୦ ଆସନ, ନିର୍ଦଳୀୟଙ୍କୁ ୧୫ ପ୍ରତିଶତ ଭୋଟ୍ ଓ ୪ଟି ଆସନ ମିଳିବାର ଥିଲା ।

ତେବେ ସବୁପରେ ଗୁଜରାଟ ବିଜେପିର ଗୋଟିଏ କଥା ଦେଖିବାକୁ ମିଳିଥାଏ । ଯାହାଙ୍କ ନାଁ ରେସରେ ରହିଥାଏ, ତାକୁ ବାଦ ଦେଇ ଅନ୍ୟ ନାଁ ଉପରେ ମୋହର ମାରିଥାଏ ବିଜେପି । ୨୦୧୭ରେ ୟୁପି ବିଧାନସଭା ନିର୍ବାଚନରେ ମନୋଜ ସିହ୍ନାଙ୍କ ନାଁ ଚର୍ଚ୍ଚାରେ ଥିଲା । ବିଜେପି ମୋହର ମାରିଲା ଯୋଗୀ ଆଦିତାନାଥଙ୍କ ନାଁରେ । ସେହିପରି ଉତ୍ତରାଖଣ୍ଡ, କର୍ଣ୍ଣାଟକରେ ବି ବିଜେପି ସମସ୍ତଙ୍କୁ ସରପ୍ରାଇଜ୍ ଦେଇଥିଲା । ଗୁଜରାଟ କ୍ଷେତ୍ରରେ ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ନାଁ ବି ଗତ ଥର ଭଳି ଚର୍ତ୍ତାରେ ରହିଥିଲା । କେନ୍ଦ୍ର ବିଜେପି ବିଜୟ ରୂପାଣୀଙ୍କ ନାଁରେ ମୋହର ମାରି ସବୁ କିଛି ଓଲଟ ପାଲଟ କରିଦେଇଥିଲା । ଏଥର ସିଏମ୍ ରେସରେ ମଧ୍ୟ ନୀତିନ ପଟେଲଙ୍କ ନାଁ ରହିଥିଲା ହେଲେ ବିଜେପି ପୁଣିଥରେ ସମସ୍ତଙ୍କୁ ସରପ୍ରାଇଜ୍ ଦେଇଛି ଏବଂ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଭୂପେନ୍ଦ୍ର ପଟେଲ ।