ବଢ଼ିଚାଲିଛି କେଜ୍ରିୱାଲଙ୍କ ଅଡ଼ୁଆ । ବରଖାସ୍ତ ହେଲେ ବ୍ୟକ୍ତିଗତ ସଚିବ

233

କନକ ବ୍ୟୁରୋ : ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ ବଢ଼ିଚାଲିଛି । ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି । ଏବେ ଏକ ନୂଆ ଝଟକା ଭାବେ ତାଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ବରଖାସ୍ତ କରାଯାଇଛି । ଭିଜିଲାନ୍ସ ନିର୍ଦ୍ଦେଶକ ପକ୍ଷରୁ ଜାରି କରାଯାଇଥିବା ଚିଠିରେ କୁହାଯାଇଛି ଯେ, କେନ୍ଦ୍ରୀୟ ପ୍ରଶାସନିକ ସେବାର ନିୟମକୁ ଉଲଂଘନ କରାଯାଇ ବିଭବ କୁମାରଙ୍କୁ ନିଯୁକ୍ତି ଦିଆଯାଇଥିଲା । ୨୦୦୭ରେ ବିଭବ କୁମାର ଦିଲ୍ଲୀରେ ଜଣେ କାର୍ଯ୍ୟରତ ଅଧିକାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା, ହେଲେ ତାଙ୍କୁ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ବେଳେ ଏହି ତଥ୍ୟ ଦିଆଯାଇ ନଥିଲା ।

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କୁ ବରଖାସ୍ତ କରାଯିବା ନେଇ କେନ୍ଦ୍ର ସରକାର ଓ ଦିଲ୍ଲୀ ଉପରାଜ୍ୟପାଳଙ୍କ ଉପରେ ବର୍ଷିଛି ଆମ୍ ଆଦମୀ ପାର୍ଟି ।ଜେଲରୁ ଥାଇ କେଜ୍ରିୱାଲ ସରକାର ଚଳାଉଥିବା ବେଳେ ଆପ୍ ମନ୍ତ୍ରୀ, ନେତା ଓ କର୍ମୀମାନେ ତାଙ୍କ ସପକ୍ଷରେ ସମର୍ଥନ ଯୋଗାଡ଼ରେ ଲାଗିପଡ଼ିଛି । ଦିଲ୍ଲୀ ସରକାରରେ ମନ୍ତ୍ରୀ ଅତିଶି ଘରକୁ ଘର ବୁଲି ଆପ୍ ବାର୍ତା ଦେଉଛନ୍ତି ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୯ ଥର ସମନ ପଠାଇଥିଲା । ହେଲେ କୌଣସି ଥର ହାଜର ହୋଇନଥିଲେ କେଜ୍ରିୱାଲ । ପରେ ମାର୍ଚ୍ଚ ୨୧ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଥିଲା ଇଡି ।