କନକ ବ୍ୟୁରୋ : ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ର ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତ୍ରିନାଥଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏନେଇ ପ୍ରେସ ରିଲିଜ ଜରିଆରେ ସୂଚନା ମିଳିଛି । ଦୀର୍ଘ ଗୋଟିଏ ଦିନ ଧରି ଭିଜିଲାନ୍ସ ତ୍ରିନାଥଙ୍କ ଘରେ ଚଢାଉ କରିବା ପରେ ୧୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ତେବେ ଏନେଇ ଭିଜିଲାନ୍ସ ଏସପି ପ୍ରେସମିଟରେ ସମସ୍ତ ସୂଚନା ଦେବେ । ତ୍ରିନାଥ ମିଶ୍ରଙ୍କ ରସୁଲଗଡ ମନୋରମା ଇଷ୍ଟେଟରୁ ଜବତ ହୋଇଥିବା ଟଙ୍କା, କାଗଜପତ୍ରକୁ ନିଜ ହେପାଜତକୁ ନେଇଛି ଭିଜିଲାନ୍ସ ।
ତ୍ରିନାଥ ମିଶ୍ର । ପୋଲିସର ଚାକିରୀ କରୁଥିଲେ କିନ୍ତୁ ଚୋର ଭଳି କାମ କରି କୋଟି କୋଟି ଟଙ୍କାର ସମ୍ପତି ଠୁଳ କରିଥିଲେ । ସରକାରୀ ଚାକିରୀଆ ହୋଇଥିଲେ ବି ସେଲିବ୍ରିଟିଙ୍କ ଭଳି ଅୟସ ଆରାମରେ ଜୀବନ କାଟୁଥେଲେ । ଭିଜିଲାନ୍ସ ଚଢ଼ାଉବେଳେ ସାମନାକୁ ଆସିଛି ତ୍ରିନାଥଙ୍କ ଆଖି ଝଲସିଲା ଭଳି ସମ୍ପତି । ତ୍ରିନାଥଙ୍କର ଭୁବନେଶ୍ୱର ରସୁଲଗଡରେ ତିନି ମହଲା ବିଶିଷ୍ଟ ଫ୍ଲାଟ, ଯାଜପୁରର ବଡଚଣାରେ ଫାର୍ମ ହାଉସ୍, ଭୁବନେଶ୍ୱର, ଯାଜପୁରରେ ୩ଟି ପ୍ଲଟ ଠାବ ହୋଇଛି । ନଗଦ ସାଢ଼େ ତିନି ଲକ୍ଷ ଟଙ୍କା ଟଙ୍କା ବି ଜବତ ହୋଇଛି ।
ତ୍ରିନାଥଙ୍କର ରହିଥିଲା ନାମୀଦାମୀ ବ୍ରାଣ୍ଡର କାର ଓ ବାଇକ୍ ଚଢ଼ିବାର ସଉକ୍ । ସେଥିରେ ରହିଛି କୋଟିଏରୁ ଅଧିକ ଟଙ୍କାର ବିଏମଡବ୍ଲୁ କାର, ହୁଣ୍ଡାଇ କାର, ମାରୁତି ବାଲେନୋ କାର, ସେଭ୍ରୋଲେ କାର । ସେହିପରି ଚଢୁଥିଲେ ରକେଟ୍ ଥ୍ରୀ ବାଇକ୍ । ଯାହାର ମୂଲ୍ୟ ୨୨ ଲକ୍ଷ ଟଙ୍କା । ଏଥିସହ ୨୦ ଲକ୍ଷ ଟଙ୍କାର ସୁପର ବାଇକ ରକେଟ୍ ୩୍, ୫ ଲକ୍ଷ ୩୦ ହଜାର ଟଙ୍କାର ୬୫୦ ହାଇସଙ୍ଗ ଜିଟି ବାଇକ୍, ରୟାଲ ଏନ୍ଫିଲ୍ଡ ବାଇକ୍ ଜବତ ହୋଇଛି । ରାଜକୀୟ ଜୀବନ ବିତାଉଥିବା ତ୍ରିନାଥଙ୍କ କୁକୁର ପାଳିବାର ସଉକ ବି ଥିଲା । ନଖରା ସ୍ଥିତ ବାସଭବନରେ ଫ୍ରେଂଚ ମ୍ୟାସଟିଫ ପ୍ରଜାତିର ଦୁଇଟି ଦାମୀ କୁକୁର ଥିବା ଦେଖିବାକୁ ମିଳିଛି । ଯାହାର ମୂଲ୍ୟ ଦେଢ଼ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଉଛି ।
ତ୍ରିନାଥଙ୍କ କାମ ଥିଲା ଲୋକଙ୍କୁ ସୁରକ୍ଷା ଦେବା । ଆଇନଶୃଂଖଳା ରକ୍ଷା କରିବା । ଏଥିପାଇଁ ତାଙ୍କୁ ମୋଟାର ଅଙ୍କର ଦରମା ଦିଆଯାଉଥିଲା । ଗାଡି ଓ ଅନ୍ୟାନ୍ୟ ସୁବିଧା ବି ମିଳୁଥିଲା । ହେଲେ ଜନତାଙ୍କୁ ସୁରକ୍ଷା ଦେବା ତ ଦୂରେ ଥାଉ ସେ ସମାଜକୁ କେମିତି ଲୁଟି ଚାଲିଥିଲେ ଓ ସମ୍ପତି ଠୁଳ କରୁଥିଲେ, ଠାବ ହୋଇଥିବା ସମ୍ପତି ଏହାର ପ୍ରମାଣ ଦେଉଛି । ଯାହାକି ଏକ ବିଡମ୍ବନା । ପ୍ରଶ୍ନ ଉଠୁଛି , ଅପରାଧ ନିୟନ୍ତ୍ରଣ କରିବାକୁ ଶପଥ ନେଇଥିବା ପୁଲିସ ବାବୁ , ଏହି ସମ୍ପତି ଠୁଳ କରିବା ପାଇଁ କେତେ ଅପରାଧୀଙ୍କୁ ଅନୁକମ୍ପା ଦେଖାଇଥିଲେ ତାହା ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ।
ତ୍ରିନାଥଙ୍କ ଚାକିରୀ ଅବଧି ଆଉ ମାତ୍ର ଦେଢ଼ ବର୍ଷ ଥିଲା । ୨୦୨୩ ଅକ୍ଟୋବର ମାସରେ ଚାକିରୀରୁ ଅବସର ନେଇଥାନ୍ତେ । କିନ୍ତୁ ଏହା ପୂର୍ବରୁ ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କର ଦୁର୍ନୀତିର ସାମ୍ରାଜ୍ୟ ପଦାକୁ ଆସିଛି । ଆଉ ଯେତେ ପରିମାଣରେ ସମ୍ପତି ଠାବ ହୋଇଛି ତାହା ବର୍ଷେ କି ଦୁଇ ବର୍ଷର ନୁହେଁ । ବର୍ଷ ବର୍ଷ ଧରି ସେ ଏହି ସମ୍ପତି ଠୁଳ କରି ଚାଲିଥିଲେ । ତେବେ ପ୍ରଶ୍ନ ଉଠୁଛି , ଏହିଭଳି ଅସାଧୁ କର୍ମଚାରୀମାନେ କାହିଁକି ଜୀବନ ସାରା ଲୁଟ କରିବା ପରେ ହିଁ ଧରାପଡନ୍ତି । ଆରମ୍ଭରୁ ତାଙ୍କୁ କେହି ଧରି ପାରନ୍ତି ନାହିଁ । କ୍ୟାନସରର ଶେଷ ଷ୍ଟେଜ୍ ଭଳି ଏହି ଦୁର୍ନୀତିଗ୍ରସ୍ତ ବାବୁମାନଙ୍କୁ ବି ଚାକିରୀ ଶେଷ ବେଳେ ଭିଜିଲାନ୍ସ ଧରିବାରେ ସକ୍ଷମ ହୋଇଥାଏ । କିନ୍ତୁ ଏହି ଭିଜିଲାନ୍ସ ଅଧିକାରୀମାନେ କାହିଁକି ପୂର୍ବରୁ କିଛି କରିପାରନ୍ତି ନାହିଁ , ତାହା କେହି ବୁଝି ପାରନ୍ତି ନାହିଁ ।