ଆଉ କିଛି ସମୟ ମଧ୍ୟରେ ବାତ୍ୟାର ରୂପ ନେବ ୟାସ : ସକାଳ ସାଢ଼େ ୮ରୁ ସାଢ଼େ ୧୧ ମଧ୍ୟରେ ବାତ୍ୟାରେ ପରିଣତ ହେବ ଗଭୀର ଅବପାତ

ଘଂଟା ପ୍ରତି ୪ କିଲୋମିଟର ବେଗରେ ଉପକୂଳ ଆଡ଼କୁ ହେଉଛି ଅଗ୍ରସର; ଗତିପଥ ଉପରେ ସତର୍କ ନଜର ରଖିଛି ଭାରତୀୟ ପାଣିପାଗ ବିଭାଗ

3,578

କନକ ବ୍ୟୁରୋ : ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଉ କିଛି ସମୟ ମଧ୍ୟରେ ବାତ୍ୟାର ରୂପ ନେଇପାରେ ୟାସ । ବର୍ତମାନ ଏହା ସମୁଦ୍ର ମଧ୍ୟରେ ଗଭୀର ଅବପାତ ଆକାରରେ ରହିଛି । ସକାଳ ସାଢ଼େ ୮ରୁ ସାଢ଼େ ୧୧ଟା ମଧ୍ୟରେ ଏହା ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବ ବୋଲି ଆକଳନ କରିଛି ଆଉଏମଡି । ପାରାଦୀପର ୬୫୦ କିଲୋମିଟର ଦକ୍ଷିଣ, ଦକ୍ଷିଣ- ପୂର୍ବକୁ ଏବଂ ବାଲେଶ୍ୱରର ୬୩୦ କିଲୋମିଟର ଦକ୍ଷିଣ- ପୂର୍ବକୁ ରହିଛି ୟାସ । ଧୀରେ ଧୀରେ ଏହା ଉତର, ଉତର ପଶ୍ଚିମ ଦିଗକୁ ଗତି କରି ଉପୂକଳ ମୁହାଁ ହେବ ।

କ୍ରମଶଃ ଓଡ଼ିଶା ଉପକୂଳ, ବାତ୍ୟାର କେନ୍ଦ୍ରସ୍ଥଳ ମଧ୍ୟରେ ଥିବା ବ୍ୟବଧାନ କମିବାରେ ଲାଗିଛି । ତେବେ ବାତ୍ୟା ୟାସ କେଉଁଠି ମାଡ ହେବ, କେଉଁ ଆଡକୁ ଗତି କରିବ । ଏହାର ଗତିପଥ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଇଏମଡିର ଆକଳନ ଅନୁସାରେ ଏହି ବାତ୍ୟା ଓଡିଶାରେ ମାଡ ହୋଇପାରେ । ବାଲେଶ୍ୱର – ଭୋଗରାଇ ଅଂଚଳ ଦେଇ ବାତ୍ୟା ଗତି କରିପାରେ ବୋଲି ଅନୁମାନ କରାଯାଇଛି । ପାଣିପାଗ ବିଭାଗ ମହାନିର୍ଦ୍ଦେଶକଙ୍କ କହିବା ଅନୁସାରେ ପାରାଦୀପରୁ ବାଙ୍ଗଲାଦେଶର ସାଗରଦୀପ ମଧ୍ୟରେ ସ୍ଥଳ ଭାଗ ଅତିକ୍ରମ କରିପାରେ ।

କିନ୍ତୁ ଆଇଏମଡି ପକ୍ଷରୁ ଯେଉଁ ଗତିପଥ ଆକଳନ କରାଯାଇଛି, ସେହି ଆକଳନ କହୁଛି ଏହା ବାଲେଶ୍ୱର ପାଖରେ ହିଁ ଲ୍ୟାଣ୍ଡଫଲ କରିବ । ଏବଂ ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ଘଂଟାକୁ ୧୬୫ କିଲୋମିଟର ହୋଇପାରେ । ବେଳେ ବେଳେ ପବନ ଝଟକା ଦେଇ ଘଂଟାକୁ ୧୮୫ କିଲୋମିଟର ପର୍ଯ୍ୟନ୍ତ ମଧ୍ୟ ଯାଇପାରେ । ପୂର୍ବରୁ ଏହା ବାଙ୍ଗଲାଦେଶ ଯାଇପାରେ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ଏବେ ଏହା ଓଡିଶା ଆଡକୁ ମୁହାଁଇବ ବୋଲି ଆକଳନ କରାଯାଉଛି ।

ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗରରେ ଭାରତର ପ୍ରାୟ ଅଧା ଆକାରର ସୃଷ୍ଟି ହୋଇଥିବା ଏହି ବାତ୍ୟା ‘ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ’ ଆକାରକୁ ଯିବ ବୋଲି ପୂର୍ବାନୁମାନ କରାଯାଇଛି । ଯଦି ବାତ୍ୟାର ଗତିପଥକୁ ଆକଳନ କରାଯିବ, ତେବେ ଏହା ବାଲେଶ୍ୱରରେ ମାଡ ହୋଇ ବାରିପଦା, ଜାମଶୋଳା, ତାପରେ ବାହାରାଗୋଡା ଓ ଘାଟଶିଳା ଦେଇ ଜାମସେଦପୁର ଆଡକୁ ଗତି କରିବ ।