ଓଡିଶା ବିଧାୟକଙ୍କ ଚାଷ କାମକୁ ପ୍ରଶଂସା କରି ଟ୍ୱିଟ୍ କଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଲେଖିଲେ, ପ୍ରେରଣା ଦେଉଛି ବିଧାୟକଙ୍କ କାମ । ନବୀନଙ୍କ ଟ୍ୱିଟ୍, ବିଧାୟକଙ୍କ ଠାରୁ ଅନୁପ୍ରାଣିତ ହୁଅନ୍ତୁ ଯୁବପୀଢି ।

377

କନକ ବ୍ୟୁରୋ : ଓଡିଶା ବିଧାୟକ ମନୋହର ରନ୍ଧାରୀଙ୍କ ଚାଷ କାମକୁ ପ୍ରଶଂସା କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭେଙ୍କେୟା ନାଇଡୁ ଟ୍ୱିଟ୍ କରି ଲେଖିଛନ୍ତି, ଓଡିଶାର ବିଧାୟକଙ୍କ କାମ ପ୍ରେରଣାଦାୟୀ । ସେପଟେ ଉପରାଷ୍ଟ୍ରପତିଙ୍କ ପ୍ରଶଂସା ପୂର୍ଣ୍ଣ ଟୁଇଟ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରି-ଟୁଇଟ କରିି, ଲେଖିଛନ୍ତି, ବିଧାୟକଙ୍କ ଠାରୁ ଅନୁପ୍ରାଣିତ ହୁଅନ୍ତୁ ଯୁବପିଢି ।

କାନ୍ଧରେ ଲଙ୍ଗଳ ଧରି ଚାଷ ଜମି ଆଡକୁ ମାଡିଚାଲିଥିବା ଏହି ବ୍ୟକ୍ତିଜଣଙ୍କ ଜଣେ ଜନ ପ୍ରତିନିଧି । ହୁଏତ ଏକଥା ଆପଣଙ୍କୁ ବିଶ୍ୱାସ ନ ହୋଇପାରେ । କିନ୍ତୁ ଏହା ହିଁ ବାସ୍ତବତା । ଚାଷ ଜମିରେ ହଳଲଙ୍ଗଳ ଧରି ଚାଷ କରୁଛନ୍ତି ନବରଙ୍ଗପୁର ଡାବୁଁଗାଁ ବିଧାୟକ ମନୋହର ରାନ୍ଧାରୀ । ଜମିରେ ମୁଲିଆଙ୍କ ସହ ମିଶି ହଳ ବୁଲାଉଥିବାର ଏହି ଚିତ୍ର ଏବେ ଭାଇରାଲ ହୋଇଛି ।

ଚାଷ କାର୍ଯ୍ୟ ପାଇଁ ଉପାନ୍ତ ଅଂଚଳର ଏହି ବିଧାୟକଙ୍କୁ ପ୍ରଶଂସାରେ ପୋତିଦେଇଛନ୍ତି ଦେଶର ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜମିରେ ମୁଲିଆଙ୍କ ସହ ମିଶି କାମ କରି ବିଧାୟକ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷ କାମକୁ ସେ ଗର୍ବର ସହ କରିଥିବାରୁ ପ୍ରଶଂସା କରିଛନ୍ତି ନବୀନ । ବିଧାୟକଙ୍କୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସାପୂର୍ଣ୍ଣ ଟୁଇଟ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରି ଟୁଇଟ କରିିଛନ୍ତି । ମନୋହର ରନ୍ଧାରୀ ନବରଙ୍ଗପୁର ଜିଲ୍ଲାର ଦୁଇଟି ଭିନ୍ନ ଭିନ୍ନ ନିର୍ବାଚନ ମଣ୍ଡଳିରୁ ୩ ଥର ବିଧାୟକ ହୋଇଛନ୍ତି । ତଥାପି ସେ ନିଜର ଚାଷ କାମକୁ ଭୁଲି ନାହାନ୍ତି ।