କନକ ବ୍ୟୁରୋ: କଂଗ୍ରେସ ଛାଡିଲେ ବିଜୟ ପଟ୍ଟନାୟକ । ପ୍ରଶାସନିକ ଅଧିକାରୀରୁ କଂଗ୍ରେସ ନେତା ସାଜିଥିବା ବିଜୟ ପଟ୍ଟନାୟକ କଂଗ୍ରେସକୁ ଗୁଡବାଏ କହିଛନ୍ତି । ଏଆଇସିସିକୁ ମେଲ୍ ଲେଖି ନିଜ ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି ବିଜୟ ପଟ୍ଟନାୟକ । ତେବେ ସାଧାରଣ ନିର୍ବାଚନ ପରେ କଂଗ୍ରେସର ବିପର୍ଯ୍ୟୟ ଦେଖି , ଓଡିଶା କଂଗ୍ରେସର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଥିଲା । ଏହାପରେ ଗତ ଦିନେ କଂଗ୍ରେସ ନିଜର ଷ୍ଟିୟରିଂ କମିଟି ଗଠନ କରିଥିଲା । ହେଲେ ଏହି ଷ୍ଟିୟରିଂ କମିଟିରେ ବହୁ ବଡ ବଡ ନେତାଙ୍କୁ ସାମିଲ କରାଯାଇନଥିଲା, ଏମିତି କି ବିଜୟ ପଟ୍ଟନାୟକଙ୍କୁ ମଧ୍ୟ ଷ୍ଟିୟରିଂ କମିଟିରୁ ବାଦ୍ ଦିଆଯାଇଥିଲା ।

ତେବେ ବିଜୟ ପଟ୍ଟନାୟକ ଇସ୍ତଫା ଦେବା ସମ୍ପର୍କରେ କହିଛନ୍ତି ଯେ, ଦଳରେ ମୋର କିଛି ଆବଶ୍ୟକତା ନଥିଲା, ତେଣୁ ଯେଉଁ ଦଳରେ ଆବଶ୍ୟକତା ନାହିଁ, ସେଠି ଆତ୍ମସମ୍ମାନର ସହ ବଞ୍ଚିହେବନି । ତେଣୁ ସେ କଂଗ୍ରେସରୁ ଇସ୍ତଫା ଦେଇଥିବା ନେଇ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ଖାଲି ସେତିକି ନୁହେଁ, ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଜନସାଧାରଣଙ୍କ ସେବା କରିବା ପାଇଁ ରାଜନୀତିକୁ ଆସିଥିଲି, ହେଲେ ଏବେ ପ୍ରତ୍ୟେକ୍ଷ ଭାବରେ ଲୋକଙ୍କ ସେବା କରିବି । ବର୍ତ୍ତମାନ ମୁଁ ଅନ୍ୟ କୌଣସି ଦଳରେ ଯୋଗଦେବିନି ବୋଲି ସେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଏକଦା ରାଜ୍ୟର ମୁଖ୍ୟ ଶାସନ ସଚିବ ରହିଥିବା ବିଜୟ ପଟ୍ଟନାୟକ, ରାଜନୀତି କ୍ୟାରିୟର୍ ଆରମ୍ଭ କରିବାକୁ କଂଗ୍ରେସକୁ ବାଛିଥିଲେ । କଂଗ୍ରେସ ମଧ୍ୟ ତାଙ୍କୁ ଗୁରୁ ଦାୟିତ୍ୱ ଦେଇଥିଲା । ପିସିସି ପ୍ରଚାର କମିଟିର ଅଧ୍ୟକ୍ଷ ହେଇଥିଲେ ବିଜୟ ପଟ୍ଟନାୟକ । ଖାଲି ସେତିକି ନୁହେଁ, ଏଥର ବିଧାନସଭା ନିର୍ବାଚନରେ ଦଳ ତାଙ୍କୁ ପାରଳାଖେମୁଣ୍ଡି ଆସନରୁ ପ୍ରାର୍ଥୀ କରିଥିଲା । ହେଲେ ଏହି ଆସନରେ ସେ ତୃତୀୟ ସ୍ଥାନରେ ରହିଥିଲେ । ବିଜେଡି ପ୍ରାର୍ଥୀ ରୁପେଶ ପାଣିଗ୍ରାହୀ ଏହି ଆସନରୁ ବିଜୟୀ ହେଇଥିବାବେଳେ, ବିଜେପି ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଏହା ପଛକୁ ବିଜୟ ପଟ୍ଟନାୟକ ତୃତୀୟ ସ୍ଥାନରେ ରହିଥିଲେ । ଆଉ ଏ ସବୁ ପରେ ଶୁକ୍ରବାର କଂଗ୍ରେସକୁ ଗୁଡବାଏ କହିଛନ୍ତି ବିଜୟ ପଟ୍ଟନାୟକ ।