ଆରପାରିରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥ । ୬୮ ବର୍ଷ ବୟସରେ ପରଲୋକ, ୧୨ ହଜାର ଗୀତର କରିଥିଲେ କମ୍ପୋଜ୍ ।

411

କନକ ବ୍ୟୁରୋ : ବିଶିଷ୍ଟ ସଂଗୀତଜ୍ଞ ବାସୁଦେବ ରଥଙ୍କ ପରଲୋକ ଘଟିଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । କଟକର ଏସସିବିରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପରିଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ତାଙ୍କର ମୃତ୍ୟୁ ସଂପର୍କରେ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ବାସୁଦେବ ରଥଙ୍କ ଅବଦାନ ଅତୁଳନୀୟ । ଅନେକ ସୁପରହିଟ୍ ଗୀତର ସେ ଥିଲେ ସ୍ରଷ୍ଟା । ସ୍ୱର୍ଗତ ବାସୁଦେବ ରଥ ୧୨ ହଜାର ଗୀତର କମ୍ପୋଜ କରିଥିଲେ । ୧୫୦ଟି ଓଡ଼ିଆ ଫିଲ୍ମ ଓ ୩୦୦ ଆଲବମରେ ସେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ମାନ୍ନା ଦେ’, ଆଶା ଭୋସଲେ, ମହେନ୍ଦ୍ର କପୂରଙ୍କ ଭଳି ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ସହ କାର୍ଯ୍ୟ କରିଥିଲେ ସ୍ୱର୍ଗତ ବାସୁଦେବ ରଥ ।

ବାସୁଦେବ ରଥ ୧୯୭୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ସାକ୍ଷୀ ଗୋପୀନାଥ’ରେ ପ୍ରଥମେ ସଂଗୀତ ନିର୍ଦ୍ଦେଶନା ଦେଇ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ‘ସଉତୁଣୀ’, ଆରତୀ, ଚିହ୍ନାଅଚିହ୍ନା, କାବେରୀ, ପକା କମ୍ବଳ ପୋତଛତା, ଅନ୍ୟାୟ ସହିବି ନାହିଁ, ଦେଖ ଖବର ରଖ ନଜର ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ।

ସେହିଭଳି ୨୦୧୧ରେ ମୁକ୍ତିଲାଭ କରିଥିବା ‘ତୁମେ ହିଁ ସାଥୀ ମୋର’ ଥିଲା ତାଙ୍କର ଶେଷ ଚଳଚ୍ଚିତ୍ର । ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ । ତାଙ୍କର ସ୍ୱରାରୋପିତ କେତୋଟି ଲୋକପ୍ରିୟ ଗୀତ ହେଲା, ମା ତୁମେ ଜଗତର ସାହା ଭରସା (ଆରତୀ), ଝୁମକା ଟିକେ ତୁ ତ ହଲେଇ ଦେ (ଚିହ୍ନା ଅଚିହ୍ନା), ଆସିବ ବର ତୋର, ହୋଇବ ବାହାଘର (କାବେରୀ), ସତ କହି ପଛେ ପାଏ ଫାଶୀଟ୍ଟ (ପକା କମ୍ବଳ ପୋତ ଛତା), ତୁମେ ମୋ ରାଧା ତୁମୋ ମୋ ସୀତା (ସାକ୍ଷୀ ଗୋପୀନାଥ) । ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି । ସ୍ୱର୍ଗତ ବାସୁଦେବ ରଥଙ୍କର ଅନ୍ତିମ ସଂସ୍କାର ସୋମବାର ହେବ ।