କେମିତି ଟଙ୍କା ଲୁଟି ମାଲାମାଲ ହୁଅନ୍ତି ଯନ୍ତ୍ରୀ । ଗୋଟିଏ ସ୍ଥାନରେ ବର୍ଷ ବର୍ଷ ରହି ଚଳାଇଥାନ୍ତି ‘ପିସି’ ସାମ୍ରାଜ୍ୟ ।

473

କନକ ବ୍ୟୁରୋ : କୋଟି କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତି ଠୁଳ କରି ଜେଲ ଯାଇଥିବା ଇଞ୍ଜିନିୟର କାର୍ତିକେଶ୍ୱର ରାଉଳଙ୍କ ଦୁର୍ନୀତିର ପେଡି ଧିରେ ଧିରେ ଖୋଲିବାରେ ଲାଗିଛି । ହେଲେ, ସବୁଠୁ ବଡ ବିଡମ୍ବନାର ବିଷୟ ହେଉଛି, କାର୍ତିିକେଶ୍ୱରଙ୍କ ଏହି ଦୁର୍ନୀତି ପଛରେ ବଡ ବଡ ରାଜନେତାଙ୍କ ହାତ ଥିବା ସନ୍ଦେହ କରାଯାଉଛି । ନଚେତ ଜଣେ ଇଞ୍ଜିନିୟର ଗୋଟିଏ ଜାଗାରେ କେମିତି ୨୦ ବର୍ଷ ରହିଲେ ସେନେଇ ପ୍ରଶ୍ନ ଉଠିଛି ।

କେମିତି ଟଙ୍କା ଲୁଟି ମାଲାମାଲ ହୁଅନ୍ତି ଯନ୍ତ୍ରୀ ? ଗୋଟିଏ ସ୍ଥାନରେ ବର୍ଷ ବର୍ଷ ରହି ଚଳାଇଥାନ୍ତି ‘ପିସି’ ସାମ୍ରାଜ୍ୟ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସହକାରୀ ଯନ୍ତ୍ରୀ କାର୍ତିକେଶ୍ୱର ରାଉଳଙ୍କର ୨୦ ବର୍ଷ ଧରି ବଦଳି ହେଉନଥିଲା । ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗରେ କାମ କରି ଆସୁଥିଲେ ଏବଂ ପଦନ୍ନୋତି ହେବା ପରେ ବି ସ୍ଥାନ ଛାଡି ଯାଉନଥିଲେ । ସହକାରୀ ଯନ୍ତ୍ରୀଙ୍କ କ୍ଷେତ୍ରରେ ୩ ବର୍ଷରେ ବଦଳି ହେବା କଥା । କିନ୍ତୁ ଏହି କରିତକର୍ମା ବାବୁ ଜଣଙ୍କ ଗୋଟିଏ ଜାଗାରେ ୨୦ ବର୍ଷ କାଳ ରହିବାକୁ ସମର୍ଥ ହୋଇଥିଲେ ।

କାର୍ତ୍ତିକେଶ୍ୱରଙ୍କ ପଛରେ କାହାର ରହିଛି ହାତ ? କେଉଁ ରାଜନେତାଙ୍କ ଛତ୍ରଛାୟା ତଳେ ଚଳାଇଥିଲେ ଦୁର୍ନୀତି ? କାର୍ତିକେଶ୍ୱରଙ୍କ ବିଷୟରେ ଯେତିକି ଗୁମର ଖୋଲୁଛି, ଜଣାପଡୁଛି କିଛି ରାଜନେତା ତାଙ୍କ ପଛରେ ରହିଛନ୍ତି ଓ ଲାଞ୍ଚ କାରବାରରେ କାପୋର୍ଟଦାର ପାଲଟିଛନ୍ତି । ଏପରିକି କେଉଁ ନେତା ତାଙ୍କ ପଛରେ ରହିଛନ୍ତି, ତାର ସୁରାକ ମଧ୍ୟ ଧୀରେ ଧୀରେ ମିଳିବାରେ ଲାଗିଛି । ଖୁବଶୀଘ୍ର ସେହି ରାଜନେତାଙ୍କ କଳା କାରବାରର ପର୍ଦ୍ଦାଫାଶ ହେବ ବୋଲି କୁହାଯାଉଛି ।