ପାଣି ପାଟିରେ ପଶିଯିବ ପର୍ଯ୍ୟଟନସ୍ଥଳ ! ଶିଆଳିରେ ସ୍ଥଳଭାଗ ମୁହାଁ ସମୁଦ୍ର । ଜୁଆର ମାଡ଼ରେ ଭାଙ୍ଗିଗଲାଣି ଭିୟୁ ଟାୱାର । ଧୋଇଯିବ କି ଉପକୂଳ ଗାଁ ?

Advertisment
ପାଣି ପାଟିରେ ପଶିଯିବ ପର୍ଯ୍ୟଟନସ୍ଥଳ ! ଶିଆଳିରେ ସ୍ଥଳଭାଗ ମୁହାଁ ସମୁଦ୍ର । ଜୁଆର ମାଡ଼ରେ ଭାଙ୍ଗିଗଲାଣି ଭିୟୁ ଟାୱାର । ଧୋଇଯିବ କି ଉପକୂଳ ଗାଁ ?

କନକ ବ୍ୟୁରୋ: ବୁଡି ଯିବ କି ଶିଆଳି ବେଳାଭୂମି ? ପର୍ଯ୍ୟଟନ ମାନଚିତ୍ରରୁ ଲିଭଯିବ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ବେଳାଭୂମି ଓ ଭିଉ ଟାୱାର । ଭବିଷ୍ୟତ ପିଢ଼ିଙ୍କ ପାଇଁ ଇତିହାସ ପାଲଟିଯିବ କି? ଜଗତସିଂହପୁର ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ସ୍ଥିତ ଶିଆଳି ବେଳାଭୂମିରେ କୂଳ ଲଙ୍ଘୁଛି ସମୁଦ୍ର। ଘଞ୍ଚ ଝାଉଁ ଜଙ୍ଗଲ, ବିସ୍ତୀର୍ଣ୍ଣ ବେଳାଭୂମି ଧିରେଧିରେ ସମୁଦ୍ର ଗର୍ଭକୁ ଚାଲିଯାଇଛି । ଭିୟୁ ଟାୱାର ମଧ୍ୟ ଲୀନ ହେବାକୁ ଯାଉଛି।

୨୦୦୫ ମସିହାରୁ ଲୋକ ଲୋଚନକୁ ଆସିଛି ଜଗତସିଂହପୁରର ଶିଆଳି ବେଳାଭୂମି। ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରୁ ଝାଉଁ ଜଙ୍ଗଲ ଭିତରେ ତିଆରି ହୋଇଛି ଭିଉ ଟାୱାର । ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ହେଲେ ଏବେର ସ୍ଥିତି ଦେଖିଲେ ଲାଗୁଛି, କୌଣସି ମୂହୁର୍ତ୍ତରେ ସମୁଦ୍ରରେ ବୁଡ଼ି ଯିବକି ବେଳାଭୂମି ! ଜୁଆର ମାଡ଼ରେ କ୍ଷତିଗ୍ରସ୍ତ ଭିୟୁ ଟାୱାର। ବିପଦ ସଂକୁଳ ଅବସ୍ଥାରେ ଝୁଲି ରହିଛି ଆଉ ଚଟାଣ ତଳୁ ମାଟି ଧୋଇ ଗଲାଣି । ଟାୱାରଟି କଙ୍କାଳ ସଦୃଶ୍ୟ ଠିଆ ହୋଇଛି। ଅସୁରକ୍ଷିତ ଦର୍ଶାଇ ଭିୟୁ ଟାୱାରରେ ୧୪୪ ଧାରା ଲାଗୁ କରାଯାଇଛି । କଣ୍ଟାବାଡ଼ ଦେଇ ବନ୍ଦ ବି କରାଯାଇଛି ।

ଉପକୂଳର ଦୃଶ୍ୟ ଦେଖି ୭ଟି ପଞ୍ଚାୟତର ଲୋକେ ଆତଙ୍କିତ ଅଛନ୍ତି। ୨ରୁ ୩ ବର୍ଷ ଭିତରେ ୫୦୦ ମିଟର ସ୍ଥଳଭାଗ ଆଡ଼କୁ ମାଡ଼ି ଆସିଲାଣି ସମୁଦ୍ର। ଝାଉଁବଣ ଓ ହେନ୍ତାଳବନ ନଷ୍ଟ ହୋଇ ଗଲାଣି । ଯଦି ଏହିପରି ସମୁଦ୍ର ମାଡ଼େ ତେବେ ଏରସମା ବ୍ଲକର ଢ଼ିଙ୍କିଆ, ନୂଆଗାଁ, କୁଂଜକୋଠି, ପଦ୍ମପୁର, ଆମ୍ବିକି ଓ ଗଡ଼ହରିସପୁର ଏବଂ କୁଜଙ୍ଗ ବ୍ଲକର ପାରାଦ୍ୱୀପଗଡ଼ ଅଂଚଳ ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।

ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ସ୍ଥିତ ବେଳାଭୂମିରେ ୨୦୦୯ରୁ ଶିଆଳି ମହୋତ୍ସବ ପାଳନ କରାଯାଉଛି। ୨୦୧୬ରେ ଶିଆଳିକୁ ପର୍ଯ୍ୟଟନ ସ୍ଥାନ ଭାବେ ମାନ୍ୟତା ମିଳିଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ପାନ୍ଥ ନିବାସ, ମାର୍କେଟ କମ୍ପ୍ଲେକ୍ସ ଆଦି ଅନେକ କାର୍ଯ୍ୟ କରାଯାଇଛି। ହେଲେ ଏବେ ଏହାର ବେଳାଭୂମିକୁ ସୁରକ୍ଷା ଦେବା ଦିଗରେ ପଦକ୍ଷେପ ନେବା ଜରୁରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe