ମାଡ଼ିଆସୁଛି ମହାନଦୀ ମହାସଙ୍କଟ । ଶୁଖିଯାଉଛି ଓଡ଼ିଶାର ଜୀବନ ରେଖା । ଟ୍ରିବ୍ୟୁନାଲକୁ ବୟକଟ କରିବା ପାଇଁ ବିଜୟ ମହାପାତ୍ରଙ୍କ ଆହ୍ୱାନ ।

233

କନକ ବ୍ୟୁରୋ: ମାଡ଼ି ଆସୁଛି ମହାନଦୀ ମହାସଙ୍କଟ । ମହାନଦୀ ପ୍ରସଙ୍ଗ ଉଠାଇ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ଟ୍ରିବ୍ୟୁନାଲକୁ ଅପେକ୍ଷା ନକରି ଟ୍ରିବ୍ୟୁନାଲକୁ ବୟକଟ୍ କରିବା ପାଇଁ ଆହ୍ୱାନ ଦେଇଛନ୍ତି ବିଜୟ ମହାପାତ୍ର । ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟାର ସମାଧାନ କରନ୍ତୁ ବୋଲି ବିଜୟ କହିଛନ୍ତି । ସମାନ ଢଙ୍ଗରେ ରାଜ୍ୟ ସରକାରଙ୍କ ଆନ୍ତରିକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏପଟେ ବିରୋଧୀଙ୍କ ବୟାନବାଜି ଭିତରେ କଳିରେ ନମାତି, କେମିତି ସମସ୍ୟାର ସମାଧାନ ହୋଇପାରିବ, ସେଥିପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

  • ମହାନଦୀ ମହାସଙ୍କଟ
  • ଟ୍ରିବ୍ୟୁନାଲକୁ ନେଇ ତେଜିଲା ରାଜନୀତି
  • ବୟକଟ କରିବାକୁ ବିଜୟଙ୍କ ଆହ୍ୱାନ

ଟ୍ରିବ୍ୟୁନାଲ ଅବଧି ବଢ଼ିଥିଲେ ବି, ମହାନଦୀ ପାଣି ସମସ୍ୟାର ସମାଧାନ କେବେ ହେବ ? ଏହା କାହାକୁ ଜଣାନାହିଁ । ଏଭଳି ସ୍ଥିତିରେ ମହାନଦୀ ଟ୍ରିବ୍ୟୁନାଲକୁ ନେଇ ତେଜିଛି ରାଜନୀତି । ବରିଷ୍ଠ ନେତା ବିଜୟ ମହାପାତ୍ର, ଟ୍ରିବ୍ୟୁନାଲକୁ ଅପେକ୍ଷା ନକରି ଟ୍ରିବ୍ୟୁନାଲକୁ ବୟକଟ୍ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟାର ସମାଧାନ କରନ୍ତୁ ବୋଲି କହିଛନ୍ତି । ଏଥିସହ ହୀରାକୁଦର ପାଣି ସମସ୍ୟା ନେଇ ଉଦବେଗ ପ୍ରକାଶ କରିଛନ୍ତି । ହୀରାକୁଦ ଜଳସ୍ତରର ହିସାବ ଦେଇ କହିଛନ୍ତି ଜଳସ୍ତର ଗତବର୍ଷ ଏହି ସମୟରେ ଯେତିକି ଥିଲା ତାଠାରୁ କମ୍ ରହିଛି । ଏପରିକି ମାତ୍ର ୪ଦିନରେ ପ୍ରାୟ ଗୋଟିଏ ଫୁଟ୍ କମୁଛି । ତେଣୁ ଛତିଶଗଡ ସରକାର କିଛି ପାଣି ନଛାଡିଲେ ଜୁନ୍ ମାସରେ ହୀରାକୁଦ ଡେଡ୍ ଷ୍ଟୋରେଜକୁ ଆସିଯିବ ।

ମହାନଦୀ ପାଣିକୁ ନେଇ ଜୋର ହୋଇଛି ବୟାନବାଜି । ଏଭଳି ସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ତେବେ କଳିରେ ନମାତି, କେମିତି ସମସ୍ୟାର ସମାଧାନ ହୋଇପାରିବ ସେଥିପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

ମହାନଦୀ ପାଣିକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇଛି । ଅବଧି ନିକଟରେ ସରିଯାଇଥିଲେ ବି ପୁଣି ଟ୍ରିବ୍ୟୁନାଲର ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବଢ଼ାଇଛନ୍ତି କେନ୍ଦ୍ର ସରକାର । ସମସ୍ୟାର ସମାଧାନ ପାଇଁ ୩୭ଥର ବୈଠକ ବି ବସି ସାରିଛି । କିନ୍ତୁ ସମସ୍ୟା ଯେମିତି ଥିଲା ସେମିତି ରହିଛି । ଛତିଶଗଡ ପଟେ ମହାନଦୀ ପାଣିରେ ଉଛୁଳୁଥିବାବେଳେ, ଓଡିଶା ପଟ ଶୁଖିଲା ପଡିଛି । ଲିନ୍ ପରିୟଡରେ ଯେତିକି ପାଣି ଛାଡିବା କଥା ସେତିକି ଛାଡୁନି ଛତିଶଗଡ ସରକାର ।