କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ପାଇଁ ପୁଣି ଆସିଛି ଖୁସିଖବର । ମହିଳା ଆଇପିଏଲରୁ ମାଲାମାଲ ହେଲା ବିସିସିଆଇ । ମହିଳା ଇଣ୍ଡିଆନ୍ ପ୍ରିମିୟର ଲିଗର ମିଡିଆ ରାଇଟ୍ସ ନିଲାମ ହେବା ପରେ ଏଥିରୁ ମାଲାମାଲ ହୋଇଛି ବିସିସିଆଇ । ଏନେଇ ବିସିସିଆଇର ସଚିବ ଜୟ ଶାହା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

Advertisment

ଜୟ ଶାହା କରିଥିବା ଟ୍ୱିଟ୍ ମୁତାବକ, ମହିଳା ଆଇପିଏଲର ମିଡିଆ ରାଇଟ୍ସ ଭାୟାକମ୍ ୧୮ ପାଖକୁ ଯାଇଛି । ଆଗାମୀ ୫ ବର୍ଷ ପାଇଁ ଭାୟାକମ୍-୧୮ ଏହି ମିଡିଆ ରାଇଟ୍ସ କିଣିଛି । ଅର୍ଥାତ ୨୦୨୩ ମସିହାରୁ ୨୦୨୭ ମସିହା ପର୍ଯ୍ୟନ୍ତ ମହିଳା ଆଇପିଏଲ୍ ମ୍ୟାଚର ସିଧାପ୍ରସାରଣ କରିବ ଭାୟାକମ୍-୧୮ । ତେବେ ମହିଳା ଆଇପିଏଲର ସିଧାପ୍ରସାରଣ ରାଇଟ୍ସ କିଣିବାକୁ ଭାୟାକମ୍-୧୮କୁ ୯୫୧ କୋଟି ଟଙ୍କା ଦେବାକୁ ହେବ । ଅର୍ଥାତ ପ୍ରତି ମ୍ୟାଚ୍ ପିଛା ସିଧାପ୍ରସାରଣ କରିବାକୁ ଭାୟାକମ୍ ୧୮ ବିସିସିଆଇକୁ ୭.୦୯ କୋଟି ଟଙ୍କା ଦେବ । ଏହାଦ୍ୱାରା ବିସିସିଆଇ ଲାଭବାନ ହେବା ସହିତ ମହିଳା ଆଇପିଏଲ ବି ଅଧିକ ଲୋକପ୍ରିୟ ହେଇପାରିବ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ମହିଳା ଆଇପିଏଲ ମିଡିଆ ରାଇଟ୍ସ ପାଇଁ ଆବେଦନ ଆହ୍ୱାନ କରାଯାଇଥିଲା । ଭାୟାକମ୍-୧୮ ସହିତ ସୋନୀ ଏବଂ ଡିଜନୀ ପ୍ଲସ୍ ହଟଷ୍ଟାର ଏହି ରେସରେ ସାମିଲ ଥିଲେ । ତେବେ ଶେଷରେ ଭାୟାକମ୍-୧୮ ମହିଳା ଆଇପିଏଲର ମିଡିଆ ରାଇଟ୍ସରେ ଜିତାପଟ ହାସଲ କରିଛି । ଏହା ପୂର୍ବରୁ ଭାୟାକମ୍-୧୮ ପୁରୁଷ ଆଇପିଏଲର ମଧ୍ୟ ଡିଜିଟାଲ ମିଡିଆ ରାଇଟ୍ସ ପାଇସାରିଛି ।