ପୂଜାରେ ଗରମ ହୋଇଥାନ୍ତା ବାବୁଙ୍କ ପକେଟ୍ । ସବୁ ସାରି ଦେଲା ଭିଜିଲାନ୍ସ, ରାଜ୍ୟ ସରକାରଙ୍କ ୩ ବଡ଼ ଅଧିକାରୀ ଗିରଫ ।

165

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ରାଜ୍ୟ ସରକାରଙ୍କ ତିନି ପ୍ରଥମ ଶ୍ରେଣୀ କର୍ମଚାରୀ । ପୂଜା ପୂର୍ବରୁ ଦଶହରା ଭେଟି ଧରି ଘରକୁ ଫେରୁଥିଲେ ସରକାରୀ ବାବୁ । ହେଲେ ଭିଜିଲାନ୍ସ ଜାଲରେ ପଡି ବନ୍ଧା ହୋଇଛନ୍ତି । ଗିରଫ ତିନି ଅଧିକାରୀଙ୍କ ପାଖରୁ ମୋଟ୍ ୨୨ ଲକ୍ଷ ୬୧ ହଜାର ୭୨୦ ଟଙ୍କା ଜବତ ହୋଇଛି ।

ରାଉରକେଲା ପାନପୋଷ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରକାଶ କୁମାର ମହାପାତ୍ର । ରାଜ୍ୟ ପ୍ରଦୂଷଣ ବୋର୍ଡର ବାଲେଶ୍ୱର ଆଂଚଳିକ ଅଧିକାରୀ ନରୋତମ ବେହେରା । ଏବଂ କେନ୍ଦୁଝର ଶାଳପଡା ବୈତରଣୀ ଡିଭିଜନ୍ ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ । ରାଜ୍ୟ ସରକାରଙ୍କ ଏହି ତିନି ଅଧିକାରୀ ଏବେ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି । ପୂଜାରେ ବାବୁଙ୍କ ପକେଟ ଗରମ ହୋଇଥାନ୍ତା । ହେଲେ ସବୁ ସାରି ଦେଲା ଭିଜିଲାନ୍ସ । ଭିଜିଲାନ୍ସ ଟିମର ଅତର୍କିତ ଚଢାଉ ବାବୁଙ୍କ ଅସଲ ଚେହେରା ସାମ୍ନାକୁ ଆଣିଛି । ତିନି ବାବୁଙ୍କ କାର ଏବଂ ବାସଭବନ ଉପରେ ଭିଜିଲାନ୍ସ ଟିମ୍ ଚଢାଉ କରି ବିଡା ବିଡା ଟଙ୍କା ଜବତ କରିଛି । ଜବତ ଟଙ୍କାର ମୂଲ୍ୟ ମୋଟ୍ ୨୨ ଲକ୍ଷ ୬୧ ହଜାର ୭୨୦ ଟଙ୍କା ରହିଛି ।

ଗିରଫ ତିନି ଅଧିକାରୀଙ୍କ ରାଜ୍ୟ ସରକାରଙ୍କ ପ୍ରଥମ ଶ୍ରେଣୀ କର୍ମଚାରୀ । ଦରମା ବି ବେଶ୍ ମୋଟା ଅଙ୍କର । ହେଲେ ଏହାପରେ ବି ଉପୁରି କମାଇବାକୁ ଯାଇ ଭିଜିଲାନ୍ସ ଜାଲରେ ପଡିଛନ୍ତି । ତେବେ ଏହା ତିନି ବାବୁଙ୍କର ପ୍ରଥମ କାରବାର ନୁହେଁ । ପୂର୍ବରୁ ଏପରି କରୁଥିବା ଭିଜିଲାନ୍ସ ଟିମ୍ ପୂର୍ବରୁ ସୂଚନା ପାଇଥିଲା । ଆଉ ଯାହାକୁ ଆଧାର କରି ଏଥର ଅତର୍କିତ ଚଢାଉ କରିଥିଲା ।

ରାଉରକେଲା ପାନପୋଷ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରକାଶ କୁମାର ମହାପାତ୍ର । ରାଉରକେଲାରୁ ଆସୁଥିବାବେଳେ ଭିଜିଲାନ୍ସ ହାତରେ ପଡିଛନ୍ତି । ତାଙ୍କ ଠାରୁ ୧ ଲକ୍ଷ ୭୫ ହଜାର ୮୧୦ ଟଙ୍କା ଜବତ ହୋଇଛି । ସେହିପରି ରାଜ୍ୟ ପ୍ରଦୂଷଣ ବୋର୍ଡର ବାଲେଶ୍ୱର ଆଂଚଳିକ ଅଧିକାରୀ ନରୋତମ ବେହେରା ବାଲେଶ୍ୱରରୁ ଏକ ଘରୋଇ ଗାଡିରେ ଭୁବନେଶ୍ୱର ଆସୁଥିଲେ । କଟକ ଟାଙ୍ଗୀ ଚେକ୍ ଗେଟ୍ ନିକଟରେ ଧରିଛି ଭିଜିଲାନ୍ସ । ତାଙ୍କ ନିକଟରୁ ୮୯ ହଜାର ୨୯୦ ଟଙ୍କା ମିଳିଛି । ଆଉ ଜଣେ ହେଉଛନ୍ତି କେନ୍ଦୁଝର ଶାଳପଡା ବୈତରଣୀ ଡିଭିଜନ୍ ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ । କେନ୍ଦୁଝରରୁ ଅଫିସ ବୋଲେରୋରେ ବାହାରି କଟକ ଆସୁଥିବାବେଳେ ଯାଜପୁର ଏନସି କଲେଜ ରୋଡରେ ଥିବା କୋଭିଡ ହସ୍ପିଟାଲ ସମ୍ମୁଖରେ ଭିଜିଲାନ୍ସ ତାଙ୍କୁ ଅଟକାଇଥିଲା । ଗାଡି ଯାଂଚ ବେଳେ ନଗଦ ୧୦ ଲକ୍ଷ ୭ ହଜାର ୨୬୦ ଟଙ୍କା ଜବତ କରାଯାଇଥିଲା । ପରେ ଇଂଜିନିୟରଙ୍କ କଟକ ମହତାବ ସ୍ଥିତ ଘରେ ରେଡ୍ କରି ନଗଦ ୬୪ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ ।