କନକ ବ୍ୟୁରୋ: ସମ୍ବଲପୁରର ବର୍ଷିଆନ ଓଡିଆ ଚଳଚ୍ଚିତ୍ର ଅଭିନେତା ଶାନ୍ତିସ୍ୱରୁପ ମିଶ୍ରଙ୍କ ପରଲୋକ ହୋଇଛି । ରବିବାର ସନ୍ଧ୍ୟାରେ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ବୟସ ହୋଇଥିଲା । ସେ ବାଥରୁମରେ ପଡି ଆହତ ହେବା ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୭୦ ଦଶକର ସିନେମା ମନର ଆକାଶ, ବନ୍ଧୁ ମହାନ୍ତି ଓ କୃଷ୍ଣ ସୁଦାମା ଆଦି ଓଡିଆ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

‘ମନ ଆକାଶ’ର ଜହ୍ନ, ‘କୃଷ୍ଣସୁଦାମା’ର କାହ୍ନାଙ୍କୁ ଝୁରିବେ ସିତନେପ୍ରେମୀ

Advertisment

ସମ୍ବଲପୁରର ଜଣାଶୁଣା କଳା ସଂଗଠକ ତଥା ପ୍ରୋତ୍ସାହକ ରାହାସ ବିହାରୀ ମିଶ୍ରଙ୍କ ପୁତ୍ର ହେଉଛନ୍ତି ଶାନ୍ତି ସ୍ବରୂପ ମିଶ୍ର (ଟିକୁ ମିଶ୍ର)।‌ ସେ ପଶ୍ଚିମ ଓଡ଼ିଶାର ପ୍ରଥମ ମାଟ୍ରିକୁଲେଟ୍‌ ଧରଣୀଧର ମିଶ୍ରଙ୍କ ପଞ୍ଚମ ପିଢ଼ି। ଶାନ୍ତି ସ୍ବରୂପ ସତୁରି ଦଶକରେ ୩ଟି ଓଡ଼ିଆ ଚଳଚ୍ଚିତ୍ର କରିଥିଲେ। ୧୯୭୪ରେ ମୁକ୍ତିଲାଭ କରିଥିବା ମନଆକାଶ ଫିଲ୍ମର ପ୍ରଯୋଜକ ଥିଲେ ତାଙ୍କ ପିତା ରାହାସ ବିହାରୀ ମିଶ୍ର। ସେଥିରେ ଶାନ୍ତିସ୍ବରୂପ ମୁଖ୍ୟ ଚରିତ୍ର ଭାନୁ ପ୍ରତାପ ଭୂମିକାରେ ଅଭିନୟ କରିଥିବା ବେଳେ ପ୍ରଶାନ୍ତ ନନ୍ଦ ସହ ଅଭିନେତା ଥିଲେ। ଏହି ଚଳଚ୍ଚିତ୍ରର ଗୀତ ‘ଏ ବନ ଝରଣା, ନାଚି ନାଚି ଯାଆନା’ ତଥା ତାଙ୍କ ପିତାଙ୍କ ଲିଖିତ ସମ୍ବଲପୁରୀ ଗୀତ ‘ବହୁଛେ ହୁରୁହୁରିଆ ଧୁକା, ଫୁଟିଛେ ଫୁଲ’ ଆଜି ବି ସିନେପ୍ରେମୀ ଗୁଣୁଗୁଣାଉଛନ୍ତି। ଏହାଛଡ଼ା ଶାନ୍ତି ସ୍ବରୂପ ୧୯୭୬ରେ ମୁକ୍ତିଲାଭ କରିଥିବା କୃଷ୍ଣସୁଦାମା ସିନେମାରେ କୃଷ୍ଣ ଓ ୧୯୭୭ର ‘ବନ୍ଧୁ ମହାନ୍ତି’ ଚଳଚ୍ଚିତ୍ରରେ ପ୍ରଭୁ ଜଗନ୍ନାଥଙ୍କ ଚରିତ୍ରରେ ଅଭିନୟ କରିଥିଲେ। ତିନିଟି ଯାକ ଚଳଚ୍ଚିତ୍ରରେ ସେ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହୋଇ ଚମତ୍କାର ଅଭିନୟ କରିଥିଲେ। ତାଙ୍କ ପିତା ରାହାସ ବିହାରୀ ମିଶ୍ର ନିଜେ ମନଆକାଶ ଚଳଚ୍ଚିତ୍ରର ପ୍ରଯୋଜକ ଥିଲେ। ତିନିଟି ଯାକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ନିତାଇ ପାଲିତ୍‌ (ନିତ୍ୟାନନ୍ଦ ପାଲିତ୍)।

ପିତା ରାହାସ ବିହାରୀ ଏବଂ ଶାନ୍ତି ସ୍ବରୂପ ଆହୁରି କିଛି ଚଳଚ୍ଚିତ୍ର ପ୍ରକଳ୍ପ ହାତକୁ ନେଇଥିଲେ ବି ତାକୁ ସଂପୂର୍ଣ୍ଣ କରିପାରି ନଥିଲେ। ସେମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା। ସମ୍ବଲପୁର ଝାଡ଼ୁଆପଡ଼ାର ମୂଳନିବାସୀ ଶାନ୍ତିସ୍ବରୂପ ଫାଟକରେ ଥିବା ସମ୍ବଲପୁରର ବହୁ ପୁରାତନ ମଡର୍ନ ଲଜ୍ ପରିଚାଳନା କରୁଥିଲେ। ଉକ୍ତ ଲଜ୍‌ ଗଂଗାଧର ମେହେର ମହାବିଦ୍ୟାଳୟରେ ପଢ଼ୁଥିବା ପଶ୍ଚିମ ଓଡ଼ିଶାର ବହୁ ଛାତ୍ରଙ୍କ ଆଶ୍ରୟ ସ୍ଥଳ ଥିଲା। ଅନେକ ଦିନ ଧରି ତାଙ୍କ ଝାଡ଼ୁଆପଡ଼ା ଘରେ ଓଡ଼ିଶା ସାଂସ୍କୃତିକ ସମାଜର କାର୍ଯ୍ୟାଳୟ ଥିଲା। ତାଙ୍କ ପରିବାର ସହରର ବିଭିନ୍ନ କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଜଡ଼ିତ ଥିଲେ। ୨୦୧୫ ମେ’ ୧୫ ତାରିଖରେ କିଛି ଅଜଣା ଦୁର୍ବୃତ୍ତ ଶାନ୍ତିସ୍ବରୂପଙ୍କ ଉପରକୁ ଗୁଳି ଚଳାଇଥିଲେ। ତାଙ୍କ ଦେହରେ ୨ଟି ଗୁଳି ବାଜିଥିଲେ ବି ସେ ବର୍ତ୍ତି ଯାଇଥିଲେ।