ଆଇଏଏସ୍ ଅଧିକାରୀ ବିଜୟ କେତନଙ୍କ ବ୍ୟାଙ୍କ ଆକାଉଂଟକୁ କେଉଁଠୁ ଆସିଲା ଏତେ ଟଙ୍କା । ୭୦ ଲକ୍ଷ ଟଙ୍କାର ନଗଦ କାରବାର ହୋଇଥିବା ଦର୍ଶାଇଲା ଭିଜିଲାନ୍ସ ।

370

କନକ ବ୍ୟୁରୋ : ଆଇଏଏସ ଅଧିକାରୀଙ୍କ ପାଖରେ କେଉଁଠୁ ଆସିଲା ନଗଦ ଟଙ୍କା । ଭିଜିଲାନ୍ସ ଜାଲରେ ଫଶିଥିବା ଆଇଏଏସ ଅଧିକାରୀ ବିଜୟ କେତନ ଉପାଧ୍ୟାୟଙ୍କ ବ୍ୟାଙ୍କ ଆକାଉଂଟକୁ ଗତ ୮ବର୍ଷରେ ଜମା ହୋଇଛି ୭୦ ଲକ୍ଷ ଟଙ୍କା । ୩ଟି ବ୍ୟାଙ୍କ ଆକାଉଂଟରେ ଜମା ହୋଇଥିବା ଏହି ଅର୍ଥରାଶି ତାଙ୍କୁ ସନ୍ଦେହ ଘେରକୁ ଟାଣି ଆଣିଛି ବୋଲି ଏକ ପ୍ରେସ ରିଲିଜରେ କହିଛି ଭିଜିଲାନ୍ସ । ଜଣେ ଆଇଏଏସ ଅଧିକାରୀଙ୍କ ପାଖରେ କୁଆଡୁ ଏତେ ସମ୍ପତି ଆସିଲା ସେନେଇ ପ୍ରମାଣ ଯୋଗାଡ କରିବାରେ ବ୍ୟସ୍ତ ଭିଜିଲାନ୍ସ ।

ଆଇଏଏସ ଅଧିକାରୀ ବିଜୟ କେତନ ଉପାଧ୍ୟାୟଙ୍କ ବ୍ୟାଙ୍କ ଆକାଉଂଟରେ କିପରି ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ୍ ହୋଇଛି । ତା’ର ତଥ୍ୟ ପ୍ରକାଶ କରିଛି ଭିଜିଲାନ୍ସ । ୨୦୧୨ରୁ ୨୦୧୯, ଏହି ୮ ବର୍ଷରେ ୩ଟି ବ୍ୟାଙ୍କ ଆକାଉଂଟରେ ଡିପୋଜିଟ୍ ହୋଇଛି ୭୦ ଲକ୍ଷ ଟଙ୍କା । ତାହା ପୁଣି କାଉଂଟରରେ ନଗଦ ଜମା ଆକାରରେ କିମ୍ବା ନଗଦ ଜମା ହୋଇପାରୁଥିବା ମେସିନ୍ ମାଧ୍ୟମରେ ।

ଏ ହେଉଛି ଭିଜିଲାନ୍ସ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ପ୍ରେସ୍ ରିଲିଜ୍ । ଲାଂଚ ନେବା ଅଭିଯୋଗରେ ଗିରଫ ହୋଇଥିବା ଆଇଏଏସ ଅଧିକାରୀ କିପରି ବିପୁଳ ସଂପତିର ଅଧିକାରୀ ହୋଇଛନ୍ତି, ତାକୁ ପ୍ରମାଣ କରିବା ପାଇଁ ଲାଗିପଡ଼ିଛି ଭିଜିଲାନ୍ସ । ଭିଜିଲାନ୍ସ ଏହି ପ୍ରେସ ରିଲିଜରେ କହିଛି, ବିଜୟ କେତନଙ୍କ ବ୍ୟାଙ୍କ ଆକାଉଂଟରେ ୭୦ ଲକ୍ଷ ଟଙ୍କା ନଗଦ ଆକାରରେ ଜମା ହୋଇଛି । ଏତେ ପରିମାଣର ନଗଦ ଜମା, ଗିରଫ ଆଇଏଏସ୍ ଅଧିକାରୀଙ୍କୁ ସଂଦେହ ଘେରକୁ ଆଣିଥିବା ଭିଜିଲାନ୍ସ କହିଛି ।

ବିଜୟ କେତନଙ୍କ ବ୍ୟାଙ୍କରେ ହୋଇଥିବା ୭୦ ଲକ୍ଷ ଟଙ୍କା ଜମା ମଧ୍ୟରୁ ୨୨ ଲକ୍ଷ ଟଙ୍କା ଜମା ହୋଇଛି, ସେ ଯେତେବେଳେ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିଲେ । ପ୍ରଧାନମନ୍ତ୍ରୀ କୃଷି ସିଂଚନ ଯୋଜନାରେ ଲାଂଚ କାରବାର କରୁଥିବା ନେଇ ବିଜୟକେତନଙ୍କ ବିରୋଧରେ ଯେଉଁ ଅଭିଯୋଗ ରହିଛି, ସେହି ଆଡକୁ ଇଂଗିତ କରୁଛି ଭିଜିଲାନ୍ସ । କେବଳ ସେତିକି ନୁହେଁ, ଭିଜିଲାନ୍ସ କହିଛି, ଗୋଟିଏ ଦିନରେ ଅନେକ ଥର ଟଙ୍କା ଜମା କରାଯାଇଛି ତାଙ୍କ ବ୍ୟାଙ୍କ ଆକାଉଂଟରେ ।

ଏବେ ପ୍ରଶ୍ନ ଉଠୁଛି, ଜଣେ ଆଇଏଏସ୍ ଅଫିସରଙ୍କ ବ୍ୟାଙ୍କ ଆକାଉଂଟରେ ୭୦ ଲକ୍ଷ ଟଙ୍କା ନଗଦ କାରବାର, ତାଙ୍କ ବିରୋଧରେ ଥିବା ଅଭିଯୋଗକୁ ପ୍ରମାଣ କରିବାକୁ ଯଥେଷ୍ଟ ତ ! ଆଉ ମଧ୍ୟ ପ୍ରଶ୍ନ ଉଠୁଛି, ଯେଉଁ ତଥ୍ୟ କୋର୍ଟରେ ଦାଖଲ କରିବା କଥା, ତାକୁ ପ୍ରେସ ରିଲିଜ ମାଧ୍ୟମରେ ଜଣାଇବା ପଛରେ କ’ଣ ରହିଛି ଭିଜିଲାନ୍ସର ଉଦ୍ଦେଶ୍ୟ ?

ଲକ୍ଷେ ଟଙ୍କା ଲାଂଚ ନେବା ଅଭିଯୋଗରେ ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଲାଂଚ କାରବାରରେ ସହଯୋଗ କରୁଥିବା ୟେସ୍ ବ୍ୟାଙ୍କର ଭାଇସ୍ ପ୍ରେସିଡେଂଟ ସନ୍ତୋଷ ପଟ୍ଟନାୟକ ମଧ୍ୟ ଗିରଫ ହୋଇଥିଲେ । ସନ୍ତୋଷଙ୍କ ବ୍ୟାଙ୍ଗ ଆକାଉଂଟରେ ମଧ୍ୟ ଗତ ୫ ମାସ ମଧ୍ୟରେ ନଗଦ ୭ ଲକ୍ଷ ଟଙ୍କା ଜମା ହୋଇଥିବା ଜାଣିବାକୁ ପାଇଛି ଭିଜିଲାନ୍ସ । ଉଭୟଙ୍କ ଅନ୍ୟ ସମସ୍ତ ବ୍ୟାଙ୍କ ଆକାଉଂଟ ଓ କ୍ରେଡିଟ୍ କାର୍ଡ ନେଣଦେଣକୁ ଛାନଭିନ୍ କରୁଛି ଭିଜିଲାନ୍ସ ।