ହିମାଚଳ ପ୍ରଦେଶ ବିଧାନସଭା ଆସନ ପାଇଁ ଆଜି ଭୋଟ୍ ଗ୍ରହଣ : ୭୮୮୧ ମତଦାନ କେନ୍ଦ୍ରରେ ୫୬ ଲକ୍ଷ ମତଦାତା ଦେବେ ଭୋଟ୍

87

କନକ ବ୍ୟୁରୋ : ସରିଲା ପ୍ରତୀକ୍ଷା । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ । ମୋଟ ୬୮ ବିଧାନସଭା ଆସନ ପାଇଁ ସକାଳ ୮ଟାରୁ ଆରମ୍ଭ ହେବ ମତଦାନ ଗ୍ରହଣ । ନିର୍ବାଚନ କମିସନ ପାଖାପାଖି ୫୬ ଲକ୍ଷ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ମତଦାନକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ୍ ପୂରା ପ୍ରସ୍ତୁତି କରିଛି । ନିର୍ବାଚନୀ ଦାୟିତ୍ୱରେ ରହିଛନ୍ତି ୩୨ ହଜାର କର୍ମଚାରୀ ।

ସେହିପରି ୭ହଜାର ୮୮୧ ମତଦାନ କେନ୍ଦ୍ର କରାଯାଇଛି । ସେଥିମଧ୍ୟରୁ ୭୮୯ ସମ୍ବେଦନଶୀଳ ଏବଂ ୩୯୭ଟି ଅତି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି । ନିର୍ବାଚନ ପାଇଁ ୧୪୨ଟି ପୋଲିଂ ବୁଥ ମଧ୍ୟ କରାଯାଇଥିଲା, ଯାହାର ପରିଚାଳନା ଦାୟିତ୍ୱ ତୁଲାଇବେ ଭିନ୍ନକ୍ଷମ କର୍ମଚାରୀ । ଏଥର ନିର୍ବାଚନ କମିସନ୍ ଭୋଟିଂକୁ ନେଇ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି ଏବଂ ଭୋଟିଂ ହାର ବଢ଼ାଇବା ଉପରେ ଗୁରୁତ୍ୱ ଦେଇଛି । ହିମାଚଳ ପ୍ରଦେଶରେ ୮୦ ବର୍ଷରୁ ଊଦ୍ଧ୍ୱର୍ ବୟସର ୧ଲକ୍ଷ ୨୧ହଜାର ୪୦୯ ଜଣ ମତଦାତା ରହିଛନ୍ତି । ନିର୍ବାଚନ ପୂର୍ବରୁ ସବୁ ଦଳ ମାଳମାଳ ପ୍ରତିଶ୍ରୁତି ଦେଇଛନ୍ତି । ଗୁରୁବାର ଥିଲା ପ୍ରଚାରର ଶେଷ ଦିନ । ଏଣୁ ବିଭିନ୍ନ ଦଳ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ପ୍ରଚାର କରିଥିବା ଦେଖିବାକୁ ମିଳିଛି । ବିଜେପି ପକ୍ଷରୁ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ,ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପ୍ରଚାରମଙ୍ଗ ସମ୍ଭାଳିଥିଲେ ।

ସେପଟେ ପୁଣି ଥରେ କଂଗ୍ରେସ ପାଇଁ ଜୋରଦାର ପ୍ରଚାର କରିଥିଲେ କଂଗ୍ରେସ ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧୀ ବାଡ୍ରା । ଭୋଟପାଇଁ ଦଳମାନେ ପ୍ରଚାରର ଶେଷ ଦିନରେ ପ୍ରତିଶ୍ରୁତି ବର୍ଷା କରିଛନ୍ତି । କୁହାଯାଉଛି ଏହି ବିଜେପି ଶାସିତ ରାଜ୍ୟରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡା ମୁକାବିଲା ହେବ । ଆପ୍ ମଧ୍ୟ ଏଠାରେ ଅନେକ ଆସନରେ ପ୍ରାର୍ଥୀ ଦେଇଛି । ଗତ ବିଧାନସଭା ନିର୍ବାଚନରେ ମୋଟ ୬୮ ଟି ଆସନରୁ ବିଜେପି ୪୫ ଟି ଜିତିବା ସହ ଦୁଇ ସ୍ୱାଧୀନ ପ୍ରାର୍ଥୀଙ୍କୁ ଧରି ସରକାର ଗଠନ କରିଥିଲା । କଂଗ୍ରେସକୁ ୨୦ଟି ଆସନ ମିଳିଥିଲା ।