କନକ ବ୍ୟୁରୋ: ଭୁବନେଶ୍ୱରରୁ ଲଢ଼ିବେ କି ବିଜୟ? ୨୦୨୪ରେ ଦେଖିବାକୁ ମିଳିବ କି ପୂର୍ବ ପ୍ରଶାସକଙ୍କ ମଧ୍ୟରେ ଟକ୍କର? ଏମିତି କିଛି ସମ୍ଭାବନା ଏଇଥିପାଇଁ ସୃଷ୍ଟି ହୋଇଛି, ଯେତେବେଳେ ରାଜନୈତିକ ତତ୍ପରତା ବଢ଼ାଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଆଜି ସକାଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଘରେ ତାଙ୍କୁ ଦେଖିବାକୁ ମିଳିଥିଲା । ଜାନକୀଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କ ସହ ଓଡ଼ିଶାର ରାଜନୈତିକ, ସାମାଜିକ ପରିସ୍ଥିତି ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ବିଜୟ । ଯଦିଓ ନିର୍ବାଚନୀ ରାଜନୀତି ନେଇ ସେ କିଛି ସ୍ପଷ୍ଟ କରିନାହାନ୍ତି, କିନ୍ତୁ କଂଗ୍ରେସରେ ଯୋଗଦେବା ପରେ ରାଜନୀତିରେ ତାଙ୍କର ସକ୍ରିୟତା ଅନେକ କିଛି ଇସାରା କରୁଛି ।

Advertisment

ସେହିପରି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ମଧ୍ୟ ଭେଟିଛନ୍ତି ବିଜୟ । ଆଜି ସକାଳୁ ସୁର ରାଉତରାୟଙ୍କୁ ଭେଟି ଓଡ଼ିଶାର ରାଜନୀତି ସହ କଂଗ୍ରେସର ରାଜନୈତିକ ଭବିଷ୍ୟତକୁ ନେଇ ଆଲୋଚନା କରିଥିବା ଜଣାପଡ଼ିଛି । ୨୦୨୪ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହେବା ପାଇଁ ବିଜୟ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେଇଛନ୍ତି ସୁର ରାଉତରାୟ । ଯଦି ବିଜୟ ପଟ୍ଟନାୟକ ଭୁବନେଶ୍ୱରରୁ କଂଗ୍ରେସର ସାଂସଦ ପ୍ରାର୍ଥୀ ହୁଅନ୍ତି, ତେବେ ରାଜଧାନୀରେ ଦେଖିବାକୁ ମିଳିପାରେ ପୂର୍ବ ପ୍ରଶାସକଙ୍କ ମଧ୍ୟରେ ରାଜନୈତିକ ଲଢ଼େଇ ।

ଆଇଏଏସ ଚାକିରି ଛାଡ଼ି ନେତ୍ରୀ ବନିଥିବା ଅପରାଜିତା ଷଡ଼ଙ୍ଗୀ, ଏବେ ଭୁବନେଶ୍ୱରର ସାଂସଦ । ତାଙ୍କୁ ୨୦୨୪ରେ ପୁଣିଥରେ ବିଜେପି ମଇଦାନଙ୍କୁ ଓହ୍ଲାଇବା ସମ୍ଭାବନା ଯଥେଷ୍ଟ ଅଧିକ । ସେହିପରି ପୂର୍ବତନ ଆଇପିଏସ୍ ଅଧିକାରୀ ଅରୂପ ପଟ୍ଟନାୟକ, ଗତ ନିର୍ବାଚନରେ ବିଜେଡି ଟିକେଟରେ ଲଢ଼ି ହାରିଯାଇଥିଲେ । ଏଥର ତାଙ୍କୁ ପୁଣିଥରେ ବିଜେଡି ରିପିଟ କରିବ କି ଅନ୍ୟ ନେତାଙ୍କୁ ସୁଯୋଗ ଦେବ, ଏ ନେଇ ସନ୍ଦେହ ରହିଛି । ଏପଟେ ଯଦି ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରାର୍ଥୀ କରେ, ତେବେ ଲଢ଼େଇ ରୋଚକ ହେବ ବୋଲି ଚର୍ଚ୍ଚା ହେଉଛି । ଗତ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ପାଇଁ କଂଗ୍ରେସ ପ୍ରାର୍ଥୀ ନଦେଇ ସିପିଏମକୁ ଛାଡି ଦେଇଥିଲା । କିନ୍ତୁ ଏଥର ରାଜ୍ୟ ରାଜନୀତିର କେନ୍ଦ୍ରସ୍ଥଳ ଭୁବନେଶ୍ୱରରେ ନିଜ ଦବଦବା ବଢ଼ାଇବାକୁ ଚାହୁଛି କଂଗ୍ରେସ । ବିଜୟଙ୍କୁ ନେଇ ରଣନୀତି ପ୍ରସ୍ତୁତ କରୁଛି ଦଳ ।

ବିଜୟ ପଟ୍ଟନାୟକ ଦଳରେ ଯୋଗଦେବା ପରେ କଂଗ୍ରେସ ଶିବିରରେ ଉତ୍ସାହ ବଢିଛି । ବିଜୟ ମଧ୍ୟ ନିଜ ସପକ୍ଷରେ ସମର୍ଥନ ବଢ଼ାଇବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି । ଏପଟେ ପିସିସି ସଭାପତି ଭାବେ ୯ ମାସ ହେଲା ଦାୟିତ୍ୱ ନେଲେଣି ଶରତ ପଟ୍ଟନାୟକ । କିନ୍ତୁ ଏପର୍ଯ୍ୟନ୍ତ ସେ ତାଙ୍କର ଟିମ୍ ଗଢ଼ିପାରିନାହାନ୍ତି ।