ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ରେଡ୍ ଘଟଣା । ଘରୁ ମିଳିଲା ୧୪୪୦ ଗ୍ରାମର ସୁନା ଗହଣା

ସବ୍ୟସାଚୀ ବ୍ରାଣ୍ଡ ୨୪ ଲକ୍ଷ ୨୫ ହଜାର ଟଙ୍କାର ନେକଲେସ୍ ଜବତ; ବ୍ୟାଙ୍କ ଆକାଉଂଟ ଫ୍ରିଜ୍ କରିବାକୁ ନିଆଯାଉଛି ପଦକ୍ଷେପ

193

କନକ ବ୍ୟୁରୋ : ଭିଜିଲାନ୍ସ ପଞ୍ଝାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସରକାରୀ ବାସଭବନରେ ରେଡ୍ କରିିଛି ଭିଜିଲାନ୍ସ ଟିମ୍ । ରାତି ସାରା ରେଡ୍ କରାଯାଇଥିଲା । ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ୧୪୪୦ ଗ୍ରାମ ସୁନା ଜବତ ହୋଇଥିବାର ଖବର ମିଳିଛି । ଭାରତର ସବୁଠୁ ବଡ଼ ଡିଜାଇନର ସବ୍ୟସାଚୀ ବ୍ରାଣ୍ଡର ଏକ ହାର ଜବତ ହୋଇଛି, ଯାହାର ମୂଲ୍ୟ ୨୪ ଲକ୍ଷ ୨୫ ହଜାର ଟଙ୍କା । ଭିଜିଲାନ୍ସ ଅଧୀନରେ ଥିବା ଚାଟାର୍ଡ ଆକାଉଣ୍ଟାଣ୍ଟମାନେ ପ୍ରଦୀପଙ୍କ ଘରୁ ଜବତ ହୋଇଥିବା ଜରୁରୀକାଳୀନ ଦସ୍ତାବିଜ ଓ ବ୍ୟାଙ୍କ ଆକାଉଣ୍ଟର ଛାନଭିନ କରିବେ ବୋଲି ଜଣାଯାଇଛି । ସନ୍ଧାନ ସମୟରେ ମିଳିଥିବା ଦଲିଲଗୁଡ଼ିକୁ ଫାଇନାନ୍ସିଆଲ୍ ୱିଙ୍ଗ୍ ଅଫ୍ ଭିଜିଲାନ୍ସ ଏବଂ ପ୍ରଫେସନାଲ୍ ଚାଟାର୍ଡ ଆକାଉଣ୍ଟାଣ୍ଟ ଏବଂ ବ୍ୟାଙ୍କିଙ୍ଗ୍ କନସଲଟାଣ୍ଟସ୍ ଅଧିକାରୀଙ୍କ ଦ୍ୱାରା ପରୀକ୍ଷା କରାଯିବ । ଏହାଛଡ଼ା ସାଇବର ସେଲ୍ ଅଫ୍ ଭିଜିଲାନ୍ସ ସର୍ଚ୍ଚ ସମୟରେ ମିଳୁଥିବା ସମସ୍ତ ଇଲେକ୍ଟ୍ରୋନିକ୍ ପ୍ରମାଣ / ଡକ୍ୟୁମେଣ୍ଟ ଯାଞ୍ଚ କରିବ । ସାକ୍ଷୀ, ସନ୍ଦିଗ୍ଧ ଏବଂ ଅଭିଯୁକ୍ତଙ୍କ ପରୀକ୍ଷା ଠିକ୍ ସମୟରେ କରାଯିବ । ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

ପ୍ରଦୀପ ପାଣିଗ୍ରାହୀଙ୍କ ଜମି କିଣା କାଗଜପତ୍ର, ଗାଡି ଓ ସୁନା କିଣା କାଗଜପତ୍ର ଭିଜିଲାନ୍ସ ଜବତ ହୋଇଛି । ଜେରା ବେଳେ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ତାଙ୍କ ଝିଅ, ଝିଆରୀ, ଶାଶୁ ଓ ପୁତୁରା ଉପସ୍ଥିତ ଥିଲେ । ଗତକାଲି ଭିଜିଲାନ୍ସ ଟିମ୍ ବ୍ରହ୍ମପୁରରେ ବିଧାୟକଙ୍କ ସଂପର୍କୀୟ ଓ ସହଯୋଗୀଙ୍କ ଘରେ ଚଢାଉ କରିଥିଲା । ଭୁବନେଶ୍ୱର ସରକାରୀ ବାସଭବନ ସମେତ ମୋଟ୍ ୧୫ଟି ସ୍ଥାନରେ ଏକକାଳୀନ ଚଢାଉ କରି ଖୋଳତାଡ କରିଛି ଭିଜିଲାନ୍ସ । ଭିଜିଲାନ୍ସ ବିଭାଗର ଜଣେ ଏସପିଙ୍କ ନେତୃତ୍ୱରେ ଦୁଇ ଜଣ ଏଏସପି, ୧୭ ଜଣ ଡିଏସପି ସାମିଲ ଥିଲେ । ୨୦୦୯ରୁ ୨୦୨୦ ମଧ୍ୟରେ ୫ କୋଟି ୫ ଲକ୍ଷରୁ ଅଧିକ ଟଙ୍କା ଠୁଳ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆସିବା ପରେ ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ । ଏପରିକି ଜଣେ ସହଯୋଗୀଙ୍କ ନିକଟରୁ ୨୦ ଲକ୍ଷ ଟଙ୍କା ମିଳିଛି । ଏହି ଟଙ୍କା କାହାର ଓ କେଉଁଠୁ ଆସିଲା ସେ ନେଇ ଭିଜିଲାନ୍ସ ତଦନ୍ତ କରୁଛି ।
ତେବେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ରହିଛି ।  ଏହି ଅଭିଯୋଗର ତଦନ୍ତ କରି ଲୋକାୟୁକ୍ତଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲା ଭିଜିଲାନ୍ସ । ଗତବର୍ଷ ଡିସେମ୍ବର ୯ରେ ଲୋକାୟୁକ୍ତଙ୍କ ନିକଟରେ ମାମଲା ହୋଇଥିଲା । ଡିସେମ୍ବର ୧୧ରେ ଓଡିଶା ଭିଜିଲାନ୍ସକୁ ପୁଣି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ । ଲୋକାୟୁକ୍ତ ଆଇନ ୨୦୧୪ର ଅଧିନିୟମ ୨୦(୨)ରେ ତଦନ୍ତରୁ ଜଣାପଡିଲା ଯେ, ପ୍ରଦୀପ ପାଣିଗ୍ରାହୀ ଲୋକଙ୍କ ସେବାରେ ଥାଇ ବେଆଇନ ସଂପତ୍ତି ଠୁଳ କରିଛନ୍ତି । ୨୦୦୯ ମେ’ ୫ରୁ ୨୦୨୦ ନଭେମ୍ବର ପର୍ଯ୍ୟନ୍ତ ୫ କୋଟି ୫ ଲକ୍ଷ ୪ ହଜାର ୬୫୬ ଟଙ୍କା ସଂପତ୍ତି ଠୁଳ କରିଥିବା ଅଭିଯୋଗ ରହିଛି ।  ଭିଜିଲାନ୍ସ ପକ୍ଷରୁ ଗତ ମେ’ ୨୮ ତାରିଖରେ ତଦନ୍ତ ଶେଷ କରି ଲୋକାୟୁକ୍ତଙ୍କ ନିକଟରେ ଚୂଡାନ୍ତ ରିପୋର୍ଟ ଦେଇଥିଲା । ରିପୋର୍ଟ ପାଇବା ସହ ଏନେଇ ପ୍ରଦୀପ ପାଣିଗ୍ରାହୀଙ୍କ ଉତ୍ତର ପାଇବା ପରେ ଅନୁସନ୍ଧାନ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ । ଏହାପରେ ଭିଜିଲାନ୍ସ ପକ୍ଷରୁ ଗତ ୪ ତାରିଖ ଦିନ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ମାମଲା ରୁଜୁ କରିଥିଲା ଭିଜିଲାନ୍ସ ।