ଆଜି ଠାରୁ ଜଗା ଦର୍ଶନ । ମନ୍ଦିର ପ୍ରବେଶ ପୂର୍ବରୁ ମାସ୍କ, ସାମାଜିକ ଦୂରତା ସହ କରୋନା କଟକଣା ବାଧ୍ୟତାମୂଳକ

76

କନକ ବ୍ୟୁରୋ : ଆଜିଠାରୁ ଜଗା ଦର୍ଶନର ସୁଯୋଗ ପାଇଁ ପୁରୀ ବାସିନ୍ଦା । ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ରହିଛି ବ୍ୟାରିକେଡ୍ ବ୍ୟବସ୍ଥା । ମାର୍କେଟ୍ ଛକରୁ ଶ୍ରୀମନ୍ଦିର ଯାଏଁ ବ୍ୟାରିକେଡ୍ କରାଯାଇଛି । ସକାଳ ୭ଟାରୁ ମାର୍କେଟ ଛକରୁ ଆରମ୍ଭ ହେବ ଧାଡ଼ି ଦର୍ଶନ । ପ୍ରଥମେ ଟୋକନ ପରିଚୟ ପତ୍ରର ଯାଂଚ୍ କରାଯିବ । କିଓସ୍କ ମାଧ୍ୟମରେ ଭକ୍ତଙ୍କ ଫଟୋଗ୍ରାଫି ହେବ । ଏହାପରେ କୋଭିଡ କଟକଣା ମଧ୍ୟରେ ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରି ଠାକୁରଙ୍କ ଦର୍ଶନ କରିବା ପରେ ଉତର ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଏଥିପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସାଙ୍ଗରେ ପରିଚୟପତ୍ର ଆଣିବାକୁ ପୁରୀବାସୀଙ୍କୁ ପରାମର୍ଶ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଦର୍ଶନର ୨ ଦିନ ପୂର୍ବରୁ ଚିରକୁଟି ଯୋଗାଇ ଦିଆଯାଇଛି ।

ସ୍ୱଛ ସାଥୀଙ୍କ ଜରିଆରେ ଏହି ଟୋକନ୍ ବଂଟା ଯାଇଛି । ଯେଉଁମାନେ ଟୋକନ ପାଇନଥିବେ, ସେମାନଙ୍କ ପାଇଁ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ସ୍ୱତନ୍ତ୍ର ଟୋକନ୍ କାଉଁଟର କରାଯାଇଛି । ପ୍ରଥମ ଦଫାରେ ଆଜି ପୁରୀର ୭ଟି ୱାର୍ଡର ଲୋକ ଶ୍ରୀମନ୍ଦିରରେ ପ୍ରବେଶ କରି ବଡ ଠାକୁରଙ୍କୁ ଦର୍ଶନ କରିପାରିବେ । ମନ୍ଦିର ଭିତରେ ଓ ବାହାରେ ମାସ୍କ ପିନ୍ଧିବା ଜରୁରୀ । ମନ୍ଦିର ଭିତରକୁ ଯିବା ସମୟରେ ହାତକୁ ସାନିଟାଇଜ କରିବେ । ସାମାଜିକ ଦୂରତା ରକ୍ଷା କରିବେ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ମୋଟ ୧୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ଦର୍ଶନ ଶୃଂଖଳିତ କରିବାକୁ ପ୍ରତି ସିଫ୍ଟରେ ପ୍ରତିହାରୀ ନିଯୋଗର ୧୫ ଜଣ ସ୍ୱେଛାସେବୀ ନିୟୋଜିତ ହେବେ ବୋଲି କହିଛନ୍ତି ଜିଲ୍ଲାପାଳ । ୯ ମାସ ପରେ ଗତ ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବା ପରେ ପ୍ରଥମେ ସେବାୟତ ଓ ସେବାୟତଙ୍କ ପରିବାରକୁ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ଦିଆଯାଇଥିଲା ।

ସହରବାସୀଙ୍କ ପାଇଁ ୱାର୍ଡୱାରୀ ଦର୍ଶନ ବ୍ୟବସ୍ଥା କରାଯାଇଛି । ସହରବାସୀଙ୍କ ଦର୍ଶନ ବ୍ୟବସ୍ଥାକୁ ନେଇ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ପ୍ରଶାସନ । ନଜର ପକାନ୍ତୁ କେଉଁ ୱାର୍ଡ ବାସିନ୍ଦା କେବେ ଆଉ କେଉଁ ସମୟରେ କରିବେ ଦର୍ଶନ ।… ସକାଳ ସାଢେ ୭ଟାରୁ ଦର୍ଶନ ଆରମ୍ଭ ହେବ । ପ୍ରଥମ ଦିନ ୨, ୩, ୬, ୯, ୧୧, ୧୨ ଓ ୧୫ ନଂବର ୱାର୍ଡ ବାସୀ ମହାପ୍ରଭୁଙ୍କ ଦର୍ଶନ ସୁବିଧା ପାଇବେ । ପ୍ରଥମ ଦଫା ଦର୍ଶନ ସକାଳ ସାଢେ ୭ଟାରୁ ସାଢେ ୧୧ଟା ଯାଏଁ ରହିବ । ୬ ଓ ୯ ନଂବର ୱାର୍ଡବାସୀ ପ୍ରଥମେ ଦର୍ଶନ କରିବେ । ସେହିପରି ଦିନ ୧୨ଟାରୁ ୪ଟା ୩୦ ଯାଏଁ ଦର୍ଶନ ସୁଯୋଗ ପାଇବେ ୧୨ ଓ ୧୫ ନଂବର ୱାର୍ଡର ବାସିନ୍ଦା । ସାଢେ ୪ଟାରୁ ରାତ୍ର ପହୁଡ ଯାଏଁ ଦର୍ଶନ କରିପାରିବେ ୨, ୩ ଏବଂ ୧୧ ନମ୍ବର ୱାର୍ଡବାସୀ ।