ଫଶାଇବା ପାଇଁ ବସା ଯାଇଥିଲା ଫାଶ । ମାନବାଧିକାର କମିଶନ ଖୋଲିଲେ ଗୁମର, ୨୦୧୭ରେ ଜେଇଙ୍କ ଅଫିସରେ ହୋଇଥିଲା ମିଛ ଭିଜଲାନ୍ସ ରେଡ ।

1,173

କନକ ବ୍ୟୁରୋ : ଜଣେ ଜେଇଙ୍କୁ ଲାଞ୍ଚ ନେବା ଅବସ୍ଥାରେ ଧରିଥିଲେ ଭିଜିଲାନ୍ସ ଡିଏସପି ହିମାଂଶୁ ଶେଖର ମିଶ୍ର । କିନ୍ତୁ ଏହା ପଛର ଷଡଯନ୍ତ୍ର ଏବେ ପଦାକୁ ଆସିଛି । ଏବେ ଅବସର ନେଇସାରିଥିବା ହିମାଂଶୁଙ୍କୁ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ । ଜେଇଙ୍କୁ ମିଛଟାରେ ଫଶାଇଥିବା କଥା ଜଣାପଡିବା ପରେ ଭିଜିଲାନ୍ସ ଡିଏସପିଙ୍କ କଳାକାରନାମାର ପର୍ଦ୍ଦାଫାଶ ହୋଇଛି ।

୨୪ ମାର୍ଚ୍ଚ ୨୦୧୭ । ଜେଇଙ୍କ ଅଫିସରେ ଭିଜଲାନ୍ସ ଚଢାଉ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଜେଇ ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କ ଅଫିସରେ ହୋଇଥିଲା ଭିଜଲାନ୍ସ ରେଡ । ସେତେବେଳେ ହିମାଂଶୁ ଶେଖର ମିଶ୍ର ଥିଲେ ଢେଙ୍କାନାଳର ଭିଜିଲାନ୍ସ ଡିଏସପି । କାମାକ୍ଷାନଗରର ଜେଇ ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କ ଲାଂଚ ନେବା ବେଳେ ଧରିଥିବା ନେଇ ଦାବି କରିଥିଲେ ହିମାଂଶୁ । କହିଥିଲେ ୨୫ହଜାର ଟଙ୍କା ଲାଂଚ ନେବା ବେଳେ ଧରାପଡିଛନ୍ତି ଜେଇ ।

ମିଛ ରେଡ କରି ଫସିଲେ ହିମାଂଶୁ  । ସାମନାକୁ ଆସିଲା ଷଡଯନ୍ତ୍ରର ସତ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି , ଦୁର୍ନୀତି ରୋକିବାର ଦାୟିତ୍ୱ ନେଇଥିବା ଅଧିକାରୀ ସବୁ ନିୟମ କାନୁନକୁ ଫୁ କରି ଜଣେ ସରକାରୀ ଅଧିକାରୀଙ୍କୁ ମିଛ ମାମଲାରେ ଫଶାଇ ଦେଇଥିଲେ । ସେହି ରିପୋର୍ଟ ଏବେ ସାମନାକୁ ଆସିଛି । ସିସିଟିଭି ଭିଜୁଆଲ ଓ ଭିଜିଲାନ୍ସ ଡିଆଇଜିଙ୍କ ତଦନ୍ତରୁ ଭିଜିଲାନ୍ସର ଅବସରପ୍ରାପ୍ତ ଡିଏସପି ହିମାଂଶୁ ଶେଖର ମିଶ୍ରଙ୍କ କଳାକାରନାମା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କ ସହ ମିଶି ହିମାଂଶୁ ଶେଖର ମିଶ୍ର ମିଛ ମାମଲାରେ ଜେଇଙ୍କୁ ଫଶାଇ ଦେଇଥିବା ଜଣାପଡିଛି ।

ଏବେ ପ୍ରଶ୍ନ ଉଠୁଛି କିପରି ହୋଇଥିଲା ଏହି ଷଡଯନ୍ତ୍ର  । କାହିଁକି ଜେଇଙ୍କୁ ଫଶାଇବାକୁ ଚେଷ୍ଟା କରିଥିଲେ ହିମାଂଶୁ । ସୁପରିକଳ୍ପିତ ଯୋଜନା କରି ରେଡ କରିଥିଲେ କି ହିମାଂଶୁ ? ଷଡଯନ୍ତ୍ରର ସତ ହେଲା, ଯେତେବେଳେ ଭିଜିଲାନ୍ସ ଟିମ ଜେଇଙ୍କ ଅଫିସରେ ରେଡ କରିଥିଲେ ସେତେବେଳେ ତାଙ୍କୁ କିଛି ମିଳିନଥିଲା । ଖାଲି ହାତରେ ଭିଜିଲାନ୍ସ ଡିଏସପି ନିଜ ଟିମ ସହ ଫେରି ଯାଉଥିବାର ଚିତ୍ର ସିସିଟିଭିରେ ରେକର୍ଡ ହୋଇଛି ।  ଅଭିଯୋଗ ହୋଇଥିଲା ଭିଜିଲାନ୍ସ ଟିମ ଫେରିଯିବା ପରେ ପୁଣି ଦୁଇ ଜଣ ତଳିଆ କର୍ମଚାରୀ ଆସି ଜୋରଜବରଦସ୍ତ ଜେଇଙ୍କ ଡ୍ରରେ ଟଙ୍କା ରଖିଥିଲେ ।

ଏହି କାମରେ ଭିଜିଲାନ୍ସ ଡିଏସପିଙ୍କ ସହଯୋଗ କରିଥିଲେ ଠିକାଦାର ସୁରେଶ ନାୟକ । ଇଏ ହେଉଛନ୍ତି ସେହି ଠିକାଦାର ଯିଏ ଭିଜିଲାନ୍ସ ଅଧିକାରୀଙ୍କ ଉପସ୍ଥିତିରେ ଜେଇଙ୍କୁ ଧମକାଉଥିବା ସିସିଟିଭି ଭିଜୁଆଲରୁ ସ୍ପଷ୍ଟ ହୋଇଥିଲା । ତକ୍ରାଳିନ ଭିଜିଲାନ୍ସ ଡିଏସପି ହିମାଂଶୁ ଶେଖର ମିଶ୍ର  ଅପରାଧୀ ଓ ଠିକାଦାରଙ୍କ ଏଜେଂଟ ଭଳି କାମ କରୁଥିବା ଅଭିଯୋଗ ହୋଇଥିଲା । ଏପରି ଷଡଯନ୍ତ୍ର ହୋଇଥିବା ନେଇ ଜଣାପଡିବା ପରେ ଏବେ ହିମାଂଶୁ ଶେଖର ମିଶ୍ରଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ ।