ସୁପ୍ରିମକୋର୍ଟ ‘ଏନଜେଏସି’କୁ ପ୍ରତ୍ୟାଖ୍ୟାନ ପ୍ରସଙ୍ଗ : ଉପରାଷ୍ଟ୍ରପତିଙ୍କ ଅସନ୍ତୋଷ; କହିଲେ ସଂସଦ ପ୍ରଣୀତ ଆଇନକୁ ରଦ୍ଦ କରିବା ବିଶ୍ୱରେ ବିରଳ

177

କନକ ବ୍ୟୁରୋ : ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ୍ । ସର୍ବୋଚ୍ଚ ନ୍ୟାୟାଳୟ ‘ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ ଆଇନ’କୁ ପ୍ରତ୍ୟାଖ୍ୟାନ କରିବା ପରେ ସଂସଦରେ ଏ ନେଇ କୌଣସି ପ୍ରକାରର ଆଲୋଚନା ହୋଇନି । ଏପରି ନହେବା ଏକ ଗମ୍ଭୀର ବ୍ୟାପାର ବୋଲି କହିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖଡ୍ ।

ଶୁକ୍ରବାର ଏକ ସଭାରେ ଯୋଗ ଦେଇ ସେ କହିଛନ୍ତି ଯେ ସଂସଦ ଦ୍ୱାରା ଗୃହୀତ ଏକ ଆଇନ, ଯାହା ଲୋକଙ୍କ ଇଚ୍ଛାକୁ ପ୍ରତିଫଳିତ କରିଥାଏ, ତାକୁ ସର୍ବୋଚ୍ଚ ନ୍ୟାୟାଳୟ ରଦ୍ଦ କରିବା ଗୁରୁତର ଘଟଣା । ସମଗ୍ର ବିଶ୍ୱରେ ହୁଏତ ଏପରି କୌଣସି ଉଦାହରଣ ନାହିଁ । ସମ୍ବିଧାନର ବ୍ୟବସ୍ଥାକୁ ଦର୍ଶାଇ ସେ କହିଛନ୍ତି ଯେ ଯେତେବେଳେ ଆଇନର ପ୍ରାବଧାନରେ କୌଣସି ଗୁରୁତ୍ୱପୂର୍ଣ୍ଣ ନ୍ୟାୟିକ ପ୍ରଶ୍ନ ଜଡିତ ଥାଏ ସେତେବେଳେ ଏହି ପ୍ରସଙ୍ଗକୁ ଅଦାଲତ ଅନୁଧ୍ୟାନ କରିପାରିବେ ।

କାରଣ, ସମ୍ବିଧାନ ଅନୁସାରେ ସଂସଦ ଜନସାଧାରଣଙ୍କ ଇଚ୍ଛାକୁ ପ୍ରତିଫଳିତ କରିଥାଏ । ସଂସଦ ଦ୍ୱାରା ପାରିତ ଆଇନକୁ ରଦ୍ଦ କରିବା ଦ୍ୱାରା ଲୋକଙ୍କ ମତ ପ୍ରତିଫଳିତ କରୁଥିବା ଅନୁଷ୍ଠାନର କ୍ଷମତାକୁ କ୍ଷୁର୍ଣ୍ଣ କରାଗଲା । ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡଙ୍କ ଉପସ୍ଥିତିରେ ଧନଖଡ୍ କହିଛନ୍ତି ଯେ ସମ୍ବିଧାନର ମୁଖବନ୍ଧରେ ଉଇ ଦ ପିପୁଲ ଅର୍ଥାତ “ଆମେ ଭାରତର ଲୋକ” ଉଲ୍ଲେଖ ଅଛି । ଏହାର ଅର୍ଥ ହେଉଛି ସାବଭୈମତା କ୍ଷମତା ବା ଶକ୍ତି ଲୋକଙ୍କ ଠାରେ, ସେମାନଙ୍କର ଆଦେଶରେ ଏବଂ ବିବେକ ମଧ୍ୟରେ ନିହିତ ରହିଛି । ଏହି କ୍ଷମତା ସଂକୁଚିତ ହେବା କେତେ ଦୂର ଠିକ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।