ଯାଜପୁରେ ସାମ୍ବାଦିକଙ୍କୁ ମାଡ଼ ଘଟଣା : ଗିରଫଦାରିର ଭିଡିଓ ଭାଇରାଲ; ଜଣେ ଅଭିଯୁକ୍ତଙ୍କୁ ଚାପୁଡ଼ା ମାରୁଛନ୍ତି ତାଙ୍କର ଜଣେ ସମ୍ପର୍କୀୟ

154

କନକ ବ୍ୟୁରୋ : ଯାଜପୁରେ ସାମ୍ବାଦିକଙ୍କୁ ମାଡ଼ ଘଟଣା ପରେ ଗିରଫଦାରୀ ଜାରି ରହିଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ । ଯେଉଁଥିରେ ଅଭିଯୁକ୍ତଙ୍କୁ ପୋଲିସ ଭ୍ୟାନରେ ନିଆଯିବା ବେଳେ ଜଣେ ଅଭିଯୁକ୍ତ ତାଙ୍କ ଜଣେ ସମ୍ପର୍କୀୟଙ୍କୁ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଛି । ଆଉ କହୁଛନ୍ତି, ତାପାଇଁ ସମସ୍ତେ ହଇରାଣ ହେଲେ ।

ଗତକାଲି ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ୪୦ରୁ ୫୦ ଦୁର୍ବୃତ୍ତ ମଣାନ୍ତକ ଆକ୍ରମଣ କରିଥିଲେ । ବୁଥ ଜବରଦଖଲ କରି ଭୋଟ ବାକ୍ସ ପୋଖରୀକୁ ଫିଙ୍ଗାଯାଉଥିବା ଭିଡିଓ ସୁଟ କରିଥିଲେ ସାମ୍ବାଦିକ । ଆଉ ସେହି ସତ ଲୁଚାଇବାକୁ ଯାଇ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ ଦୁର୍ବୃତ । ସମସ୍ତେ ମିଶି ଏମାନଙ୍କୁ ଆକ୍ରମଣ କରୁଥିବାରୁ ଭିଜୁଆଲ କ୍ୟାମେରାରେ କଏଦ ହୋଇଛି । ଅବଶ୍ୟ ସେମାନେ ମୋବାଇଲ ଛଡାଇ ନେଇଛନ୍ତି, କିନ୍ତୁ ଆମ ପ୍ରତିନିଧିଙ୍କ ପାଖରେ ରହିଯାଇଥିବା ମୋବାଇଲରେ ଏହି ଭିଜୁଆଲ ରେକର୍ଡ ହୋଇଛି ।

ତିନି ଜଣ ସାମ୍ବାଦିକ ଆହତ ହୋଇ ପ୍ରଥମେ ବିଂଝାରପୁର ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଘଟଣା ପରେ ପୁଲିସ ଆଇଜି ନରସିଂହ ଭୋଳ ବିଂଝାରପୁର ପହଂଚି ସ୍ଥିତି ସମୀକ୍ଷା କରିଥିଲେ । ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୁଲିସ ଆଇଜି ଯାଜପୁର ଏସପି ରାହୁଲ ପିଆରଙ୍କ ସହ ଆଲୋଚନା କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।