କନକ ବ୍ୟୁରୋ: ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ନେଇ ଯେତିକି ଚର୍ଚ୍ଚା, ସେତିକି ମଧ୍ୟ ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ୍ ରାଚିନ୍ ରବିନ୍ଦ୍ରକୁ ନେଇ ଚର୍ଚ୍ଚା । କାରଣ ଚଳିତ ବିଶ୍ୱକପର ଟପ୍ ସ୍କୋରର ହେବା ସହ ଅନେକ ରେକର୍ଡ କରିଛନ୍ତି ଏହି ଭାରତୀୟ ବଂଶୋଦ୍ଭବ । ଆସନ୍ତା ୧୫ ତାରିଖରେ ଖେଳାଯିବ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚ୍ । ଔପଚାରିକ ଭାବେ ନ୍ୟୁଜିଲାଣ୍ଡ ସେମିଫାଇନାଲକୁ ଉତୀର୍ଣ୍ଣ ହୋଇନଥିଲେ ବି ଭାରତ ସହ ନ୍ୟୁଜିଲାଣ୍ଡର ମୁକାବିଲା ହେବା ଏକପ୍ରକାର ନିଶ୍ଚିତ । ଭାରତର ବିଜୟ ପାଇଁ କୋଟି କୋଟି ଭାରତୀୟ ପ୍ରାର୍ଥନା କରୁଥିବା ବେଳେ ସାମ୍ନାକୁ ଆସିଛି ଏକ ରୋଚକ ଚିତ୍ର ।

Advertisment

ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ବିଜୟ ପରେ ବାଙ୍ଗାଲୋରରେ ଥିବା ନିଜ ଜେଜେମା’ଙ୍କ ଘରକୁ ଯାଇଥିଲେ ରାଚିନ୍ । ଭଲ ଖେଳୁଥିବାରୁ ରାଚିନଙ୍କୁ ଯେମିତି କାହା ନଜର ନଲାଗୁ, ସେଥିପାଇଁ ଜେଜେମା’ ରାଚିନଙ୍କ ନଜର ଉତାରିଛନ୍ତି । ଆଉ ମନ୍ତ୍ରପାଠ କରି ଝଡାଫୁଙ୍କା କରୁଥିବାର ଦେଖିବାକୁ ମିଳିଛି । ସୋସିଆଲ୍ ମିଡିଆରେ ସେହି ସମୟର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।

ରାଚିନ ଏବଂ ତାଙ୍କ ପରିବାର ଏବେ ନ୍ୟୁଜିଲାଣ୍ଡର ସ୍ଥାୟୀ ବାସିନ୍ଦା । ତାଙ୍କ ବାପା ଜଣେ ଇଞ୍ଜିନିୟର, ସେ ଭାରତରୁ ଯାଇ ନ୍ୟୁଜିଲାଣ୍ଡରେ ଅବସ୍ଥାପିତ ହୋଇଛନ୍ତି । ସେ ରାହୁଲ ଦ୍ରାବିଡ ଏବଂ ସଚିନ ତେନ୍ଦୁଲକରଙ୍କ ବଡ ପ୍ରଂଶସକ ହୋଇଥିବାରୁ ରାହୁଲ ଓ ସଚିନଙ୍କ ନାଁକୁ ମିଶାଇ ନିଜ ପୁଅର ନାଁ ରାଚିନ ବୋଲି ରଖିଛନ୍ତି । ଭାରତୀୟ ବଂଶୋଦ୍ଭବ ରାଚିନ ଚଳିତ ବିଶ୍ୱକପରେ ଦମଦାର ଫର୍ମରେ ନଜର ଆସିଛନ୍ତି । ୯ଟି ମ୍ୟାଚରୁ ୩ଟି ଶତକ, ୨ଟି ଅର୍ଦ୍ଧଶତକ ସହ ୫୬୫ ରନ୍ ସଂଗ୍ରହ କରିଛନ୍ତି । ବିଶ୍ୱକପ୍ ପଦାର୍ପଣରେ ଏତେ ରନ୍ କରିବାରେ ସେ ପ୍ରଥମ ଖେଳାଳୀ ହେବାର ରେକର୍ଡ କରିଛନ୍ତି ।