କନକ ବ୍ୟୁରୋ: ଲୋକପ୍ରିୟ ଭାରତୀୟ ସଙ୍ଗୀତଜ୍ଞ ତଥା ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ଗତ ୬ ମାସରୁ ସେ କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ହସ୍ପିଟାଲରେ ତାଙ୍କର ଡାଏଲିସିସ୍ ଚାଲିଥିଲା । ଚିକିତ୍ସା ଚାଲିବା ସହ ଆଜି ତାଙ୍କର ହୃଦଘାତରେ ତାଙ୍କର ନିଧନ ହୋଇଛି । ଭାରତୀୟ ବାଦ୍ୟ ଓ ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କ ଆଙ୍ଗୁଳିର ତାଳେତାଳେ ବାଜୁଥିବା ସନ୍ତୁରର ମୂର୍ଚ୍ଛନା ତାଙ୍କୁ ଦେଇଛି ଦେଶ ବିଦେଶରେ ସ୍ୱତନ୍ତ୍ର ପରିଚୟ । ଏଥିପାଇଁ ଦେଶରେ ଓ ଦେଶ ବାହାରେ ତାଙ୍କୁ ‘ସୁଲତାନ୍ ଅଫ୍ ଷ୍ଟ୍ରିଙ୍ଗ’ର ଆଖ୍ୟା ମିଳିଛି ।

Advertisment

ବଲିଉଡକୁ ବଂଶୀ ବାଦକ ହରିପ୍ରସାଦ ଚୌରାସିୟାଙ୍କ ସହ ତାଙ୍କର ସହଯୋଗରେ ମିଳିଛି ମନଛୁଆଁ ଗୀତ । ଫିଲ୍ମ ‘ଚାନ୍ଦନୀ’ର ପପୁଲାର ଗୀତ ‘ମେରୀ ହାଥୋଁମେ ନୌ ନୌ ଚୁଡିଆଁ ହୈ’ , ଏହି ଦୁଇଜଣ ବଲିଉଡକୁ ଭେଟି ଦେଇଥିଲେ । ଏହାସହ ଫିଲ୍ମ ‘ରଜିଆ ସୁଲତନ’ର ଚିର ସବୁଜ ଗୀତ ‘ଏ ଦିଲେ ନାଦାନ’ଗୀତରେ ତାଙ୍କର ସନ୍ତୁର ବାଦନ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ସବୁଠୁ ଦୁଃଖର ବିଷୟ ହେଉଛି ଆସନ୍ତା ମେ’ ୧୫ ତାରିଖରେ ପଣ୍ଡିତ ଶିବ କୁମାରଙ୍କର ଏକ ବଡ କନସର୍ଟ ହେବାର ଥିଲା । ଏଥିପାଇଁ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କର ଅପେକ୍ଷାରେ ଥିଲେ । ଆଜି ତାଙ୍କ ନିଧନରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି ।