କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପଡ଼ିଥିବା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନିଲ ରାଉତଙ୍କର ଥିଲା ହାତୀ ସଉକ। ଘର ଆଗରେ ପାଖାପାଖି ୫ଫୁଟର ଦାମୀ କାଠ ହାତୀ ନିର୍ମାଣ କରି ରଖିଥିଲେ। ବେଡ଼ରୁମ ଆଗରେ ରଖିଥିଲେ ଦୁଇଟି ବଡ଼ ବଡ଼ ଟେରାକୋଟା ହାତୀ। ଏହା ସହ ଘର ଭିତରେ ଯେଉଁଆଡ଼େ ଆଖି ବୁଲେଇ ଆଣିବେ ସେଇଠି ରହିଥିଲା ହାତୀର ପ୍ରତିକୃତି। ଦେଶ ବିଦେଶର ବିଭିନ୍ନ ଜିନିଷ ଆଣି ସେ ଘର ସଜାଇ ରଖିବାକୁ ପସନ୍ଦ କରୁଥିଲେ, ଯାହା ତାଙ୍କ ଘର ଦେଖିଲେ ସହଜରେ ବୁଝିହେବ।
ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚିଫ୍ କନଷ୍ଟ୍ରକସନ ଇଞ୍ଜିନିୟର ସୁନିଲ ରାଉତଙ୍କ ଘରେ ଚାଲିଛି ଚଢ଼ାଉ। ଘର ଭିତରେ ବିଭିନ୍ନ ଜମି କାଗଜପତ୍ର ଏବଂ ତାଙ୍କର ସୁନାଗହଣା ଆଦି ଲକରରୁ ବାହାର କରାଯାଇଛି। ଏଥିସହ ପାସବୁକ ଓ ପାସପୋର୍ଟ ସିଜ ହୋଇଛି। ଖୁବଶୀଘ୍ର ଏହି ତନାଘନା ପ୍ରକ୍ରିୟା ଶେଷ ହେବା ପରେ କେତେ ପରିମାଣର ସମ୍ପତ୍ତି ଗଚ୍ଛିତ ଅଛି ତାହା ଜଣାପଡିବ। ଏକକାଳୀନ ତାଙ୍କର ବାସଭବନ ଓ କାର୍ୟ୍ୟାଳୟ ସମେତ ୯ଟି ଠିକଣାରେ ରେଡ୍ କରୁଛି ଭିଜିଲାନ୍ସ। ଭୁବନେଶ୍ବର, ପୁରୀ, କଟକ, ଅନୁଗୁଳ ଓ ବଲାଙ୍ଗୀରରେ ଚାଲିଛି ଭିଜିଲାନ୍ସ ଚଢ଼ାଉ। ଭୁବନେଶ୍ୱର ନିଳାଦ୍ରୀ ବିହାରରେ ଥିବା ଘର, ନୟାପଲ୍ଲୀରେ ତାଙ୍କ ଘର ଓ ସମ୍ପର୍କୀୟଙ୍କ ଘର ଓ ପୁରୀରେ ଥିବା ୨ଟି ଘର ସମେତ ବଲାଙ୍ଗୀର ବାସଭବନ ଓ କାର୍ୟ୍ୟାଳୟରେ ଚଢ଼ାଉ କରିଛି ଭିଜିଲାନ୍ସ।
ସେହିପରି କଟକ ଗୁରୁଡ଼ିଝାଟିଆରେ ଥିବା ପୈତୃକ ବାସଭବନ ଓ ଅନୁଗୁଳ କିଶୋରନଗରରେ ଥିବା ତାଙ୍କ ପୁଅଙ୍କ ଘରେ ଜାରିରହିଛି ରେଡ। ଢେଙ୍କାନାଳ ସପ୍ତଶଯ୍ୟାରେ ଥିବା ସୁନିଲଙ୍କ ଫାର୍ମହାଉସରେ ବି ଚଢ଼ାଉ କରିଛି ଭିଜିଲାନ୍ସ। ୮ଏକର ଜମି ଥିବା ଫାର୍ମ ହାଉସରେର ୬ଜଣିଆ ଭିଜିଲାନ୍ସ ଟିମ ଚଢ଼ାଉ କରିଛନ୍ତି। ବିଶାଳକାୟ ଫାର୍ମ ହାଉସରେ ଗୋରୁ, ମାଛ ଓ ବତକ ଚାଷ ହେଉଛି ।