କରୋନା ବେଳେ କଂଗ୍ରେସରେ କମ୍ପନ : ଆଜି କଂଗ୍ରେସ ୱାର୍କିଂ କମିଟି ବୈଠକ, ବୈଠକ ପୂର୍ବରୁ ଦଳର ନେତୃତ୍ୱକୁ ନେଇ କଂଗ୍ରେସ ଦଳରେ ହଲଚଲ ସୃଷ୍ଟି; ଲିକ୍ ହେଲା ସୋନିଆଙ୍କ ନିକଟକୁ ଲେଖା ଯାଇଥିବା ଚିଠି

ଏପଟେ ଓଡ଼ିଶାରେ ବି ହଲଚଲ, ତାରାଙ୍କ ଘରେ ବୈଠକ, ପିସିସିି ସଭାପତି କରିବା ପାଇଁ ମତ

176

କନକ ବ୍ୟୁରୋ : ଆଜି ବସିବ କଂଗ୍ରେସ ୱାର୍କିଂ କମିଟିର ବୈଠକ । ତେବେ ଏହି ବୈଠକ ପୂର୍ବରୁ ଦଳର ନେତୃତ୍ୱକୁ ନେଇ କଂଗ୍ରେସ ଦଳରେ ହଲଚଲ ସୃଷ୍ଟି ହୋଇଛି । ଏପରିକି ଦଳର ଅନ୍ତରୀଣ ଅଧ୍ୟକ୍ଷା ପଦ ଛାଡ଼ି ପାରନ୍ତି ସୋନିଆ । କୁହାଯାଉଛି ନେତୃତ୍ୱ ପରିବର୍ତନ ପାଇଁ ଆଜିର ବୈଠକରେ ବିଶେଷ ଆଲୋଚନା ହୋଇପାରେ । ଅଗଷ୍ଟ ପ୍ରଥମ ସପ୍ତାହରେ ୨୦ରୁ ଅଧିକ କଂଗ୍ରେସ ନେତାଙ୍କ ଏକ ଚିଠି ଦଳକୁ ଦୁଇ ଭାଗ କରି ଦେଇଛି । କପିଲ ସିବଲ, ଶଶୀ ଥରୁର, ଗୁଲାମନବୀ ଆଜାଦ, ପୃଥ୍ୱୀରାଜ ଚଭନଙ୍କ ସମେତ ଦଳର ୨୩ଜଣ ବରିଷ୍ଠ ନେତାମାନେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଦଳର ସ୍ଥାୟୀ ତଥା ପ୍ରଭାବଶାଳୀ ନେତୃତ୍ୱ ପାଇଁ ଦାବି କରିଥିଲେ । ଏହାକୁ ନେଇ ସୋନିଆଙ୍କ ସମର୍ଥକମାନେ କ୍ଷୁବ୍ଧ ହୋଇଛନ୍ତି । ଫଳରେ ଦଳ ମଧ୍ୟରେ ବଡ଼ ଧରଣର ମତଭେଦ ସୃଷ୍ଟି ହୋଇଥିବା କୁହାଯାଉଛି । ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧ ରମେୟା ଆଦି ନେତା କହିଛନ୍ତି, ଯେତେଦିନ ଦିନ ଚାହିଁବେ ସୋନିଆ ଦଳର ନେତୃତ୍ୱ ନେଇପାରିବେ । ତାଙ୍କ ପରେ ରାହୁଲ ଗାନ୍ଧୀ ଦଳକୁ ପ୍ରଭାବୀ ନେତୃତ୍ୱ ଦେଇପାରିବେ । ତେବେ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷା ପଦରେ ଅଧିକ ଦିନ ରହିବାକୁ ରାଜି ହେଉନଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । କୁହାଯାଉଛି, ସୋନିଆ ଗାନ୍ଧୀ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇ ନୂଆ ଅଧ୍ୟକ୍ଷ ନିଯୁକ୍ତି ପାଇଁ ଦଳକୁ କଂଟ ଦେଇପାରନ୍ତି । ଆଜି କଂଗ୍ରେସ ୱାର୍କିଂ କମିଟି ବୈଠକରେ ଏ ନେଇ ସୋନିଆ ଗାନ୍ଧୀ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏପଟେ ଓଡିଶାରେ ମଧ୍ୟ ଦଳ ଭିତରେ ହଲଚଲ ଦେଖିବାକୁ ମିଳିଛି । ବିଧାୟକ ତାରା ବାହିନୀପତିଙ୍କ ବାସଭବନରେ କିଛି କଂଗ୍ରେସ ନେତାଙ୍କ ବୈଠକ ବସିଥିଲା । ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା, ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନା, ବାପି ସର୍ଖେଲ ଓ ମାନସ ଚୌଧୁରୀ ବୈଠକରେ ଉପସ୍ଥିତ ଥିଲେ । ବୈଠକ ପରେ ଦାଶରଥି ଓ ରମେଶ ଜେନା ତାରାଙ୍କ ସପକ୍ଷରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ତେବେ ପିସିସି ସଭାପତି ଦୌଡରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୁକିମ ଥିବା ନେଇ ଗଣମାଧ୍ୟମ ପ୍ରତିନିଧିମାନେ ତାରାଙ୍କୁ ପଚାରିବାରୁ ସେ ଏହାକୁ ଏଡାଇ ଯାଇଥିଲେ ।