କନକ ବ୍ୟୁରୋ: ମିହିର ଦାସ ! କେବଳ ଜଣେ ଅଭିନେତା ନୁହଁନ୍ତି । ସେ ଥିଲେ ଜଣେ ଅନୁଷ୍ଠାନ । ଓଡିଆ ଚଳଚିତ୍ର ଆକାଶରେ ମିହିର ଦାସ ଥିଲେ ଉଜ୍ୱଳମୟ ତାରକା । ସୁପରଷ୍ଟାର, ନାୟକ, ମହାନାୟକ । ଛୋଟ ପରଦା ହେଉ କି ବଡ ପରଦା । ସବୁଠି ତାଙ୍କ ଦର୍ଶକଙ୍କୁ ବିଭିନ୍ନ ଚରିତ୍ରରେ ସେ ଭେଟି ଦେଇଛନ୍ତି ଭିନ୍ନ ଭିନ୍ନ ଅଭିନୟ । ତାଙ୍କୁ ଲୋକେ ନାୟକ ରୂପରେ ଗ୍ରହଣ କରିଛନ୍ତି, କମେଡିଆନ ଭାବେ ବି ଗ୍ରହଣ କରିଛନ୍ତି । ମିହିର ଦାସଙ୍କ ସାଇଲେଣ୍ଟ ଖଳନାୟକ ଭୂମିକାକୁ ବି ଦର୍ଶକ ବେସ୍ ପସନ୍ଦ କରିଛନ୍ତି । ଓଡିଆ ସିନେ ଜଗତର ଜଣେ ବଳିଷ୍ଠ ବ୍ୟକ୍ତିତ୍ୱର ଅଧିକାରୀ ଥିବା ମିହିର ଦାସ ଶେଷରେ ସମସ୍ତଙ୍କୁ ଛାଡି ସେପାରିକୁ ଚାଲିଯାଇଛନ୍ତି । ବିଦାୟ ନେଇଛନ୍ତି ଓଡିଆ ଫିଲ୍ମ୍ ଇଣ୍ଡଷ୍ଟ୍ରୀର ଆଗ ଧାଡିର ଅଭିନେତା ତଥା ସମସ୍ତଙ୍କର ପ୍ରିୟ ମିହିର ଦାଦା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଅକାଳ ବିୟୋଗ ପରେ ବତୁରି ଯାଇଛି ସମସ୍ତଙ୍କ ହୃଦୟ ।

Advertisment

publive-image

ଓଡିଆ ଚଳଚିତ୍ର ଜଗତକୁ ମିହିର ଦାସଙ୍କ ଅବଦାନ ଅତୁଳନୀୟ । ତାଙ୍କ ଗୁଣକୁ ଯଦି ଗାନ କରାଯାଏ ତେବେ ଗୋଟିଏ ଫିଲ୍ମ ମଧ୍ୟ ତିଆରି ହୋଇଯିବ । ପୁଅ ମୋର ଭୋଳା ଶଙ୍କରରେ ସେ ଦେଖାଇଥିଲେ ତାଙ୍କ ଅଭିନୟର ଝଲକ । ପରେ ରାକ୍ଷୀ ବାନ୍ଧିଲି ମୋ ରଖିବ ମାନରେ କଟାହାତର କାହାଣୀ ଆଉ ଜଣେ ଭାଇର ଭଉଣୀ ପ୍ରତି ଭଲପାଇବାକୁ ଦର୍ଶକ ମିହିର ଦାସଙ୍କ ଜରିଆରେ ଅଙ୍ଗେନିଭେଇଥିଲେ । ବାସ୍ ତାପରେ ଧିରେଧିରେ ଓଡିଆ ସିନେମାରେ ଅଭିନୟର ଯାଦୁ କରିବା ଆରମ୍ଭ କରିଥିଲେ ମିହିର ।

କେବେ ସେ କାକା ହୋଇ, ଅଭିମନ୍ୟୁକୁ ଚକ୍ରବ୍ୟୁହରେ ଫସାଇଥିଲେ । ତ କେବେ ସିଲଭର ସିଟି କଟକ ସହରରେ ଚଲାଇଥିଲେ ରାଜୁତି । ଖାଲି ସେତିକି ନୁହେଁ, ତାଙ୍କର ମଜାଳିଆ ଅନ୍ଦାଜ ସାଙ୍ଗକୁ ଟ୍ରାଜେଡି ରୋଲ୍ ମଧ୍ୟ ଓଡିଆ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇଥିଲା ।

ମିହିର ଦାସ ନିଜର ବଳିଷ୍ଠ ଅଭିନୟ ପାଇଁ ଅନେକ ଥର ଶ୍ରେଷ୍ଠ ଅଭିନେତାର ପୁରସ୍କାର ପାଇଛନ୍ତି । ୧୯୯୮ ମସିହାରେ ଲକ୍ଷ୍ମୀ ପ୍ରତିମା, ୨୦୦୫ରେ ଫିଲ୍ମ ଫେରିଆ ମୋ ସୁନା ଭଉଣୀ ପାଇଁ ସେ ବେଷ୍ଟ ଆକ୍ଟରର ପୁରସ୍କାର ଜିିତିଥିଲେ । ତା ସହିତ ୨୦୦୨ରେ ନିର୍ମାଣ ହୋଇଥିବା ଫିଲ୍ମ ରାଖି ବାନ୍ଧିଲି ମୋ ରଖିବ ମାନ ଓ ଫିଲ୍ମ ପ୍ରେମ ଅଢେଇ ଅକ୍ଷର ପାଇଁ ସେ ବେଷ୍ଟ ସପୋର୍ଟିଂ ଆକ୍ଟର ଭାବେ ମଧ୍ୟ ସମ୍ମାନିତ ହୋଇଥିଲେ ।

publive-image

ତାସହ ଏଇ ଆମ ସଂସାର, କନ୍ୟାଦାନ, ଘର ମୋର ସ୍ୱର୍ଗ, ସୁହାଗ ସିନ୍ଦୁର, ଗଙ୍ଗା ଯମୁନା, ବୋଉ, ସ୍ତ୍ରୀ, ସୌଭାଗ୍ୟବତୀ, ସହର ଜଳୁଛି, ରାଖି ବାନ୍ଧିଲି ମୋ ରଖିବ ମାନ, ମା ପରି କିଏ ହେବ, ସମୟ ଖେଳୁଛି ଚକା ଭଉରୀ, କ୍ରିମିନାଲ, ଅଭିମନ୍ୟୁ, ଲଭ ଷ୍ଟେସନ, ସିଷ୍ଟର ଶ୍ରୀଦେବୀ ଭଳି ଓଡିଆ ଫିଲ୍ମରେ ଦର୍ଶକମାନେ ମିହିରିଙ୍କ ଅଭିନୟର ଯାଦୁ ଦେଖିବାକୁ ପାଇଥିଲେ ।

ହେଲେ ଆଜି ଆମ ସମସ୍ତଙ୍କୁ ପରକରି ମିହିର ଦାସ ଆରପାରିବାକୁ ଚାଲିଯାଇଛନ୍ତି । ଆଉ ତାଙ୍କର ଏ ଅକାଳ ବିୟୋଗ ଓଡିଆ ସିନେ ଜଗତରେ ଶୋକାକୂଳ ପରିବେ ଖେଳିଯାଇଥିବା ବେଳେ ଇଣ୍ଟଷ୍ଟ୍ରି ପାଇଁ ସୃଷ୍ଟି କରିଛି ଏକ ଅପୂରଣୀୟ ଶୂନ୍ୟସ୍ଥାନ । ଯାହାକୁ କେହି ବି କେବେ ହେଲେ ପୂର୍ଣ୍ଣ କରିପାରିବେ ନାହିଁ । ଯେବେ ଯେବେ ସିନେମା ଉପରେ ଏ ଆଖି ପଡିଯିବ ବା ପରଦାରେ ଫିଲ୍ମ ଚାଲୁଥିବ ସେବେସେବେ ପରଦା ଭିତରେ ମିହିର ଦାସଙ୍କୁ ଖୋଜୁଥିବ ଏ ଆଖି... ଶେଷରେ ଏତିକି କହିବୁ । ବିଦାୟ କାକା... ବିଦାୟ...
 ମନେ ରହିବେ ମିହିର ଦାସ...