ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ ତମ ସମାବର୍ତ୍ତନ ଉତ୍ସବ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟର ୫ ବିଶିଷ୍ଟ ବ୍ୟକ୍ତିଙ୍କୁ ଉପରାଷ୍ଟ୍ରପତି ପ୍ରଦାନ କଲେ ଡକ୍ଟରେଟ୍ ଉପାଧି ।

୨୦୧୯-୨୦ ଶିକ୍ଷାବର୍ଷ ପାଇଁ ମୋଟ ୪୧ ଜଣଙ୍କୁ ପିଏଚଡି ଡିଗ୍ରୀ ପ୍ରଦାନ

83

କନକ ବ୍ୟୁରୋ: ବିଶ୍ୱବିଦ୍ୟାଳୟରେ ଶିକ୍ଷା ଏପରି ହେବା ଉଚିତ ଯାହା ଛାତ୍ରଛାତ୍ରୀଙ୍କୁ ଚାକିରି ପଛରେ ଗୋଡାଇବା ବଦଳରେ ଅନ୍ୟକୁ ଚାକିରି ଦେବାରେ ସକ୍ଷମ କରିବ । ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଶିକ୍ଷାନୁଷ୍ଠାନର ଭୂମିକା ଓ ଛାତ୍ରଛାତ୍ରୀଙ୍କ ଲକ୍ଷ୍ୟକୁ ନେଇ ଏପରି ମାର୍ଗଦର୍ଶନ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଏଥିସହ ଓଡିଶାର ଐତିହ୍ୟ ଓ ସମୃଦ୍ଧ ନୌବାଣଜ୍ୟ ପରମ୍ପରାରୁ ପ୍ରେରଣା ନେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।

ଉତ୍କଳ ଦିବସର ୫୦ତମ ସମାବର୍ତ୍ତନ ଉତ୍ସବ କରୋନା କଟକଣା ଭିତରେ ପାଳିତ ହୋଇଛି । କୁଳାଧିପତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ମୋଟ ୪୧ ଜଣଙ୍କୁ ପିଏଚଡି ଡିଗ୍ରୀ, ୯୦ ଜଣଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି । ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ୧୩୦ ଜଣଙ୍କୁ ପିଏଚଡି ଓ ଡିଲିଟ୍ ଡିଗ୍ରୀ ଦିଆଯାଇଛି । ୯୦ ଜଣଙ୍କୁ ସ୍ୱର୍ଣ୍ଣପଦକ ଦିଆଯାଇଛି ।

ସମାବର୍ତ୍ତନ ଉତ୍ସବରେ ଦେଶର ୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ଦିଆଯାଇଛି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରିଛନ୍ତି ଉପରାଷ୍ଟ୍ରପତି । ସେହିପରି ମୟୂରଭଂଜ ଜିଲ୍ଲାର ପୁଅ ତଥା ଦେଶର ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ଉପରାଷ୍ଟ୍ରପତିଙ୍କ ହାତରୁ ଡକ୍ଟରେଟ ଉପାଧୀ ପାଇବା ପରେ କହିଛନ୍ତି, ପାଠ ପଢିଥିବା ବିଶ୍ୱବିଦ୍ୟାଳୟରେ ସମ୍ମାନୀତ ହେବାଠାରୁ ବଡ ସମ୍ମାନ କିଛି ନାହିଁ ।

ସେହିପରି ହାଇକୋର୍ଟ ବିଚାରପତି ଜଷ୍ଟିସ୍ ସଂଜୁ ପଣ୍ଡା, ଭାବା ଆଟମିକ୍ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡକ୍ଟର ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧୀ ପ୍ରଦାନ କରାଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ ତମ ସମାବର୍ତନ ଉତ୍ସବରେ ଡିଗ୍ରୀ ଓ ଡକ୍ଟରେଟ୍ ପାଇଥିବା ସମସ୍ତ ବ୍ୟକ୍ତିଙ୍କୁ ଶୁଭେଛା ଜଣାଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।