କନକ ବ୍ୟୁରୋ: ଆନ୍ଦୋଳନର ପ୍ରାଣୀ ଚିକିତ୍ସକ, ଚିକିତ୍ସା ନପାଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ପଶୁପକ୍ଷୀ । ୪ଦଫା ଦାବିରେ ରାଜ୍ୟର ପ୍ରାଣୀ ଚିକିତ୍ସକ ସମୁହ ଛୁଟିରେ ଯାଇଥିବା ବେଳେ କେଉଁଠି ଗର୍ଭବତୀ ହରିଣୀର ମୃତ୍ୟୁ ହୋଇଛି ତ କେଉଁଠି ବାଛୁରୀର ମୃତ୍ୟୁ ହୋଇଛି । ଆନ୍ଦୋଳନ ଯୋଗୁଁ ସାରା ରାଜ୍ୟରେ ପଶୁ ଚିକିତ୍ସା ପ୍ରଭାବିତ ହୋଇଛି ।

Advertisment

କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଅଂଚଳରେ ପାହାଡ଼ ଉପରୁ ଚାଲି ଆସିଥିଲା ଅସୁସ୍ଥ ହରିଣୀ । ଯାହାକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ ଗୁଂଠାଗୁଡ଼ା ଗ୍ରାମବାସୀ । ଗର୍ଭବତୀ ଥିବା ଜଣାପଡିବା ପରେ ଚିକିତ୍ସା ପାଇଁ ତାକୁ ପଶୁ ଡାକ୍ତରଖାନାକୁ ନେଇଥିଲେ ବନ କର୍ମଚାରୀ । ହେଲେ ଡାକ୍ତରଖାନାରେ ନଥିଲେ ପ୍ରାଣୀ ଚିକିତ୍ସକ । ଚିକିତ୍ସା ନପାଇଁ ଚାଲିଗଲା ହରିଣୀର ଜୀବନ ।

କଟକରେ ବି ଏକା ଅବସ୍ଥା । କେଉଁଠି ଆହତ ବାଛୁରୀ ଚିକିତ୍ସା ନପାଇ ମୃତ୍ୟୁ ବରଣ କରିଛି ତ କେଉଁଠି ପାଗଳା କୁକୁର ଛେଳିକୁ କାମୁଡ଼ି ଦେଇଛି, ହେଲେ ଚିକିତ୍ସା କରିବାକୁ କେହି ନାହାନ୍ତି । ବକ୍ସିବଜାର ଓ ନୂଆପଡ଼ାରେ ଥିବା ଦୁଇଟି ପ୍ରାଣୀ ଚିକିତ୍ସାଳୟ ବନ୍ଦ ହୋଇଯାଇଛି, ଠିଆ ହୋଇ ରହିଛି ପ୍ରାଣୀ ଆମ୍ବୁଲାନ୍ସ । କାନ୍ଥରେ ପୋଷ୍ଟର ମାରି ଛୁଟିରେ ଯାଇଛନ୍ତି ଡାକ୍ତର । ୪ ଦଫା ଦାବି ନେଇ ସମୂହ ଛୁଟିରେ ଅଛନ୍ତି ରାଜ୍ୟର ପ୍ରାଣୀ ଚିକିତ୍ସକ । ସେମାନଙ୍କ ଆନ୍ଦୋଳନ ଯୋଗୁଁ ଠପ ହୋଇଯାଇଛି ଅସୁସ୍ଥ ପଶୁ ପକ୍ଷୀଙ୍କ ଚିକତ୍ସା ।

ବାଲେଶ୍ୱର ଜିଲ୍ଲାରେ ବି ଏକା ଅବସ୍ଥା । ପ୍ରାଣି ଚିକିତ୍ସକ ଛୁଟିରେ । ଏପଟେ ଗାଈଗୋରୁ ଫାଟୁଆ ରୋଗରେ ପଡ଼ି ହନ୍ତସନ୍ତ ହେଉଛନ୍ତି, ହେଲେ ଚିକିତ୍ସା ପାରୁନାହିଁ । ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ଯୋଗୁଁ ସାରା ରାଜ୍ୟରେ ପଶୁ ଚିକତ୍ସା ପ୍ରଭାବିତ ହୋଇଛି । ଜାନୁଆରୀ ୧୮ରୁ ସମୂହ ଛୁଟିରେ ଯାଇଛନ୍ତି ଡାକ୍ତର । ନିରୀହ ପ୍ରାଣୀ ପାଟି ଫିଟାଇ ପାରୁନଥିବାରୁ ସେମାନଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି ।