୨୫୦ଟି ଫିଲ୍ମରେ କାମ କରିଛନ୍ତି ଏହି ଅଭିନେତ୍ରୀ: ଏବେ ଚିକିତ୍ସା ପାଇଁ ପାଖରେ ନାହିଁ ଟଙ୍କା, ସରକାରୀ ହସ୍ପିଟାଲରେ ଭର୍ତ୍ତି

839

କନକ ବ୍ୟୁରୋ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତ୍ରୀ ଜୟାକୁମାରୀଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । କୁହାଯାଉଛି କି ଜୟାକୁମାରୀ କିଡନୀ ରୋଗରେ ପିଡୀତ ହୋଇ ଚେନ୍ନାଇର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ୭୨ ବର୍ଷିୟ ଏହି ଅଭିନେତ୍ରୀଙ୍କ ପାଖରେ ଚିକିତ୍ସା ପାଇଁ ଅର୍ଥ ନାହିଁ । ତେଣୁ ସେ ସହାୟତା ପାଇଁ ଲୋକମାନଙ୍କ ପାଖରେ ଗୁହାରୀ କରୁଛନ୍ତି ।

୧୯୬୦ରୁ ୭୦ ଦଶକରେ ତାମିଲ ଓ ମାଲାୟାଲାମ ସିନେମାରେ କାମ କରିସାରିଥିବା ଜୟା କୁମାରୀଙ୍କୁ ୨ଟି ଯାକ କିଡନୀ ଖରାପ ହୋଇଯାଇଛି । ତାଙ୍କୁ ଅର୍ଥର ଆବଶ୍ୟକତା ରହିଛି ।ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେଉଛି ଯେଉଁଠି ସେ ହସ୍ପିଟାଲ ବେଡରେ ବସିଥିବା ଦେଖିବାକୁ ମିଳିଛି । କିଛି ବର୍ଷ ତଳେ ଜୟା କୁମାରୀ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ଏବେ ସେ ତାଙ୍କ ପୁଅ ରୋଶନଙ୍କ ସହ ରହୁଛନ୍ତି । ତାଙ୍କୁ ସହାୟତା ପାଇଁ ତାମିଲନାଡୁ ସ୍ୱାସ୍ଥ୍ୟ ମନ୍ତ୍ରୀ ବି ଆଗକୁ ଆସିଛନ୍ତି ।

ଜୟାକୁମାରୀ ନିଜ ଅଭିନୟ କ୍ୟାରିୟର ୧୯୬୬ ମସିହାରୁ ଆରମ୍ଭ କରିଥିଲେ । ସେତେବେଳେ ତାଙ୍କୁ ୧୬ ବର୍ଷ ହୋଇଥିଲା । ତାଙ୍କର ପ୍ରଥମ ତାମିଲ ଫିଲ୍ମ ହେଉଛି ନାଡୋଦି । ସେହିପରି ତାଙ୍କ ପ୍ରଥମ ମାଲାୟାଲାମ ଫିଲ୍ମ ଥିଲା କଲେକ୍ଟର ମାଲତୀ । ସେ ଫେମସ ଅଭିନେତା ପ୍ରେମ ନଜିରଙ୍କ ସହ ଫୁଟବଲ ଚାମ୍ପିୟନରେ ମଧ୍ୟ କାମ କରିଛନ୍ତି । ନିଜ କ୍ୟାରିୟରରେ ସେ ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ସେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି ।