କେଉଁଠି କେତେ ସମ୍ପତ୍ତି ରଖିଥିଲେ ସରକାରୀ ବାବୁ ? ଆଇଏଫଏସ୍ ଅଭୟ ପାଠକଙ୍କ ଅମାପ ସମ୍ପତ୍ତିର ତଥ୍ୟ ଦେଲା ଭିଜିଲାନ୍ସ ।

722

କନକ ବ୍ୟୁରୋ : ଭିଜିଲାନ୍ସର ଚଢାଉ ସମୟରେ ବାବୁ ଅଭୟକାନ୍ତ ପାଠକଙ୍କ ଠାରୁ ଯେଉଁ ସମ୍ପତି ଜବତ ହୋଇଛି, ତାର ତାଲିକା ବେଶ ଲମ୍ବା ରହିଛି । ଭୁବନେଶ୍ୱର, ମୁମ୍ବାଇ, ପୁନେ, ଉଦୟପୁରରେ ଏହି ଚଢାଉ ସମୟରେ ଘରୁ ମିଳିଛି ପ୍ରାୟ ୬୦ଲକ୍ଷ ଟଙ୍କା କ୍ୟାସ । ୮୦୦ଗ୍ରାମର ସୁନା ଅଳଙ୍କାର ମିଳିବା ସହିତ ୨୩ ଲକ୍ଷ ଟଙ୍କାର ସୁନାଗହଣା କିଣାଯାଇଥିବାର କାଗଜପତ୍ର ଜବତ ହୋଇଛି ।

ବଡ କଥା ହେଉଛି, ଅଭୟକାନ୍ତଙ୍କ ପୁଅ ଆକାଶଙ୍କ ଆକାଉଂଟରେ ୯.୪ କୋଟି ଟଙ୍କା ଜମା ହୋଇଛି । ଏହି ଟଙ୍କା ମଧ୍ୟରୁ କେବଳ ଭୁବନେଶ୍ୱରରେ ଜମା ହୋଇଛି ୮.୪ କୋଟି ଟଙ୍କା । ଅଧିକାଂଶ ଟଙ୍କା ଭୁବନେଶ୍ୱରର ସହିଦ ନଗର ଏବଂ ନୟାପଲ୍ଲୀରେ ଥିବା ଏଟିଏମ ମାଧ୍ୟମର ଜମାହୋଇଛି । ପୁଅ ଆକାଶ ନାଁରେ ରହିଛି ୩ଟି ଦାମି ଗାଡି । ମର୍ସିଡିଜ, ବିଏମଡବ୍ଲୁ, ଟାଟା ହାରିୟର । ସେହିପରି ୩ଟି ୟାମାହା ଏଫଜେଡଏସ ମୋଟରସାଇକେଲ ମଧ୍ୟ ଆକାଶ ନାଁରେ ରହିଛି । ଏହା ଛଡା ଦାମି ଗାଡି ମଧ୍ୟ ଭଡାରେ ନେଉଥିଲେ ଆକାଶ ।

ପୁନେରେ ଚଢାଉ ସମୟରେ ୨ଟି ମର୍ସିଡିଜ ସମେତ ୩ଟି ଗାଡି ଭଡାରେ ନେଇଥିବା ମଧ୍ୟ ଜଣାପଡିଥିଲା । ଗାଡି ଭଡା ବାବଦକୁ ଖର୍ଚ୍ଚ ହୋଇଛି ୨୫ ଲକ୍ଷ ଟଙ୍କା । ସେହିପରି ଫ୍ଲାଟ ଓ ଘର ଭଡା ବାବଦକୁ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମୁମ୍ବାଇର ତାଜ ମହଲ ପ୍ୟାଲେସ ହୋଟେଲରେ ହୋଟେଲ ବିଲ୍ ହୋଇଛି ୯୦ ଲକ୍ଷ ଟଙ୍କା । ସେହିପରି ରାଜସ୍ଥାନ ଉଦୟପୁର ତାଜ ଲେକ ପ୍ୟାଲେସରେ ଆଡଭାନ୍ସ ବାବଦକୁ ଦିଆହୋଇଛି ୨୦ଲକ୍ଷ ଟଙ୍କା । ଚାଟାର୍ଡ ଫ୍ଲାଇଟରେ ଭ୍ରମଣରେ ଖର୍ଚ୍ଚ ହୋଇଛି ୩ କୋଟି ଟଙ୍କା । ମାଲେସିଆ, ହଂକଂ, ୟୁନାଇଟେଡ କିଙ୍ଗଡମ, ୟୁନାଇଟେଡ ଆରବ ଏମିରେଟସ, ମାସଡିଭସକୁ ଭ୍ରମଣ କରିଥିବା ଜଣାପଡିଛି । ପୁନେ, ଭୁବନେଶ୍ୱର, ପାଟନା, ଜୁହୁ, ମୁମ୍ବାଇ, ଜାମସେଦପୁର ଏବଂ ଦିଲ୍ଲୀକୁ ମଧ୍ୟ ଚାଟାର୍ଡ ଫ୍ଲାଇଟରେ ଭ୍ରମଣ କରିଥିବା ଜଣାପଡିଛି ।