ରାଜନୀତିରେ ବିଭୀଷଣ ଥିଓରୀ । ବିଜେଡି କହିଲା, ଦଳ ସହ ଲିଙ୍କରେ ଅଛନ୍ତି ବିଜେପିର ଅନେକ ନେତା । ଏପଟେ ମନମୋହନଙ୍କ ପରେ ପୃଥ୍ୱୀରାଜଙ୍କ ଦୃଢ଼ୋକ୍ତି, ବିଜେଡିରେ ଅଛନ୍ତି ୧୦୦ ବିଭୀଷଣ ।
କନକ ବ୍ୟୁରୋ: ରାଜନୀତିରେ ରାବଣ ଓ ବିଭୀଷଣ ତତ୍ତ୍ୱ । ବିଜେଡିର ବହୁ ବିଧାୟକ ବିଜେପି ଯୋଗାଯୋଗରେ ଥିବା ରାଜ୍ୟ ବିଜେପି ସଭାପତି ଦାବି କରିବା ପରେ ବିଜେଡିରେ ବିଭୀଷଣ ଅଛନ୍ତି କହି ଚର୍ଚ୍ଚାକୁ ଖୋରାକ ଯୋଗାଇଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । କିନ୍ତୁ ବିଜେପି ନେତାଙ୍କ ଦାବିର ପାଲଟା ଜବାବ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ଶିଳ୍ପମନ୍ତ୍ରୀ ପ୍ରତାପ ଦେବ । ଯାହା ରାଜ୍ୟ ରାଜନୀତିକୁ ସରଗରମ କରିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
- ରାଜନୀତିରେ ବିଭୀଷଣ ଥିଓରୀ
- ବିଜେପି କହିଲା ବିଜେଡିରେ ଅଛନ୍ତି ଶହେ ବିଭୀଷଣ
- ବିଜେଡିର ଜବାବ ତାଙ୍କ ବିଧାୟକ ଆମ ଲିଙ୍କରେ
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପରେ ନିଆଁରେ ଘିଅ ଢ଼ାଳିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ରାଜନୀତିରେ ରାବଣ ଓ ବିଭୀଷଣଙ୍କ ଉଦାହରଣ ଦେଇ କହିଛନ୍ତି, ବିଜେଡି ବିଧାୟକମାନେ ବିଜେପି ସମ୍ପର୍କରେ ଥିବା କଥାରେ ସତ୍ୟତା ରହିଛି । ରାବଣର ସାମ୍ରାଜ୍ୟକୁ ଶେଷ କରିବାକୁ ଜଣେ ବିଭୀଷଣର ଆବଶ୍ୟକତା ଥିଲା । ଏବେ ବିଜେଡିରେ ଏବଂ ରାଜ୍ୟ ସରକାରରେ ଭ୍ରଷ୍ଟାଚାର. ଅନାଚାର ଏବଂ ଏକଛତ୍ରବାଦ ଚାଲିଛି ।ଏହାକୁ ଶେଷ କରିବାକୁ ବିଜେଡିରୁ ୧୦୦ରୁ ଅଧିକ ବିଭୀଷଣ ବାହାରିବେ ଏବଂ ଧର୍ମର ସାଥ ଦେବେ ।
ବିଜେପି ସାଂସଦ ଜୁଏଲ ଓରାମ ମଧ୍ୟ ସମାନ କଥା କହି ଚର୍ଚ୍ଚାକୁ ଖୋରାକ ଯୋଗାଇଛନ୍ତିି । କହିଛନ୍ତି, ରାଜ୍ୟ ସରକାରଙ୍କ କାମରେ ଅନେକ ବିଧାୟକ ଓ ସାଂସଦ ଅସନ୍ତୁଷ୍ଟ ଅଛନ୍ତି । ଆଗକୁ ବିଜେଡିରେ ବିସ୍ଫୋରଣ ହୋଇପାରେ । ତେବେ ବିଜେଡି ବିଧାୟକ ବିଜେପି ସହ ଯୋଗାଯୋଗରେ ଥିବା, ବିଜେପି ନେତାମାନେ ବାରମ୍ବାର ଦାବି କରିବା ପରେ ଜବାବ ରଖିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ । କହିଛନ୍ତି, ବିଜେପି ବିଧାୟକ ବିଜେଡି ଲିଙ୍କରେ ଅଛନ୍ତି । ନିର୍ବାଚନ ଆସିଲେ ଏମିତି ଚର୍ଚ୍ଚା ହୁଏ । ୨୦୧୯ ନିର୍ବାଚନ ପୂର୍ବରୁ ଏମିତି ଚର୍ଚ୍ଚା ହେଉଥିଲା, ହେଲେ ଫଳ କଣ ହେଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରତାପ ଦେବ ।
ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ ବିଜେପିର ଦାବି ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି । ତେବେ ପ୍ରଶ୍ନ ଉଠୁଛି…
- ବିଜେଡିରେ ବିଭୀଷଣ କିଏ?
- ବିଜେପି ଦାବିରେ କେତେ ସତ୍ୟତା ରହିଛି?
- ନାଁ ଏହା କେବଳ ବିଜେପିର ରାଜନୈତିକ ବୟାନ?