ଅଫେରା ରାଇଜରେ ‘ଗୋପାଳ ରହସ୍ୟ’ର ଗୋପାଳ । ନିଖୁଣ କଳାର ଅଧିକାରୀ ରବି ମିଶ୍ରଙ୍କୁ ଝୁରୁଛି ଓଡ଼ିଶା, ଝୁରୁଛି ଓଲିଉଡ ଜଗତ ।

286

କନକ ବ୍ୟୁରୋ: ନୂଆବର୍ଷରୁ ଜଣେ ନିଖୁଣ କଳାକାରଙ୍କୁ ହରାଇଲା ଓଡ଼ିଶା । ଓଲିଉଡ ଜଗତରେ ଏବେ ଶୋକରେ ଛାୟା କାରଣ, କେବେ ହାସ୍ୟ ଅଭିନେତା ଆଉ କେବେ ପାଶ୍ୱର୍ ଅଭିନେତା, ଏମିତି ଅନେକ ଭୂମିକାରେ ନଜର ଆସୁଥିବା ରବି ମିଶ୍ର ଏବେ ଅସ୍ତମିତ । ଘରେ ଘରେ ପରିଚିତ ‘ଗୋପାଳ ରହସ୍ୟ’ ମେଗା ସିରିୟଲର ଗୋପାଳ ଆଉ ଏ ଦୁନିଆରେ ନାହାନ୍ତି । ୬୪ ବର୍ଷରେ ହୃଦଘାତ ଯୋଗୁଁ ଏକ ଘରୋଇ ହସ୍ପିଟାଲରେ ଅସ୍ତ ହୋଇଯାଇଛନ୍ତି ରବି ।

୯୦ ଦଶକରେ ଦୂରଦର୍ଶନରେ ପ୍ରସାରିତ ‘ଗୋପାଳ ରହସ୍ୟ’ ଧାରାବାହିକ ଆଜି ବି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ କରି ରହିଛି । କାରଣ ଗୋପାଳ ଭୂମିକାରେ ନଜର ଆସିଥିଲେ ରବି ମିଶ୍ର । ଏହି ମେଗା ଧାରାବାହିକର ଭିନ୍ନ ଭିନ୍ନ ପାର୍ଟ ଯଥା, ପଣ୍ଡିତଙ୍କ ଚୁଟି, ମୁର୍ଗି ରୋଗ, ଗୋପାଳ ପାକ , କଣ୍ଟା ବନ୍ଧା, ଜ୍ୱାଇଁ ଡାକରା, ଆଳୁ ଦୋଷ ଭଳି ପାର୍ଟରେ ଭିନ୍ନ ଢ଼ଙ୍ଗ ନଜର ଆସିଥିଲେ ରବି । ଏହାପରେ ପରେ ରବିଙ୍କ ଭାଗ୍ୟ ସତେ ଯେମିତି ଉଦୟ ହେବାରେ ଲାଗିଲା । ଜଣେ ମଞ୍ଚ କଳାକାର କେତେବେଳେ ଓଲିଉଡ ଜଗତର ଜଣେ ହୀରା ପାଲଟିଯାଇଥିଲେ ତାହା କାହାକୁ ବି ଜଣାନଥିଲା ।

କେବଳ ଗୋପାଳ ରହସ୍ୟ କାହିଁକି, ଅନେକ ଅନେକ ସୁରହିଟ୍ ଫିଲ୍ମ ଯେମିତି କି, ଭାଇ ହେଲା ଭଗାରୀ, ସକଳତୀର୍ଥ, ସୌଭାଗ୍ୟବତୀ, ମା’ ପରୀ କିଏ ହେବ, ରାକ୍ଷୀ ଭିଜିଲା ଆଖି ଲୁହରେ, ମନ ରହିଗଲା ତୁମରି ଠାରେ ଭଳି ଅନେକ ଚଳଚିତ୍ରରେ ନଜର ଆସିଥିଲେ ରବି ମିଶ୍ର । ଦୁଇ ଦଶନ୍ଧିରୁ ଅଧିକ ସମୟ ଓଲିଉଡ଼ ଜଗତରେ ନିଜର ଛାପ ଛାଡ଼ିଛନ୍ତି ରବି । ତାଙ୍କ କଥାକୁହା ଠାଣି ଆଉ ହାସ୍ୟ ଅଭିନୟରେ ଅଙ୍ଗଭଙ୍ଗୀ ଆଜି ବି ଅନେକ ଦର୍ଶକଙ୍କ ମନକୁ ତାଜା କରିଦେଉଛନ୍ତି । ଏପରିକି ତାଙ୍କ ଦେହାନ୍ତକୁ ନେଇ ଓଲିଉଡ ଜଗତ ଶୋକରେ ବୁଡ଼ିଥିବାବେଳେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଗତଗର୍ଷ ଓଲିଉଡ ଜଗତ ଅନେକ ବର୍ଷିୟାନ୍ କଳାକାରଙ୍କୁ ହରାଇଥିବାବେଳେ ୨୦୨୧ ଆରମ୍ଭରୁ ହିଁ ରବି ମିଶ୍ରଙ୍କ ଦେହାନ୍ତ ଦୁଃଖର ପାହାଡ଼ ଛିଡ଼ା କରିଦେଇଛି ।