କନକ ବ୍ୟୁରୋ : ସମସ୍ତ ଟେଲିକମ କମ୍ପାନି ଟ୍ୟାରିଫ ପ୍ଲାନର ବୃଦ୍ଧି କରି ଗ୍ରାହକଙ୍କୁ ଝଟକା ଦେଇଥିବା ବେଳେ କିଛି ଟେଲିକମ କମ୍ପାନି ରିଚାର୍ଜ ପ୍ଲାନରୁ ଅନେକ ସୁବିଧାକୁ ହଟାଇ ଦେଇଛନ୍ତି । ଟେଲିକମ୍ କମ୍ପାନି ବିଭିନ୍ନ ପ୍ଲାନରେ ନିଜର ଡାଟା ସୁବିଧାକୁ କମାଇ ଦେବା ସହ ଷ୍ଟ୍ରିମିଙ୍ଗ ସୁବିଧାକୁ ମଧ୍ୟ ହଟାଇ ଦେଇଛି । ଏୟାରଟେଲ ଓ ଜିଓ ବିଭିନ୍ନ ପ୍ଲାନରେ ଡିଜନୀ ପ୍ଲସ ହଟଷ୍ଟାର ସୁବିଧାକୁ ହଟାଇ ଦେଇ ଅନ୍ୟ ପ୍ଲାନରେ ଏହାକୁ ଯୋଡିଛି । ଆଉ ଏହି ତାଲିକାରେ ଯୋଡି ହୋଇଛି ଭୋଡାଫୋନ ଓ ଆଇଡିଆ ମିଶ୍ରିତ କମ୍ପାନି VI । ଏବେ VI ଦୁଇଟି ପ୍ରିପେଡ ପ୍ଲାନରୁ ଡିଜନୀ ପ୍ଲସ ହଟଷ୍ଟାର ସୁବିଧାକୁ ହଟାଇ ଦେଇଛି ।
ଭୋଡାଫୋନ ଓ ଆଇଡିଆ ଏବେ ୬୦୧ ଓ ୭୦୧ ଟଙ୍କାର ରିଚାର୍ଜ ପ୍ଲାନରୁ ଡିଜନୀ ପ୍ଲସ ହଟଷ୍ଟାରକୁ ହଟାଇ ଦେଇଛି । ଏବେ ୬୦୧ ଟଙ୍କାର ପ୍ଲାନରେ ୟୁଜର୍ସଙ୍କୁ ୭୫ ଜିବି ଡାଟା ମିଳୁଥିବା ବେଳେ ଏହାର ବୈଧତା ୫୬ ଦିନ ରହିଛି । ପୂର୍ବରୁ ଏହି ପ୍ଲାନରେ ମଧ୍ୟ ଡିଜନୀ ପ୍ଲସ ହଟଷ୍ଟାରର ସୁବିଧା ମିଳୁଥିଲା । ସେହିଭଳି ୭୦୧ ଟଙ୍କାର ପ୍ରିପେଡ ପ୍ଲାନରେ ୩ ଜିବି ଡାଟାର ସୁବିଧା ପାଉଛନ୍ତି ୟୁଜର୍ସ । ଆଉ ଏହାର ବୈଧତା ୫୬ ଦିନ ରହିଛି ।
କମ୍ପାନି ପକ୍ଷରୁ ଯେଉଁ ନୂଆ ଟ୍ୟାରିଫ୍ ପ୍ଲାନ ଅଣାଯାଇଛି ସେଥିରେ ୫୦୧ ଓ ୯୦୧ ଟଙ୍କାର ପ୍ରିପେଡ ରିଚାର୍ଜ ପ୍ଲାନରେ ହଟଷ୍ଟାରର ସୁବିଧା ମିଳୁଛି । ୫୦୧ ଟଙ୍କା ପ୍ଲାନର ବୈଧତା ୨୮ ଦିନ ରହିଥିବା ବେଳେ ୯୦୧ ଟଙ୍କା ପ୍ଲାନର ବୈଧତା ୭୦ ଦିନ ରହିଛି । ସେହିଭଳି VIର ୩୦୫୫ ଟଙ୍କାର ବର୍ଷିକିଆ ପ୍ଲାନରେ ଦୈନିକ ୧.୫ ଜିବି ଡାଟା ସହ ଅନଲିମିଟେଡ କଲ ଓ ଡିଜନୀ ପ୍ଲସ ହଟଷ୍ଟାରର ସୁବିଧା ଉପଲବ୍ଧ ରହିଛି ।