କନକ ବ୍ୟୁରୋ : ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚରେ ଲାଇଗର ଫିଲ୍ମର ହିରୋ ବିଜୟ ଦେବରକୋଣ୍ଡାଙ୍କୁ ଦେଖିବାକୁ ମିଳିଥିଲା । ଦୁବାଇ ଷ୍ଟାଡିୟମରେ ଦେବରକୋଣ୍ଡା ଭାରତକୁ ଚିୟରଅପ୍ କରୁଥିବାର ଦେଖିବାକୁ ମିଳିଥିଲା । ଆଉ ଏହାପରେ ଦେବରକୋଣ୍ଡାଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । କ୍ରିକେଟ ପ୍ରତି ଅହେତୁକ ଦୁର୍ବଳତା ରଖୁଥିବା ଦେବରକୋଣ୍ଡା ଏହା ଭିତରେ ଏକ ବଡ ବୟାନ ଦେଇଛନ୍ତି । ମ୍ୟାଚ୍ ପୂର୍ବରୁ ଦେବରକୋଣ୍ଡାଙ୍କୁ ଏକ ସାକ୍ଷାତକାରରେ କାହା ବାୟୋପିକ୍ କରିବାକୁ ପସନ୍ଦ କରିବେ ବୋଲି ପ୍ରଶ୍ନ କରାଯାଇଥିଲା । ଆଉ ଏହାର ଉତ୍ତରରେ ଦେବରକୋଣ୍ଡା କହିଥିଲେ, ମୋର ବିରାଟ କୋହଲିଙ୍କ ବାୟୋପିକ୍ କରିବାକୁ ଇଚ୍ଛା ରହିଛି ।

Advertisment

ମ୍ୟାଚ୍ ପୂର୍ବରୁ ଦେବରକୋଣ୍ଡା କହିଥିଲେ ଯେ, ପାକିସ୍ତାନ ବିପକ୍ଷରେ କୋହଲି ଅର୍ଦ୍ଧଶତକ ହାସଲ କରିବେ । କାରଣ କୋହଲି ଥରେ ୨୦ ରନରୁ ଅଧିକ କରିବା ମାତ୍ରେ ବଡ ସ୍କୋର କରିଥାନ୍ତି । ଏହାଛଡା କୋହଲିଙ୍କର ଏହା ୧୦୦ତମ ମ୍ୟାଚ୍, ତେଣୁ ଅର୍ଦ୍ଧଶତକ ସହ ଏହାକୁ ଆହୁରି ସ୍ୱତନ୍ତ୍ର କରିବେ ବିରାଟ । ଯେହେତୁ ପୂର୍ବରୁ ଧୋନୀଙ୍କ ବାୟୋପିକ ଉପରେ ଫିଲ୍ମ ହୋଇ ସାରିଛି ତେଣୁ କୋହଲିଙ୍କ ବାୟୋପିକରେ ଫିଲ୍ମ କରିବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି ଦେବରକୋଣ୍ଡା ।

ତେବେ ପାକିସ୍ତାନ ବିପକ୍ଷ ମ୍ୟାଚରେ କୋହଲିଙ୍କର ଧୈର୍ଯ୍ୟପୂର୍ଣ୍ଣ ୩୫ ରନ୍ ଟିମ୍ ଇଣ୍ଡିଆର ବିଜୟରେ ବଡ ଭୂମିକା ଗ୍ରହଣ କରିଥିଲା । ପ୍ରଥମରୁ କିଛି ବଲ ଖେଳିବାରେ ଅଡୁଆ ହୋଇଥିଲେ ମଧ୍ୟ ପରେ କ୍ରିଜରେ ଜମିଥିଲେ କୋହଲି । ୩ ଚୌକା ଓ ଗୋଟିଏ ଛକା ବଳରେ ୩୫ ରନ କରିଥିଲେ କୋହଲି । ଆଉ ରୋମାଞ୍ଚକର ମୁକାବିଲାରେ ହାର୍ଦ୍ଦିକ ୧୭ ବଲରେ ୩୩ ରନର ଇନିଂସ ଖେଳି ଭାରତକୁ ବିଜୟ ଭେଟି ଦେଇଥିଲେ । ବୋଲିଂରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ ହାର୍ଦ୍ଦିକ । ୪ ଓଭରରେ ୱିକେଟ ନେବା ସହ ପାକିସ୍ତାନକୁ ଅଲଆଉଟ କରିବାରେ ବଡ ଭୂମିକା ଗ୍ରହଣ କରିଥିଲେ ହାର୍ଦ୍ଦିକ ।