ବହିଷ୍କୃତ କନେଷ୍ଟବଳ ପ୍ରସନ୍ନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ : ମିଳିଲା କୋଟି କୋଟି ଟଙ୍କାର ସମ୍ପତ୍ତି

୨ କୋଟି ଟଙ୍କାରେ ତିଆରି ହୋଇଛି ସ୍ପାର୍କ ଫର୍ଣ୍ଣିଚର ସୋରୁମ୍; ସାଉଥ ସିଟି ବାର ସମେତ ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍

169

କନକ ବ୍ୟୁରୋ : ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ ବେଳେ ଠାବ ହୋଇଛି କୋଟି କୋଟି ଟଙ୍କାର ସମ୍ପତି । ଡୁମୁଡୁମାରେ ଥିବା ସ୍ପାର୍କ ଫର୍ଣ୍ଣିଚର ୨୫୦ ଏକର ଜାଗାରେ ତିଆରି ହୋଇଛି । ୨୦୧୯ରେ ୧ କୋଟି ୪୬ ଲକ୍ଷ ୬୦ ହଜାର ଟଙ୍କାରେ କିଣିଥିଲେ । ବର୍ତମାନ ଏହାର ବଜାର ମୂଲ୍ୟ ଅଧିକ ହେବ । ସୋରୁମ ଓ ବେସମେଣ୍ଟ ୧୮ ହଜାର ସ୍ୱେୟାରଫୁଟ ଜାଗାରେ ରହିଛି । ଏହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ । ସୋରୁମ୍ରେ ଥିବା ଫର୍ଣ୍ଣିଚରର ଆକଳନ କରାଯାଉଛି । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ।

ଭୁବନେଶ୍ୱର କଳ୍ପନାରେ ଥିବା ଘର ଓ ନିର୍ମାଣାଧୀନ ଘର ଚଢାଉ ହେଉଛି । ଖୋର୍ଦ୍ଧାରେ ଥିବା ଦୁଇ ମହଲା ପୈତୃକ ଘର, ଡୁମୁଡୁମାରେ ଥିବା ସ୍ପାର୍କ ଫର୍ଣ୍ଣିଚର, ଲିଙ୍ଗିପୁରରେ ଥିବା ଫର୍ଣ୍ଣିଚର ୱାର୍କ ସପ୍, ପାତ୍ରପଡ଼ାରେ ଥିବା ସାଉଥ୍ ସିଟି ବାରରେ ଚଢାଉ କରାଯାଉଛି । ୫ଟି ଟିମ୍ ଏକକାଳୀନ ଚଢାଉ କରୁଛନ୍ତି । ଏଥିରେ ୨ ଜଣ ଡିଏସ୍ପି, ୫ ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି । ଭିଜିଲାନ୍ସ ରେଡ୍ ବେଳେ କୋଟି କୋଟି ଟଙ୍କାର ସମ୍ପତି ଠାବ କରାଯାଇଛି । ପୂର୍ବରୁ ପ୍ରସନ୍ନ ବେହେରା ଚାକିରିରୁ ବହିଷ୍କୃତ ହୋଇଥିବା ସହ ଗିରଫ ହୋଇଛନ୍ତି । ବେଆଇନ୍ ଭାବେ ବାର ଚଳାଇଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମନୀଷ ହତ୍ୟା ମାମଲାର ଖୋଳତାଡ ବେଳେ ଘଟଣା ସାମ୍ନାକୁ ଆସିଥିଲା ।