ଚାକିରି ଥିଲା କନେଷ୍ଟବଳ, ସମ୍ପତ୍ତି ଥିଲା କୁବେର ଭଳି । ସାମ୍ନାକୁ ଆସିଲା ବହିଷ୍କୃତ କନେଷ୍ଟବଳଙ୍କ କଳା କାହାଣୀ ।

379

କନକ ବ୍ୟୁରୋ: ମାଛ ଖାଇବ ଇଲିସି, ଚାକିରି କରିବ ପୁଲିସ । ବହୁ କାଳରୁ ଚଳି ଆସୁଥିବା ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ଚାକିରିରୁ ବହିଷ୍କୃତ ହୋଇଥିବା କନେଷ୍ଟବଳ ପ୍ରସନ୍ନ ବେହେରା । କନେଷ୍ଟବଳ ଚାକିରି କରି ଅଚଳାଚଳ ସଂପତିର ମାଲିକ ହୋଇଥିଲେ ଏହି କରିତକର୍ମା । ହାବିଲଦାର ଓ କନେଷ୍ଟବଳ ସଂଘର ସଂପାଦକ ରହିଥିଲେ ପ୍ରସନ୍ନ । ନିଜ ପ୍ରଭାବ ବଳରେ କଳାକୁ ଧଳା କରିବାରେ ଥିଲେ ସିଦ୍ଧହସ୍ତ । ନିଜ ଭାଇଙ୍କ ନାଁରେ ସାଉଥ ସିଟି ବାର ବେଆଇନ ଭାବେ ଚଳାଉଥିଲେ । ମନିଷ ହତ୍ୟାକାଣ୍ଡ ପରେ ପ୍ରସନ୍ନଙ୍କ ଗୋଟିଏ ପରେ ଗୋଟିଏ କାରନାମା ସାମନାକୁ ଆସିଥିଲା ।

ପ୍ରସନ୍ନ ବେହେରାଙ୍କ ନାଁରେ ଅଭିଯୋଗ ଲମ୍ବିବା ପରେ ଭୋରୁ ଭୋରୁ ଆରମ୍ଭ ହୋଇ ଯାଇଥିଲା ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ହୋଇଥିଲା ଚଢାଉ । ପ୍ରସନ୍ନଙ୍କ ସରକାରୀ ବାସଭବନ , ଭୁବନେଶ୍ୱର ଡୁମୁଡୁମାରେ ଥିବା ସ୍ପାର୍କ ଫର୍ଣ୍ଣିଚର ଦୋକାନ, ଲିଙ୍ଗିପୁରସ୍ଥିତ ସ୍ପାର୍କ ଫର୍ଣ୍ଣିଚର ୱାର୍କସପ୍ , ପାତ୍ରପଡ଼ାର ସାଉଥ୍ ସିଟି ବାର ଓ ଖୋର୍ଦ୍ଧାରେ ଥିବା ଦୁଇ ମହଲା ଘର ଉପରେ ଦୁଇ ଜଣ ଡିଏସପି, ୬ ଜଣ ଇନସ୍ପେକ୍ଟରଙ୍କ ସମେତ ଭିଜିଲାନ୍ସର ୫ଟି ଟିମ୍ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଯେଉଁ ସବୁ ସମ୍ପତ୍ତି ଠାବ ହୋଇଥିଲା, ତାକୁ ଦେଖି ତାଜୁବ ହୋଇଯାଇଥିଲେ ଅଧିକାରୀ ।

ଡୁମୁଡୁମାରେ ଥିବା ସ୍ପାର୍କ ଫର୍ଣ୍ଣିଚର ସୋ ରୁମ୍ ଦଶମିକ ୨୫ ଏକର ଜାଗାରେ ତିଆରି ହୋଇଛି । ସୋରୁମ ଓ ବେସ୍ମେଣ୍ଟ ୧୮ ହଜାର ସ୍କେୟାରଫୁଟ ଜାଗାରେ ରହିଛି । ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ । ସୋରୁମରେ ଥିବା ଦାମୀ ଫର୍ଣ୍ଣିଚରର ମୂଲ୍ୟ ହିସାବ କରାଯାଇଛି । କେବଳ ଏତିକି ନୁହେଁ ନିଜ ସରକାରୀ ବାସଭବନ ନିକଟରେ ଥିବା ସରକାରୀ ଜାଗାକୁ କବଜା କରି ସେଠାରେ ବେଆଇନ ଭାବେ ଘର ତିଆରି କରିଥିଲେ ପ୍ରସନ୍ନ । ବେଡରୁମ ଠାରୁ ଆରମ୍ଭ କରି ଡ୍ରଇଁ ରୁମ ପର୍ଯ୍ୟନ୍ତ ୮ଟି ରୁମ୍ କରିଥିଲେ ।

ତେବେ ପୂର୍ବରୁ ବି ବାରମ୍ବାର ପ୍ରସନ୍ନଙ୍କ ନାଁରେ ଅଭିଯୋଗ ହୋଇଛି । ସେ ଚାକିରିରୁ ନିଲମ୍ବିତ ବି ହୋଇଛନ୍ତି । ହେଲେ ପୁଲିସ ପ୍ରଶାସନରେ ତାଙ୍କର ଏଭଳି ପ୍ରଭାବ ଥିôଲା ଯେ ସବୁ ଅଭିଯୋଗକୁ ରଫାଦଫା କରି ଦେଉଥିଲେ ସେ । ଭିଜିଲାନ୍ସ ହେଉ କି ପୁଲିସ, ସମସ୍ତଙ୍କ ପାଖରେ ତାଙ୍କର ବେଆଇନ କାମ ନେଇ ସୂଚନା ଥିଲା, କିନ୍ତୁ ତାଙ୍କୁ ଛୁଇଁବାକୁ କେହି ସାହସ କରୁନଥିଲେ । ମନିଷଙ୍କ ମୃତ୍ୟୁ ନେଇ ସାଉଥ ସିଟି ବାର ବିବାଦକୁ ଆସିବା ପରେ ପ୍ରସନ୍ନଙ୍କୁ ଗିରଫ କରାଯାଇଛି ଏବଂ ଚାକିରିରୁ ବହିଷ୍କୃତ କରାଯାଇଛି । ତେବେ ପ୍ରଶ୍ନ ଉଠିଛି – କାହା ବଳରେ ବଳିୟାନ ହୋଇ ବର୍ଷ ବର୍ଷ ଧରି କଳା କାରନାମା ଚଳାଇଥିଲା ପ୍ରସନ୍ନ? ଜଣେ କନେଷ୍ଟବଳଙ୍କୁ ଏତେ ଅନୁକମ୍ପା ଦେଖାଉଥିଲା ପୁଲିସ ଓ ପ୍ରଶାସନ?