ବାବୁଙ୍କ ଘରେ ବିଡାବିଡା ଟଙ୍କା । ପୂଜା ପୂର୍ବରୁ ରେଡ୍ କଲା ଭିଜିଲାନ୍ସ । ହଡବଡେଇ ଗଲେ ସରକାରୀ ଅଧିକାରୀ

263

କନକ ବ୍ୟୁରୋ: ସରକାରୀ ବାବୁଙ୍କ ଘରେ ପୁଳାପୁଳା ଟଙ୍କା । ରେଡ୍ ବେଳେ ବାହାରିଲା ବିଡାବିଡା ଟଙ୍କା । ଅସାଧୁ ଉପାୟରେ ଟଙ୍କା ରୋଜଗାର ହେଉଥିବାର ସନ୍ଦେହ କରି ରେଡ୍ କରିଛି ଭିଜିଲାନ୍ସ ଟିମ୍ । ପୂଜା ପୂର୍ବରୁ ବିଡାବିଡା ଟଙ୍କା ଧରି ଘରମୁହାଁ ହେଉଛନ୍ତି ସରକାରୀ ଅଧିକାରୀ । ଭୁବନେଶ୍ୱର ସମେତ ୩ଟି ସ୍ଥାନରେ ଚଢାଉ କରି ୩ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ତେବେ ଏମାନଙ୍କ ଭିତରେ ଅଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଦୁଇ ଅଧିକାରୀ । ପାର୍ବଣରେ ପ୍ରଦୂଷଣ ଲାଇସେନ୍ସ ବାବଦରେ ବେଆଇନ ଅର୍ଥ ଆଦାୟ କରାଯାଇଥିବା ଭିଜିଲାନ୍ସ ସନ୍ଦେହ କରୁଛି । ଗତକାଲି ରାଜ୍ୟ ପ୍ରଦୂଷଣ ବୋର୍ଡର ଅଧିକାରୀ ନରୋତ୍ତମ ବେହେରାଙ୍କ ନିକଟରୁ ୮୯ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ତାଙ୍କ ଭୁବନେଶ୍ୱର ବାସଭବନରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଗତକାଲି ରାତିରେ ଚଢାଉ କରିଥିବାବେଳେ ଆଜି ସକାଳୁ ମଧ୍ୟ ଚଢାଉ ଜାରି ରହିଛି ।

ଆଜି ଚଢାଉ ବେଳେ ତାଙ୍କ ସତ୍ୟନଗର କାଳି ମନ୍ଦିର ପାଖ ଘରୁ ୯ ଲକ୍ଷ ୨୫ ହଜାର ଟଙ୍କା ଜବତ କରିସାରିଲାଣି ଭିଜିଲାନ୍ସ । ଏକ ୧୦ ଜଣିଆ ଟିମ୍ ଏହି ସରକାରୀ ବାବୁଙ୍କ ଘରେ ଚଢାଉ ଜାରି ରଖିଛନ୍ତି । ସେପଟେ ରେଡ୍ ନେଇ ମୁହଁ ସଫେଇ ଦେଇଛନ୍ତି ସରକାରୀ ବାବୁ । କହିଛନ୍ତି ଏ ଟଙ୍କା ମୋ ନିଜର, ମୁଁ କୌଣସି ଅସାଧୁ ଉପାୟରେ ରୋଜଗାର କରିନି । ମୋ ଶଶୁରଙ୍କ ଦେହ ଭଲ ନାହିଁ, ଚିକିତ୍ସା ପାଇଁ ଟଙ୍କା ରଖାଯାଇଥିଲା । ଝିଅର ଆଡମିଶନ ପାଇଁ ବି ଟଙ୍କା ଥିଲା ବୋଲି କହି ସଫେଇ ଦେଇଛନ୍ତି ଅଧିକାରୀ । ହେଲେ ତାଙ୍କ କଥା କହିବା ଶୈଳୀ ଓ ପାଟି ଖନିବାଜୁଥିବା ହିଁ ଦର୍ଶାଉଛି ବାବୁ ଜଣଙ୍କ ଭିଜିଲାନ୍ସ ହାବୁଡି ହଡବଡେଇ ଯାଇଛନ୍ତି । ଅସତ ଉପାୟରେ ଟଙ୍କା ନହୋଇଥିଲେ କଣ ପାଇଁ ପ୍ରତିକ୍ରିୟା ଦେଲା ବେଳେ ହଡବଡ ହେଉଛନ୍ତି ତାହା ସନ୍ଦେହ ସୃଷ୍ଟି କରିଛି ।