ଓମିକ୍ରନକୁ ନେଇ ଧର୍ମେନ୍ଦ୍ରଙ୍କ ଭିଡ଼ିଓ ବାର୍ତ୍ତା । ଭୟଭୀତ ହେବାନି, କୋଭିଡ଼ ନିୟମ ମାନିବା, ଧୈର୍ଯ୍ୟର ସହ ଲଢିବା ।

227

କନକ ବ୍ୟୁରୋ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡିଓ ବାର୍ତା । ନୂଆ ଭାରିଆଣ୍ଟକୁ ଭୟଭୀତ ନହୋଇ ଧୈର୍ଯ୍ୟର ସହ ମୁକାବିଲା କରିବା ଓ ଟିକା ନେବା ପାଇଁ ସମସ୍ତଙ୍କୁ ପୋତ୍ସାହିତ କରିବାକୁ ଭିଡିଓ ବାର୍ତା ଜରିଆରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏବେ ଓଡିଶାରେ ୭୦ ଲକ୍ଷ ୫୯ ହଜାର ୨୧୫ ଟିକା ମହଜୁଦ୍ ଅଛି । ପ୍ରଧାନମନ୍ତ୍ରୀଙ୍କ ୩ଟି ଟ୍ରେସିଂ, ଟେଷ୍ଟିଂ ଏବଂ ଟ୍ରିଟମେଂଟକୁ ପୁଣି ଥରେ ଗୁରୁତ୍ୱ ଦେବାକୁ ହେବ । କରୋନା ପାଇଁ ଆମେ ଯେତିକି ସଚେତନ ଅଛୁ, ସେତିକି ଯଥେଷ୍ଟ ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେଣୁ ସମସ୍ତେ ମାସ୍କ ପିନ୍ଧିବା ଓ ସରକାରଙ୍କ କୋଭିଡ୍ ନିୟମକୁ ପାଳନ କରିବାକୁ ସେ କହିଛନ୍ତି । ନୂଆ ଭାରିଆଣ୍ଟକୁ ନେଇ ସର୍ତକ ରହିବାକୁ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି । ଏହି ନୂଆ ସଂକ୍ରମଣ ଉପରେ ନଜର ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ଭାବ୍ୟ ତୃତୀୟ ଲହର ପାଇଁ ଓଡିଶା ସରକାର ଓ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିବେଦନ କରିଛନ୍ତି ଧର୍ମେନ୍ଦ୍ର । ଦେଶରେ ୧୨୨ କୋଟି ୩୪ ଲକ୍ଷ ୮୧ ହଜାରରୁ ଉଦ୍ଧ୍ୱର୍ ଲୋକ ନାଗରିକମାନେ ଟିକା ନେଇଥିବା ବେଳେ ଭାରତ ନୂଆ ମାଇଲଖୁଂଟ ଅତିକ୍ରମ କରିଛି, ତେଣୁ ପୂର୍ବେପେକ୍ଷା ଅଧିକ ସଚେତନ ରହିଲେ ହିଁ ଆମେ ଲକଡାଉନ ଓ ଜୀବନଜୀବିକା ପ୍ରଭାବିତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇପାରିବ । ସେହିଭଳି ଓଡ଼ିଶାରେ ୪ କୋଟି ୩୦ ଲକ୍ଷ ୧୧ ହଜାରରୁ ଅଧିକ ଲୋକ ଟିକା ନେଇ ସାରିଲେଣି । ଆମେ କରୋନାକୁ ଏତେ ହାଲୁକାରେ ନେଇପରିବା ନାହିଁ । ଖାସକରି ରାଜ୍ୟରେ ଯେଉଁମାନେ ଟୀକା ନେଇ ନାହାନ୍ତି ସେମାନେ ପ୍ରଥମେ ଟୀକା ନିଅନ୍ତୁ, ଦେଶରେ ଟୀକାର ଅଭାବ ନାହିଁ । କରୋନା ସହ ଲମ୍ବା ସମୟ ପର୍ଯ୍ୟନ୍ତ ଲଢେଇ କରିବାକୁ ହେବ । ତେଣୁ ସମସ୍ତେ ସଚେତନ ରୁହନ୍ତୁ । ବିଦେଶରୁ ଆସୁଥିଲେ ନିଜକୁ କ୍ୱାରେଣ୍ଟିନରେ ରଖନ୍ତୁ ।