ମଦସମ୍ରାଟଙ୍କ ପ୍ରତ୍ୟର୍ପଣରେ ହେବ ବିଳମ୍ବ । ଲଣ୍ଡନ କୋର୍ଟରୁ ଆଶ୍ୱସ୍ତି ପରେ ମାଲ୍ୟା କହିଲେ ଭଗବାନ ମହାନ୍, ନ୍ୟାୟ ନିଶ୍ଚିତ । ଟଙ୍କା ନେବାକୁ ବ୍ୟାଙ୍କଗୁଡିକୁ କଲେ ଅପିଲ୍ ।

131

କନକ ବ୍ୟୁରୋ : ମଦସମ୍ରାଟ ମାଲ୍ୟାଙ୍କ ପ୍ରତ୍ୟର୍ପଣରେ ବିଳମ୍ବ ହେବ । ଲଣ୍ଡନ କୋର୍ଟରୁ ବିଜୟ ମାଲ୍ୟାଙ୍କୁ ଆଶ୍ୱସ୍ତି ମିଳିବା ପରେ ମାଲ୍ୟା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ମାଲ୍ୟା ଲେଖିଛନ୍ତି, ଭଗବାନ ମହାନ, ନ୍ୟାୟ ନିଶ୍ଚିତ ରହିଛି । ଏହା ସହ ଟଙ୍କା ନେବାକୁ ପୁଣି ବ୍ୟାଙ୍କ ଗୁଡିକୁ ଆବେଦନ କରୁଥିବା ସେ ନିଜ ଟ୍ୱିଟରେ ଲେଖିଛନ୍ତି ।

ପଳାତକ ବିଜୟ ମାଲ୍ୟାଙ୍କୁ ଭାରତ ଆଣିବା ପାଇଁ ଏଜେନ୍ସି ଚେଷ୍ଟା ଜାରି ରହିଛି । ଏହାରି ଭିତରେ ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ଲଣ୍ଡନ କୋର୍ଟରୁ ଆଶ୍ୱସ୍ତି ମିଳିଛି । ଆଉ ଏହାରି ଭିତରେ ମାଲ୍ୟାଙ୍କ ଏକ ଟ୍ୱିଟ୍ ସାମ୍ନାକୁ ଆସିଛି । ଟ୍ୱିଟରେ ମାଲ୍ୟା ଲେଖିଛନ୍ତି ମୁଁ ପୂର୍ବରୁ କହୁଛି ପଇସା ନେଇଯାଅ ଆଉ ମାମଲାକୁ ଏଇଠି ଶେଷ କର । ଲଣ୍ଡନ କୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ମାଲ୍ୟା ଅନେକ ଟ୍ୱିଟ୍ କରିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି, ଭଗବାନ ମହାନ, ନ୍ୟାୟ ନିଶ୍ଚିତ ଅଛି । ମୋ ଉପରେ ଲାଗିଥିବା ସବୁ ଅଭିଯୋଗ ମିଥ୍ୟା ବୋଲି ମୁଁ ପୂର୍ବରୁ କହିଆସିଛି । ଆଉ ଯେତେବେଳେ କୋର୍ଟଙ୍କ ରାୟ ଆସିଲା ମୁଁ ସେତେବେଳେ ପୁଣି ଥରେ ବ୍ୟାଙ୍କଗୁଡିକୁ କହୁଛି ମୋ ପଇସା ନେଇଯାଅ । ମୁଁ ସମସ୍ତ କର୍ମଚାରୀଙ୍କୁ ପଇସା ଦେବାକୁ ଚାହୁଁଛି ଏବଂ ଜୀବନରେ ଆଗକୁ ବଢିବାକୁ ଚାହୁଁଛି ।

ଏହାସହ ସିବିଆଇ ମିଥ୍ୟା କେସ୍ କରୁଥିବା ଅଭିଯୋଗ କରିଛନ୍ତି ମାଲ୍ୟା । ଗତକାଲି ଲଣ୍ଡନର ଏକ ଅଦାଲତରେ ମାଲ୍ୟାଙ୍କ ମାମଲାରେ ଶୁଣାଣି ହୋଇଥିଲା । ବ୍ରିଟେନ୍ ଗୃହ ସଚିବ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ ହେବାକୁୁ ଆଦେଶ ଦେଇଥିଲେ । ଯାହାକୁ ବିରୋଧ କରି ମାଲ୍ୟା ଲଣ୍ଡନ କୋର୍ଟରେ ଆବେଦନ କରିଥିଲେ ଆଉ କୋର୍ଟ ଏହାକୁ ସ୍ୱୀକାର କରିଛନ୍ତି । ଅନ୍ୟପଟେ ମାଲ୍ୟା ଭାରତ ପ୍ରତ୍ୟାର୍ପଣ ମାମଲାକୁ ନେଇ ସେ ଉପରସ୍ତ କୋର୍ଟକୁ ଯିବା ନେଇ ସୂଚନା ରହିଛି । ଭାରତୀୟ ବ୍ୟାଙ୍କକୁ ୯ ହଜାର କୋଟି ଟଙ୍କା ଠକେଇ କରି ବିଜୟ ମାଲ୍ୟା ୨୦୧୬ରେ ଲଣ୍ଡନ ଚାଲିଯାଇଥିଲେ । ପଳାତକ ବିଜୟ ମାଲ୍ୟାଙ୍କୁ ଲଣ୍ଡନରୁ ଭାରତ ଆଣିବା ପାଇଁ ଭାରତୀୟ ତଦନ୍ତ ସଂସ୍ଥା ପ୍ରୟାସ ଜାରି ରଖିଛି । ହେଲେ ଏପର୍ଯ୍ୟନ୍ତ ଏହି ପ୍ରୟାସରେ ସଫଳ ହୋଇ ପାରିନି ଭାରତୀୟ ତଦନ୍ତ ସଂସ୍ଥା । ୨୦୧୮ରେ ଲଣ୍ଡନର ୱେଷ୍ଟମିଂଟେର କୋର୍ଟ ମାଲ୍ୟାଙ୍କୁ ଭାରତ ପ୍ରତ୍ୟାର୍ପଣ ମାମଲାର ନିଷ୍ପତି ଶୁଣାଇଥିଲେ ।