କନକ ବ୍ୟୁରୋ : ଆୟବର୍ହିଭୂତ ସମ୍ପତି ଠୁଳ ମାମଲାରେ ଗିରଫ ହୋଇଥିବା କୋଟିପତି ପିଏସ ବିରଞ୍ଚି ସାହୁଙ୍କ ବ୍ୟାଙ୍କ ଆକାଉଂଟର ଛାନଭିନ ଚାଲିଛି । ବରିଷ୍ଠ ଅଧିକାରୀ ମାନେ ପିଏସଙ୍କୁ ଜୋରଦାର ଜେରା କରୁଛନ୍ତି । ଛାନଭିନ ବେଳେ ପଦାକୁ ଆସିଲା ଟଙ୍କା ଡିପୋଜିଟର ସ୍ଲିପ । ପିଏସଙ୍କ ବ୍ୟାଙ୍କ ଖାତାରେ ଥରେ ୫ଲକ୍ଷ ଟଙ୍କା ଓ ଆଉ ଥରେ ୪ଲକ୍ଷ ଟଙ୍କା ଡିପୋଜିଟ ହୋଇଥିବା ସ୍ଲିପରୁ ଜଣାପଡିଛି । କୋଟିପତି ପିଏସଙ୍କ ୫ଟି ଆକାଉଂଟକୁ ନେଇ ଛାନଭିନ ଚାଲିଛି ।

Advertisment

ପିଏସଙ୍କ ଘରୁ ଓ ସମ୍ପର୍କୀୟଙ୍କ ଘରୁ ଜବତ ହୋଇଥିବା ପୁଳାପୁଳା ଟଙ୍କା, ସୁନା, ଜମି ଓ ବ୍ୟାଙ୍କ ଆକାଉଂଟରେ ଥିବା ଜମା ରାଶିର ହିସାବ ଚାଲିଛି । ଗତକାଲି ଠାରୁ ଏହି ହିସାବ ଚାଲିଥିବା ବେଳେ ଆଜି ଯାଏଁ ସରିନାହିଁ । ଆଜି ତାଙ୍କୁ କୋର୍ଟରେ ହାଜର କରିବ ଭିଜିଲାନ୍ସ । ସେପଟେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ ବିରଞ୍ଚି ନାରାୟଣ ସାହୁଙ୍କ ପଛରେ କିଏ ରହିଛି ବଡ଼ ମୁଣ୍ଡ । ଅଭିଯୁକ୍ତ ପିଏସଙ୍କ ଘରୁ ଭିଜିଲାନ୍ସ ବିଭାଗ ଜବତ କରିଛି, ଆଡମିଟ କାର୍ଡ ଓ ଅନ୍ୟ କାଗଜ ପତ୍ର । ଓଏସଏସସି ଏକଜାମର ଆଡମିଟ କାର୍ଡ ବ୍ୟକ୍ତିଗତ ସଚିବଙ୍କ ଘରୁ ଜବତ ହେବା ନିଯୁକ୍ତି ଜାଲିଆତି ଆଡକୁ ସ୍ପଷ୍ଟ ଇଙ୍ଗିତ କରୁଛି ।

ଏବେ ପ୍ରଶ୍ନ ଉଠୁଛି ଯେ, ଚାକିରୀ ପ୍ରତିଶ୍ରୁତି ଦେଇ ପିଏସ ବିରଞ୍ଚି ଏକୁଟିଆ ଟଙ୍କା ଆଦାୟ କରିଛନ୍ତି ନାଁ ଆଉ କିଏ ବଡ଼ ଅଧିକାରୀ ତାଙ୍କ ପଛରେ ରହିଛନ୍ତି, ସେ ନେଇ ତଦନ୍ତ କରିବ କି ଭିଜିଲାନ୍ସ । କୁବେର ଭଳି ତାଙ୍କ ସମ୍ପତିର ଅନ୍ୟ କିଛି ବେଆଇନ ଉତ୍ସ ରହିଛି କି ? ଏମିତି ବିଭିନ୍ନ ଦିଗକୁ ଆଧାର କରି ତଦନ୍ତ ଜାରି ରହିଛି ।