ଗେଲଙ୍କ ସହ ଫଟୋ ପୋଷ୍ଟ ପରେ ହଟହଟା ହେଲେ ମାଲ୍ୟା ! ପୁଣି ‘ଚୋର’ର ଆଖ୍ୟା ଦେଲେ ୟୁଜର୍ସ, ଜବାବ ରଖିଲେ ମଦ ସମ୍ରାଟ୍ ।

192

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍‌ ଗେଲ୍ ବିଜୟ ମାଲ୍ୟାଙ୍କ ସହ ଉଠାଇଥିବା ଏକ ଫଟୋ ଟ୍ବିଟର୍‌ରେ ପୋଷ୍ଟ୍ କରିଥିଲେ । ଏହାକୁ ନେଇ ଟ୍ବିଟର୍‌ରେ ମାଲ୍ୟାଙ୍କୁ ବହୁତ ହଟହଟା ହେବାକୁ ପଡ଼ିଛି । ଲଣ୍ଡନର ସିଲ୍‌ଭରଷ୍ଟୋନ୍ ସର୍କିଟ୍‌ରେ ଆୟୋଜନ କରାଯାଇଥିବା ୨୦୧୯ ବ୍ରିଟିଶ ଗ୍ରାଣ୍ଡ୍‌ ପ୍ରିକ୍ସ ବେଳେ ଦୁହେଁ ଏହି ଫଟୋ ଉଠାଇଥିଲେ । ଟ୍ବିଟର୍‌ରେ ଫଟୋକୁ ପୋଷ୍ଟ୍ କରି କ୍ରିସ୍ ଗେଲ୍ ଲେଖିଥିଲେ ‘ବିଗ୍ ବସ୍‌ଙ୍କ ସହ ମିଶିବା ବହୁତ ଭଲ ଅନୁଭୂତି ଥିଲା’ । ଏହି ଫଟୋ ‌ପୋଷ୍ଟ ହେବା ପରେ ଲୋକମାନେ ନାନା ପ୍ରକାର କମେଣ୍ଟ୍‌ ଦେବା ଆରମ୍ଭ କରିଥିଲେ । ଆଇପିଏଲ୍‌ରେ ବିଜୟ ମାଲ୍ୟାଙ୍କ କ୍ରିକେଟ୍ ଦଳ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ପୂର୍ବରୁ ଗେଲ୍ ଖେଳୁଥିଲେ ।

ଜଣେ ଟ୍ବିଟର୍‌ ବ୍ୟବହାରକାରୀ ଲେଖିଥିଲେ ‘ମାଲ୍ୟା ବହୁତ ଦେଶଭକ୍ତ । ସେ କେବଳ ଭାରତୀୟଙ୍କ ଠାରୁ ଚୋରି କରନ୍ତି ।’ ଟ୍ବିଟର୍‌ରେ ଫଟୋକୁ ଯେଉଁମାନେ ନିନ୍ଦା କରିଥିଲେ ସେମାନଙ୍କୁ ଜବାବ ଦେବାକୁ ଯାଇ ମାଲ୍ୟା ଲେଖିଥିଲେ ଯେ, ବ୍ରହ୍ମାଣ୍ଡର ବସ୍ ଓ ମୋ ବନ୍ଧୁଙ୍କୁ ଭେଟିବା ବହୁତ ଭଲ ଲାଗିଲା । ଯେଉଁମାନେ ମୋତେ ଚୋର କହୁଛନ୍ତି ସେମାନେ ନିଜ ବ୍ୟାଙ୍କକୁ କୁହନ୍ତୁ ମୁଁ ଗତ ଏକ ବର୍ଷ ହେଲାଣି ଯେଉଁ ଟଙ୍କା ସବୁ ଫେରାଇବାକୁ ଚାହୁଛି ତାହା ‌ସେମାନେ ନିଅନ୍ତୁ । ସେତେବେ‌ଳେ ସ୍ପଷ୍ଟ ହୋଇଯିବ କିଏ ଚୋର ? ଏହା ପରେ ଆଉ ଏକ ଟୁଇଟ୍‌ କରି ସେ ଲେଖିଥିଲେ ଯେ, ବ୍ରହ୍ମାଣ୍ଡ୍‌ର ବସ୍‌ଙ୍କ ସହ ମୋ ଫଟୋକୁ ନେଇ ଯେଉଁମାନେ ମତ ଦେଉଛନ୍ତି, ଦୟାକରି ଟିକେ ରହିଯାଆନ୍ତୁ ଏବଂ ମୋତେ ଚୋର କହିବା ପୂର୍ବରୁ ନିଜ ତଥ୍ୟକୁ ଯାଞ୍ଚ କରନ୍ତୁ । ଯେଉଁ ୧୦୦% ଟଙ୍କାକୁ ମୁଁ ଫେରାଇବାକୁ ଚାହୁଛି ତାହା ବ୍ୟାଙ୍କ କାହିଁକି ନେଉନାହାନ୍ତି ତାହା ଆପଣମାନଙ୍କ ବ୍ୟାଙ୍କକୁ ପଚାରନ୍ତୁ ।