ଏଆଇସିସି ଅଧ୍ୟକ୍ଷ ହୋଇପାରନ୍ତି ଉପାଧ୍ୟକ୍ଷ ରାହୁଲ ଗାନ୍ଧି! ଆସନ୍ତାକାଲି ସୋନିଆ ଡାକିଛନ୍ତି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ

25

କନକ ବ୍ୟୁରୋ : କଂଗ୍ରେସ ଯୁବରାଜଙ୍କର ହେବ ରାଜ୍ୟାଭିଷେକ । ଗାନ୍ଧି ପରିବାରର ପରବର୍ତ୍ତୀ ଦାୟାଦାଙ୍କ ହାତକୁ ଆସିବ ଭାରତୀୟ ଜାତୀୟ କଂଗ୍ରେସର ଡୋର । ଦୀର୍ଘ ୧୭ ବର୍ଷ ପରେ ମାଆଙ୍କ କାନ୍ଧରୁ ବୋଝ ହାଲୁକା କରିବାକୁ ଯାଉଛନ୍ତି ପୁଅ ରାହୁଲ ଗାନ୍ଧି । ଏକ ସଂକଟ ସମୟରେ କଂଗ୍ରେସକୁ ସମ୍ଭାଳି ନେଇଥିବା ସୋନିଆ ଏବେ ଦାୟିତ୍ୱମୁକ୍ତ ହେବାକୁ ଚାହୁଁଛନ୍ତି । ସେଥିପାଇଁ ଆସନ୍ତାକାଲି ସକାଳ ୧୦ଟା ୩୦ ମିନିଟରେ ଡକାଯାଇଛି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ । ଯେଉଁଠି ରାହୁଲଙ୍କୁ ଦଳର ପରବର୍ତ୍ତୀ ଅଧ୍ୟକ୍ଷ କରିବା ଲଗି ନିର୍ବାଚନ ଘୋଷଣା କରିପାରନ୍ତି ସୋନିଆ ଗାନ୍ଧି । ହେଉଥିବା ଚର୍ଚ୍ଚା ଅନୁସାରେ, ଡିସେମ୍ବର ୯ ତାରିଖରେ ଗୁଜରାଟ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ୍ ପଡିିବା ଆଗରୁ ରାହୁଲଙ୍କୁ ମିଳିପାରେ ପଦୋନ୍ନତି ।

ଆଗକୁ ହେବାକୁ ଥିବା ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ବେଶ ଆକ୍ରମଣାତ୍ମକ ଢଙ୍ଗରେ ନିଜକୁ ଉପସ୍ଥାପନ କରିଛନ୍ତି ରାହୁଲ ଗାନ୍ଧି । କୁହାଯାଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟକ୍କର ଦେବାପାଇଁ ସେ ହିଁ ଏକମାତ୍ର ସମର୍ଥ ନେତା । ବିମୁଦ୍ରାୟନ ଓ ଜିଏସଟି ପ୍ରସଙ୍ଗରେ ମୋଦିଙ୍କୁ ବାରମ୍ବାର ଆକ୍ରମଣ ଜାରି ରଖିଛନ୍ତି ରାହୁଲ ଗାନ୍ଧି ।
ଗୋଟିଏପଟେ ପଦୋନ୍ନତି ଅପେକ୍ଷାରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି । ଆଉ ଏପଟେ ନୂଆ ନେତୃତ୍ୱ ସମ୍ଭାବନାକୁ ଅନାଇ ରହିଛି ଓଡିଶା କଂଗ୍ରେସ । କୁହାଯାଉଛି ଏଆଇସିସିର ନୂଆ ଅଧ୍ୟକ୍ଷ ହେବା ପରେ ପିସିସି ନେତୃତ୍ୱର ନବକଳେବର ନେଇ ନିଷ୍ପତି କରିପାରନ୍ତି ରାହୁଲ ଗାନ୍ଧି । ଯାହା ବିଜେପୁର ଉପନିର୍ବାଚନ ସହ ୨୦୧୯ ସାଧାରଣ ନିର୍ବାଚନ ଲଢିବା ପାଇଁ ରାଜ୍ୟ କଂଗ୍ରେସକୁ ନେତୃତ୍ୱ ଦେବ ।

୨୦୧୪ରେ କଂଗ୍ରେସକୁ କ୍ଷମତାଚ୍ୟୁତ କରିବାରେ ପ୍ରମୁଖ ଭୂମିକା ନେଇଥିଲା ମୋଦି ହାୱା । ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଆଗକୁ ଆଣି ସାରାଦେଶରେ ବିଜୟବାନା ଉଡାଇବାକୁ ସମର୍ଥ ହେଲା ଭାରତୀୟ ଜନତା ପାର୍ଟି । ଆଉ ଏବେ ରାହୁଲ ଗାନ୍ଧିଙ୍କୁ ଆଗକୁ କରି ଗୁଜରାଟ ବିଧାନସଭା ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଜାତୀୟ କଂଗ୍ରେସ । ଯାହା ୨୦୧୯ରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳକୁ ଫାଇଦା ଦେବ ବୋଲି ଆଶା କରୁଛି କଂଗ୍ରେସ ।