ଜନତାଙ୍କ ଟଙ୍କାରେ କୁବେର ସାଜୁଛନ୍ତି ସରକାରୀ ବାବୁ । ୬୦ ହଜାର ଦରମା, ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ଠୁଳ କରିଛନ୍ତି ୬ କୋଟି ଟଙ୍କା । ସେପଟେ ୩୦ ହଜାର ଟଙ୍କା ଦରମାରେ ୫୧ଟି ପ୍ଲଟ୍ କିଣିଛନ୍ତି କଲେଜ୍ ଅଧ୍ୟାପକ ।

467

କନକ ବ୍ୟୁରୋ : ଜନତାଙ୍କ ଟଙ୍କାରେ କୁବେର ସାଜିଛନ୍ତି ସରକାରୀ ବାବୁ । ଯେଉଁ ଦରମାରେ ପରିବାର ଚଳାଇ ଭଲ ଘର ଖଣ୍ଡେ କରିବା କଷ୍ଟକର ସେତିକିରେ କୋଟିକୋଟି ଟଙ୍କାର ମାଲିକ ହୋଇଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଅଧ୍ୟାପକ । ଭିଜିଲାନ୍ସ ଚଢ଼ାଉ ପରେ ସେମାନଙ୍କ ସମ୍ପତ୍ତି ଦେଖି ଟେରା ହୋଇଯାଇଛନ୍ତି ଅଧିକାରୀ । ହେଲେ, କେମିତି ଏତେ ଟଙ୍କାର ମାଲିକ ହେଲେ ତାର ସଠିକ ଉତ୍ତର ଦେଇପାରିନାହାନ୍ତି ଏହି ସରକାରୀ ବାବୁ ।

ଟିକିଏ ଭଲ ଭାବେ ଦେଖନ୍ତୁ ଏହି ଦୁଇ ବାବୁଙ୍କ ଚେହେରାକୁ । ଏମିତି ମୁହଁ ଦେଖିଲେ ଯେ କେହି କହିବ, ଅତ୍ୟନ୍ତ ଭଦ୍ରଲୋକ ଏବଂ କେବେ କାହାକୁ ଠକି ନଥିବେ । କିନ୍ତୁ ଏମାନଙ୍କ ସମ୍ପତି ଦେଖିଲେ ଆଖି ଟେରା ହୋଇଯିବ । ଜଣେ ହେଉଛନ୍ତି ଭୁବନେଶ୍ୱରର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ରନାଥ ପ୍ରଧାନ ଆଉ ଜଣେ ହେଉଛନ୍ତି ଗଜପତିର ଜଣେ କଲେଜ ଅଧ୍ୟାପକ ଜି ନାଗେଶ୍ୱର ରାଓ । ଆପଣ ବିଶ୍ୱାସ କରିପାରିବେ ନାହିଁ, ଇଞ୍ଜିନିୟର ରବୀନ୍ଦ୍ର ନାଥ ପ୍ରଧାନଙ୍କର ୪୮ଟି ଫ୍ଲାଟ୍ ରହିଛି । ଆଉ ଯେତେବେଳେ ତାଙ୍କ ସମ୍ପତିର ପ୍ରାଥମିକ ଆକଳନ ହେଲା, ଭିଜିଲାନ୍ସ ଅଧିକାରୀମାନେ ଚମକି ପଡିଲେ । ତାଙ୍କ ସମ୍ପତିର ମୂଲ୍ୟ ବାହାରିଲା ୬କୋଟି ୫୩ ଲକ୍ଷ ୮୬ ହଜାର ଟଙ୍କା । ଆଉ ଜଣେ ଭଦ୍ରଲୋକ ହେଉଛନ୍ତି ଜି ନାଗେଶ୍ୱର ରାଓ । ଏ ବାବୁ ୫୧ ପ୍ଲଟର ମାଲିକ । ସମ୍ପତିର ମୂଲ୍ୟ ହେବ ୨ କୋଟି ୮୩ ଲକ୍ଷ ଟଙ୍କା ।

ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନଙ୍କ ମୂଳ ଦରମା ହେବ ପ୍ରାୟ ୬୦ ହଜାର ଟଙ୍କା । ପରିବାର ଚଳାଇ, ସାଧାରଣ ଖର୍ଚ୍ଚ କଲେ ବି ଜଣେ ବ୍ୟକ୍ତି ଜୀବନ କାଳ ଭିତରେ ୨ରୁ ୩ଟି ଫ୍ଲାଟ୍ କିଣି ପାରିବ । କିନ୍ତୁ ବାବୁଙ୍କ ନିଜର ରହିଛି ୪୮ଟି ଫ୍ଲାଟ୍ । ଆଉ ଭିଜିଲାନ୍ସ ଅଧିକାରୀଙ୍କୁ ସେ ବୁଝାଇ ପାରୁନାହାନ୍ତି, ସାଢେ ୬ କୋଟି ଟଙ୍କାର ସମ୍ପତି ସେ ଠୁଳ କଲେ କେମିତି ?

ଏପଟେ ଅଧ୍ୟାପକ ଜି ନାଗେଶ୍ୱର ରାଓ ବି ବୁଝାଇ ପାରୁନାହାନ୍ତି, ମାସିକ ୩୦ ହଜାର ଟଙ୍କାର ଦରମାରେ ୫୧ଟି ପ୍ଲଟ୍ କିଣିଲେ କେମିତି ? ନାଗେଶ୍ୱର ରାଓ ଓ ରବୀନ୍ଦ୍ର ପ୍ରଧାନଙ୍କ ଭଳି ବ୍ୟକ୍ତି କେମିତି କୋଟି କୋଟି ଟଙ୍କାର ମାଲିକ ହୁଅନ୍ତି, ତାହା ସମସ୍ତେ ଅଳ୍ପେ ବହୁତ ଜାଣନ୍ତି । କିନ୍ତୁ ଅଧର୍ମରେ ଉପାର୍ଜିତ ସମ୍ପତି ଯେ, ସବୁ ଦିନ ଆପଣଙ୍କ ସହ ରହିବ ନାହିଁ, ତାହା ବୋଧହୁଏ ସେମାନେ ଭୁଲିଯାଇଥିଲେ ।