କନକ ବ୍ୟୁରୋ : ଭାରତରେ ହେବାକୁ ଥିବା କ୍ରିକେଟ ମ୍ୟାଚ ପ୍ରସାରଣ ପାଇଁ ଟିଭି ଓ ଡିଜିଟାଲ ମିଡିଆ ରାଇଟସ ବିକ୍ରି ହୋଇଛି । ୫ ବର୍ଷ ପାଇଁ ଏହି ମିଡିଆ ରାଇଟସକୁ ଆମ୍ବାନୀ ଗ୍ରୁପର ଭାୟାକମ୍-୧୮ କିଣିଛି । ଏବେ ଭାରତୀୟ ଟିମର ଘରୋଇ ମ୍ୟାଚର ସିଧା ପ୍ରସାରଣ ଟିଭିରେ ସ୍ପୋର୍ଟସ ୧୮ ନେଟୱର୍କ କରିବ । ସେହିଭଳି ମୋବାଇଲ ଓ ଲାପଟପରେ ଜିୟୋ ସିନେମା ଭାରତୀୟ ଟିମର ଘରୋଇ ମ୍ୟାଚର ଲାଇଭ ଷ୍ଟ୍ରିମିଂ କରିବ ।
ଗତଥର ଅର୍ଥାତ ୨୦୧୮ରେ ଡିଜନୀ ଷ୍ଟାର ମିଡିଆ ରାଇଟସ ଅଧିକାର ହାସଲ କରିଥିଲା । ଏଥିପାଇଁ ଡିଜନୀ ଷ୍ଟାର ୬,୧୩୮ କୋଟି ଟଙ୍କା ବିସିସିଆଇକୁ ପ୍ରଦାନ କରିଥିଲା । ଅର୍ଥାତ ପ୍ରତି ମ୍ୟାଚ ପାଇଁ ୬୦ କୋଟି ଟଙ୍କା ପ୍ରଦାନ କରିଥିଲା । ଏଥର କିନ୍ତୁ ଭାୟାକମ୍-୧୮ ୫ବର୍ଷ ପାଇଁ ମୋଟ ୫,୯୬୬ କୋଟି ଟଙ୍କା ବିସିସିଆଇକୁ ପ୍ରଦାନ କରିଛି । ଭାୟାକମ୍ ୧୮ ପ୍ରତି ମ୍ୟାଚ ପାଇଁ ୬୭.୮ କୋଟି ଟଙ୍କା ପ୍ରଦାନ କରିଛି ।
ବିସିସିଆଇ ତରଫରୁ ମିଡିଆ ରାଇଟସକୁ ଇ-ନିଲାମୀ ମାଧ୍ୟମରେ ବିକ୍ରି କରିଛି । ମିଡିଆ ରାଇଟସ କିଣିବା ଦୌଡରେ ଭାୟାକମ୍ -୧୮ ବ୍ୟତୀତ ଡିଜନୀ ଷ୍ଟାର ଓ ସୋନୀ ମଧ୍ୟ ସାମିଲ ଥିଲେ । ଆଗାମୀ ୫ ବର୍ଷ ମଧ୍ୟରେ ୮୮ଟି ଘରୋଇ କ୍ରିକେଟ ମ୍ୟାଚ ଖେଳାଯିବ । ଯାହା ମଧ୍ୟରେ ୨୫ଟି ଟେଷ୍ଟ ମ୍ୟାଚ, ୨୭ଟି ଏକଦିବସୀୟ ମ୍ୟାଚ ଓ ୩୬ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ମୁକାବିଲାରେ ଭାରତୀୟ ମହିଳା ଟିମର ମ୍ୟାଚ୍ ସାମିଲ କରାଯାଇନାହିଁ । ମହିଳା ଟିମର ଘରୋଇ ମ୍ୟାଚ ପ୍ରସାରଣ ପାଇଁ ଭାୟାକମ-୧୮କୁ ମାଗଣାରେ ପ୍ରସାରଣ ଅଧିକାର ମିଳିଛି ।
ବିସିସିଆଇ ମିଡିଆ ରାଇଟସର ଏହି ପ୍ରସାରଣ ଅଧିକାର ସେପ୍ଟେମ୍ବର ମାସରେ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ସିରିଜରୁ ଆରମ୍ଭ ହେବ । ଏହି ସିରିଜରେ ଅଷ୍ଟେଲିଆକୁ ଭାରତ ବିରୋଧରେ ୩ଟି ମ୍ୟାଚ ଖେଳିବାକୁ ପଡିବ ।
Follow Us