କନକ ବ୍ୟୁରୋ: ଆକ୍ସନ ମୋଡରେ ଭିଜିଲାନ୍ସ। ଦୁର୍ନୀତିଖୋରଙ୍କୁ ଜେଲରେ ଭର୍ତ୍ତି କରିବାକୁ ଆରମ୍ଭ ହୋଇଛି କସରତ। ୧୦୦ଜଣଙ୍କ ତାଲିକା ତିଆରି କରି ଦୁର୍ନୀତିର ପେଡ଼ି ଖୋଲିବା ଆରମ୍ଭ ହୋଇଛି। ଦୀର୍ଘଦିନ ଧରି ଗାଦି ମାଡ଼ି ବସିଥିବା ଅଫିସରଙ୍କ ଘରେ ପଶି ସେମାନଙ୍କ ଅସଲ ଚେହେରା ଲୋକଲୋଚନକୁ ଅଣାଯାଉଛି। କେଉଁ ଅଫିସର, କେବେଠୁ ପିସି କାରବାରରେ ସଂପୃକ୍ତ ରହି ମାଲାମାଲ ହୋଇଛନ୍ତି, ସେମାନଙ୍କ ଫାଇଲ ଖୋଜା ଚାଲିଛି।

  • ଆକ୍ସନ ମୋଡରେ ଭିଜିଲାନ୍ସ
  • ୧୦୦ ଦୁର୍ନୀତିଖୋର ସରକାରୀ ବାବୁଙ୍କ ତାଲିକା ପ୍ରସ୍ତୁତ!

ଜଣାପଡ଼ିଛି ବର୍ଷ ବର୍ଷ ଧରି ସରକାରୀ ବାବୁ ଟଙ୍କା ଲୁଟି ଦୁର୍ନୀତିର ପାହାଡ଼ ଉପରେ ବସିଛନ୍ତି। ସରକାରଙ୍କଠାରୁ ମୋଟା ଦରମା ପାଇ ମଧ୍ୟ ଲୋକଙ୍କୁ ଲୁଟିଚାଲିଛନ୍ତି। ଟଙ୍କା ଫୋପାଡ଼ି ପ୍ରମୋସନ ପାଉଛନ୍ତି। ଏହିଭଳି ଅମାପ ସମ୍ପତ୍ତିର ଅଧିକାରୀ ହୋଇଥିବା କୁବେରମାନଙ୍କୁ ଖୁବଶୀଘ୍ର ସାବାଡ଼ କରାଯିବ।

  • ବିଜେପି ଜାଲରେ ବିଜେଡି ମାଛ!
  • ଲାଞ୍ଚୁଆ ଅଫିସରଙ୍କ ଛାତି ଧଡ଼ଧଡ଼

ସାମ୍ବାଦିକ ସମ୍ମିଳନୀ କରି ବିଜେପି କହିଛି, ବିଜେଡି ସରକାରଙ୍କ ଗେହ୍ଲା ପୁଅଙ୍କୁ ଜେଲ ପଠାଯିବ। ନବୀନଙ୍କ ନେତୃତ୍ୱରେ ଏକ କରପସନ୍ କ୍ଲବ ଚାଲିଥିଲା। ୨୪ ବର୍ଷର ସରକାର ଦୁର୍ନୀତି କରିବାର ସବୁ ସୀମା ଲଂଘିଥିଲା। 5-ଟି ଅଧୀନରେ ହୋଇଥିବା ପ୍ରକଳ୍ପରେ କୋଟି କୋଟି ଟଙ୍କାର ଲୁଟ ହୋଇଛି। ଏପରିକି ତତ୍କାଳୀନ ସରକାରରେ ମନ୍ତ୍ରୀ ଓ ଅସାଧୁ ଅଫିସରମାନେ ବିଭିନ୍ନ ସରକାରୀ ଅଧିକାରୀଙ୍କ ଦ୍ୱାରା ବ୍ୟାପକ ଲୁଟ୍ କରିଥିଲେ। ଯାହାର ପ୍ରମାଣ ଆଜି ଓଡ଼ିଶା ଲୋକଙ୍କ ସାମ୍ନାକୁ ଆସିଥିବା କହିଛି ବିଜେପି। ଅନ୍ୟପଟେ ଏ ସମ୍ପର୍କରେ ବିଜେଡି କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛି।

ସୂଚନାଯୋଗ୍ୟ ଯେ, ଗୋଟିଏ ପଟେ ଲାଞ୍ଚୁଆ ସରକାରୀ ବାବୁଙ୍କ ଦୁର୍ନୀତିର ପେଡ଼ି ଧୀରେ ଧୀରେ ଖୋଲୁଥିବା ବେଳେ ଏପଟେ ରାଜନୈତିକ ବୟାନବାଜି ରାଜ୍ୟ ରାଜନୀତିକୁ ସରଗରମ କରିଛି।