କନକ ବ୍ୟୁରୋ: ଚାକିରି ଉପଜିଲ୍ଲାପାଳ, କିନ୍ତୁ କୁବେର ଭଳି ସମ୍ପତ୍ତି । ନଗଦ ୩ କୋଟିରୁ ଅଧିକ ଟଙ୍କା ଜବତ । ଆଜି କିଛି ଏଭଳି ଦୃଶ୍ୟ ସାମ୍ନାକୁ ଆସିଥିଲା ଯେଉଁଥିରେ କେବଳ ବିଡା ବିଡା ୫୦୦ ଟଙ୍କିଆ ନୋଟ୍ ଦେଖିବାକୁ ମିଳିଥିଲା । ୬ଟି ପେଟି ଭିତରେ ବିଡା ବିଡା ଟଙ୍କା । ଏତେ ପରିମାଣର ନଗଦ ଟଙ୍କା, ଯିଏ ଦେଖିବ ତା’ର ହୋସ୍ ଉଡିଯିବ । କିନ୍ତୁ ଏହି ଟଙ୍କାର ଗଦା ମିଳିଛି ସରକାରୀ ବାବୁଙ୍କ ପାଖରୁ । ଯାହାକୁ ଗଣିବା ପାଇଁ ଟଙ୍କା ଗଣା ମେସିନର ସାହାଯ୍ୟ ନେଇଛି ଭିଜିଲାନ୍ସ । ମେସିନରେ ଗଣି ବି ହାଲିଆ ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ ।
ପ୍ରଶାନ୍ତ ରାଉତ । ନବରଙ୍ଗପୁରର ଉପଜିଲ୍ଲାପାଳ ଭାବେ ଚାକିରି କରନ୍ତି । ବାବୁଙ୍କ କାରନାମା ଏବେ ସାରା ରାଜ୍ୟରେ ଚହଳ ପକାଇ ଦେଇଛି । ଆୟ ବହିର୍ଭୂତ ସମ୍ପତି ଠୂଳ ଅଭିଯୋଗରେ ଭୁବନେଶ୍ୱର କାନନ ବିହାର ସ୍ଥିତ ଦୁଇ ମହଲା ଘର, ନବରଙ୍ଗପୁର ସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟ, ଭଦ୍ରକର ବହୁଦରଡ଼ା ସ୍ଥିତ ପୈତୃକ ଘର ସମେତ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।
ସକାଳ ପ୍ରାୟ ୫ଟା । କାନନ ବିହାର, ଭୁବନେଶ୍ୱର । ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । କଳା କାରବାରରେ ଅଭିଜ୍ଞ ଥିବା ବାବୁ ଜଣଙ୍କ ଭିଜିଲାନ୍ସ ଚଢାଉ ହେଉଥିବା ଜାଣି ଟଙ୍କା ବଣ୍ଡଲ ଭର୍ତି ପେଟିକୁ ପଡୋଶୀଙ୍କ ଛାତ ଉପରକୁ ଫିଙ୍ଗି ଦେଇଥିଲେ । ଏହି ଦୃଶ୍ୟକୁ ଦେଖି ଦେଇଥିଲେ ଚଢାଉ କରୁଥିବା ଅଫିସର । ଏହା ପରେ ପଡୋଶୀଙ୍କ ଘରେ ରେଡ୍ ହୋଇଥିଲା । ପଡ଼ୋଶୀଙ୍କ ବେଡ୍ ରୁମରୁ ଟଙ୍କା ଭର୍ତି ୬ଟି ପେଟି ଏବଂ ଗୋଟିଏ ବ୍ରିଫକେସ୍ ଜବତ କରିଥିଲା ଭିଜିଲାନ୍ସ । ଏଥିରେ ନଗଦ ୨ କୋଟି ୨୫ ଲକ୍ଷରୁ ଅଧିକ ଟଙ୍କା ମିଳିଥିବା ସୂଚନା ମିଳିଥିବା ବେଳେ ବ୍ରିଫ୍କେସରୁ ମିଳିଛି ସୁନା ଗହଣା, ସ୍ୱର୍ଣ୍ଣ ମୁଦ୍ରା, ଜମି କାଗଜପତ୍ର ଓ ବ୍ୟାଙ୍କ ପାସବୁକ୍ ।
ସେହିପରି ନବରଙ୍ଗପୁର ସରକାରୀ ବାସଭବନରୁ ମିଳିଛି ଟଙ୍କା ଭର୍ତି ଥିବା ଦୁଇଟି ପେଟି । ଗୋଟିଏ ପେଟିରୁ ୫୬ ଲକ୍ଷ ଓ ଆଉ ଗୋଟିଏରୁ ମିଳିଛି ୧୨ ଲକ୍ଷ ଟଙ୍କା । ଏବେ ବି ଗଣତି ଜାରି ରହିଛି । କେତେ ଟଙ୍କା ଓ ସମ୍ପତି ମିଳିବ, ଏବେଠାରୁ ଆକଳନ କରିପାରୁନି ଭିଜିଲାନ୍ସ । ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ସମ୍ପତି ଦେଖି ତାଜୁବ ହୋଇ ଯାଉଛନ୍ତି ଅଧିକାରୀ । ଏହି ରେଡରେ ୨ ଅତିରିକ୍ତ ଏସପି, ୭ ଡିଏସପି ଓ ୮ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।
Follow Us