ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ: ଘର ସମେତ ୬ଟି ସ୍ଥାନରେ ୪୦ ଜଣିଆ ଟିମର ଚଢାଉ

ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ

321

କନକ ବ୍ୟୁରୋ: ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ରେଡ଼ କରୁଛି ଭିଜିଲାନ୍ସ । ସୁନ୍ଦରଗଡ଼ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ଘରେ ଭିଜିଲାନ୍ସ ବିଭାଗର ଚଢ଼ାଉ ଜାରି ରଖିଛି । ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସର ୪୦ ଜଣିଆ ଟିମ୍ । ନାରାୟଣ ପ୍ରଧାନଙ୍କ ସରକାରୀ ବାସଭବନ ସହ ଅଫିସ, ଦେଓଗଡ଼ କେନ୍ଦୁହାଟରେ ଥିବା ଫାର୍ମ ହାଉସ, ଶଶୁର ଘର ଅନୁଗୁଳ ଟାଉନ, ଦେଓଗଡ଼ ଭାଇ ଘର,ରିଆମାଲ ଦେଓଗଡ଼ର ପୈତୃକ ଘରରେ ଏକକାଳୀନ ଚଢ଼ାଉ ଚାଲିଛି । ଏହି ସହକାରୀ ଯନ୍ତ୍ରୀଙ୍କ କେନ୍ଦୁଘାଟ ଦେଓଗଡ଼ରେ ୧୬ ଏକର ଜମିରେ ଫାର୍ମ ହାଉସ, ସମ୍ବଲପୁରରେ ୨୫ ଲକ୍ଷ ଟଙ୍କାର ଜମି, ଭୁବନେଶ୍ୱର ଜଟଣୀରେ ଜମି ଏବଂ ଦେବଗଡ଼ ବୁରଡ଼ାରେ ଅନେକ ଜମି ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ଭିଜିଲାନ୍ସ ଡିଏସ୍ପିଙ୍କ ସୂଚନା ଅନୁସାରେ, ଏକା ସାଙ୍ଗରେ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି । ସୁନ୍ଦରଗଡ଼ ଏଡିବି କଲୋନି ଘର, ସୁନ୍ଦରଗଡ଼ ଜନସ୍ଵାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ, ଦେବଗଡ଼ର କେନ୍ଦୁଘାଟସ୍ଥିତ ଫାର୍ମ ହାଉସ, ଦେବଗଡ଼ର ତାବଡ଼ସ୍ଥିତ ପୈତୃକ ଘର, ଅନୁଗୁଳ ଟାଉନସ୍ଥିତ ଶଶୁର ଘର, ଦେବଗଡ଼ ଟାଉନସ୍ଥିତ ତାଙ୍କ ଭାଇଙ୍କ ବାସଭବନରେ ଚଢ଼ଉ କରିଛି ଭିଜିଲାନ୍ସ । ୪୦ ଜଣ କର୍ମଚାରୀଙ୍କୁ ନେଇ ଗଠିତ ଭିଜିଲାନ୍ସର ୬ଟି ସ୍ୱତନ୍ତ୍ର ଟିମ ଏହି ଚଢ଼ାଉ ଜାରି ରଖିଛି । ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କର ସମ୍ବଲପୁରରେ ଜମି, ଭୁବନେଶ୍ୱର ଜଟଣୀରେ ଜମି ସହ ଦେବଗଡ଼ ଜିଲାରେ ପୁଅ ନାଁରେ ମଧ୍ୟ ଜମି ରହିଥିବା ଭିଜିଲାନ୍ସ ସୂଚନା ଦେଇଛି ।