ମିଳିଲା ବେଲ୍, ହେଲେ ବାହାରିପାରିବେନି ଜେଲରୁ । ବହୁଚର୍ଚ୍ଚିତ ପାଠକ ବାପା ପୁଅଙ୍କୁ ମିଳିଲା ଜାମିନ୍, ବେଲ୍ ଦେଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ।

243

କନକ ବ୍ୟୁରୋ : ବହୁଚର୍ଚ୍ଚିତ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ପାଠକ ବାପା-ପୁଅଙ୍କୁ ଜାମିନ୍ ମିଳିଛି । ଆଇଏଫଏସ ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କୁ ଜାମିନ୍ ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଏବଂ ୨ ଜଣ ଜାମିନଦାରଙ୍କ ବଳରେ ଉଭୟ ପାଠକ ବାପା ପୁଅଙ୍କୁ ଜାମିନ ମିଳିଥିଲେ ବି ଏବେ ସେମାନେ ଜେଲରୁ ମୁକୁଳିପାରିବେ ନାହିଁ । କାରଣ ସେମାନଙ୍କ ନାଁରେ ମାମଲା ରୁଜୁ କରିଛି କ୍ରାଇମବ୍ରାଂଚ ଏବଂ କମିଶନରେଟ ପୁଲିସ । ଏହାରି ଭିତରେ ଭିଜିଲାନ୍ସର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି । ବାପା-ପୁଅଙ୍କ ନାଁରେ ଭିଜିଲାନ୍ସ ପ୍ରତ୍ୟେକ ଦିନ ନୂଆନୂଆ ଚାଞ୍ଚଲ୍ୟକର ତଥ୍ୟ ଦେଉଥିବା ବେଳେ, ଗିରଫର ୬୦ ଦିନ ପର୍ଯ୍ୟନ୍ତ କାହିଁକି ଚାର୍ଜସିଟ୍ ଦେଇ ପାରିଲା ନାହିଁ ତାହା ଜଣାପଡୁନାହିଁ ।

ଅଭୟକାନ୍ତ ପାଠକ, ଆକାଶ ପାଠକଙ୍କୁ ଜାମିନ୍ । ବେଲ୍ ଦେଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ରାଜ୍ୟ ଭିଜିଲାନ୍ସ ଇତିହାସରେ ସବୁଠାରୁ ବଡ ରେଡ୍ କୁହାଯାଉଥିବା ପ୍ରସଙ୍ଗରେ ଭିଜିଲାନ୍ସର ବିଫଳତା ସ୍ପଷ୍ଟ ବାରି ହୋଇଗଲା, ଯେତେବେଳେ ଚଢାଉର ୬୦ ଦିନ ପରେ ବି ମାମଲାରେ ଚାର୍ଜସିଟ୍ ଫାଇଲ କରିବାକୁ ବିଭାଗ ବିଫଳ ହେଲା, ଏବଂ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ଗୁରୁତ୍ୱପୁର୍ଣ୍ଣ କଥା ହେଉଛି, ଚଢାଉର ପାଖାପାଖି ସପ୍ତାହେ ଯାଏଁ ଭିଜିଲାନ୍ସ ପ୍ରେସ ରିଲିଜ ଜାରି କରି କହୁଥିଲା, ଉଭୟ ପାଠକ ବାପା ପୁଅଙ୍କ ଆକଉଣ୍ଟରୁ କେତେ ଟଙ୍କା ଜବତ୍ ହୋଇଛି ଆଉ ଉଭୟଙ୍କ ନିକଟରେ ଥିବା ଦାମୀ ଗାଡି ଆଉ ସମ୍ପତିର ତାଲିକା ଦେଉଥିଲା ଭିଜିଲାନ୍ସ ।

ପ୍ରଶ୍ନ ଉଠୁଛି, ଗଣମାଧ୍ୟମକୁ ଯେଉଁ ତଥ୍ୟ ଭିଜିଲାନ୍ସ ଦେଉଥିଲା ତାହା ସତ ଉପରେ ଆଧାରିତ ଥିଲା ନା ନାହିଁ ? କାରଣ ଯଦି ପ୍ରେସ ରିଲିଜ ଜରିଆରେ ଚଢାଉ ପରେ ଠାବ ହେଉଥିବା ସଂପତ୍ତିର ତାଲିକା ମିଡିଆକୁ ଆସୁଥିଲା ତାକୁ ୬୦ ଦିନ ଭିତରେ ଚାର୍ଜସିଟ୍ ଆକାରରେ କାହିଁକି କୋର୍ଟରେ ଦାଖଲ କରିପାରିଲାନି ଭିଜିଲାନ୍ସ ?

୨ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକା ଏବଂ ଦୁଇ ଜଣ ଜାମିନଦାରଙ୍କ ବଳରେ ଯଦିଓ ଉଭୟ ପାଠକ ବାପା ପୁଅଙ୍କୁ ଜାମିନ ମିଳିଛି, ହେଲେ ସେମାନେ ଜେଲରୁ ଏବେ ମୁକୁଳିପାରିବେ ନାହିଁ । କାରଣ ଉଭୟଙ୍କ ନାଁରେ କ୍ରାଇମବ୍ରାଂଚ ଏବଂ କମିଶନରେଟ ପୁଲିସ ମାମଲା ରୁଜ୍ଜୁ କରିଛି । ଯାହା ଏବେ ମଧ୍ୟ ବିଚାରାଧୀନ ରହିଛି । ହେଲେ ଏହି ପୂରା ଘଟଣା କିନ୍ତୁ ଭିଜିଲାନ୍ସ ଦକ୍ଷତା ଏବଂ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି ।

ରାଜ୍ୟ ତଥା ରାଜ୍ୟ ବାହାରେ ଭିଜିଲାନ୍ସ ରେଡ୍ କରିଥିଲା । ୧୫୦ ଜଣିଆ ଟିମ୍ ମଧ୍ୟ ଗଠନ କରିଥିଲା । କେଉଁଠି ଫାର୍ମ ହାଉସ ଅଛି, କେଉଁଠି କେତେ ସଂପତି ଅଛି, କେତେ ଥର ଚାର୍ଟାର୍ଡ ଫ୍ଲାଇଟରେ ଉଭୟେ ଉଡିଥିଲେ ସେସବୁ ତଥ୍ୟକୁ ନେଇ ଘଂଟାଚକଟା ହୋଇଥିଲା ।

ତେବେ ଶେଷରେ ଭିଜିଲାନ୍ସ ପ୍ରେସ ରିଲିଜ ଜରିଆରେ ଉପସ୍ଥାପନ କରୁଥିବା ସମସ୍ତ ତଥ୍ୟରେ ପ୍ରମାଣ ହାସଲ କରିବାରେ ବିଫଳ ହେଲା କି, ଯେଉଁଥିପାଇଁ ଚାର୍ଜସିଟ୍ ଦାଖଲ କରିପାରିଲାନି ସଂସ୍ଥା ଆଉ ଉଭୟଙ୍କୁ ବେଲ୍ ମିଳିଗଲା । ପାଠକ ବାପା ପୁଅ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ବିବାଦୀୟ ହୋଇଥିଲେ । ଲୋକଙ୍କୁ ଠକିବା ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି । ହେଲେ ଭିଜିଲାନ୍ସ ଏହି ବିଫଳତା ନେଇ ମୁହଁ ଖୋଲିନାହିଁ ।