ବର୍ଷିଆନ୍ ବଲିଉଡ୍ ଅଭିନେତ୍ରୀ ୱାହୀଦା ରେହମାନଙ୍କୁ ମିଳିବ ସିନେ ଜଗତର ସର୍ବୋଚ୍ଚ ସମ୍ମାନ । ଚଳିତ ବର୍ଷ ମିଳିବ ଦାଦା ସାହେବ ଫାଲକେ ସମ୍ମାନ
କନକ ବ୍ୟୁରୋ : ବର୍ଷିଆନ୍ ବଲିଉଡ ଅଭିନେତ୍ରୀ ୱାହୀଦା ରେହମାନଙ୍କୁ ମିଳିବ ସିନେ ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାର । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଟୁଇଟ୍ କରି ଏହି ସୂଚନା ପ୍ରଦାନ କରିଛନ୍ତି । ନିଜ ପୋଷ୍ଟରେ ଅନୁରାଗ ଠାକୁର ଲେଖିଛନ୍ତି ‘ୱାହୀଦା ରେହମାନଜୀଙ୍କୁ ଭାରତୀୟ ସିନେମାରେ ତାଙ୍କ ଅବଦାନ ପାଇଁ ଚଳିତବର୍ଷ ସମ୍ମାନଜନକ ଦାଦା ସାହେବ ଫାଲକେ ଲାଇଫ ଟାଇମ୍ ଆଚିଭମେଂଟ୍ ଆୱାର୍ଡ ପ୍ରଦାନ କରାଯିବ । ଏହି ଖବର ଘୋଷଣା କରି ମୁଁ ଖୁସି ଓ ସମ୍ମାନୀତ ଅନୁଭବ କରୁଛି ।’

Kanak News is now on WhatsApp
Join and get latest news updates delivered to you via WhatsApp
ନିଜ ଅଭିନୟ କ୍ୟାରିୟରରେ ଅନେକ ସୁପରହିଟ୍ ସିନେମା ଭେଟି ଦେଇଛନ୍ତି ଅଭିନେତ୍ରୀ ୱାହୀଦା ରେହମାନ୍ । ଫେବୃଆରୀ ୩, ୧୯୩୮ ମସିହାରେ ୱାହୀଦା ରେହମାନଙ୍କ ଜନ୍ମ ତାମିଲନାଡୁର ଚେଙ୍ଗଲପଟ୍ଟୁରେ ହୋଇଥିଲା । ୱହୀଦା ରେହମାନଙ୍କ ବାପା ବ୍ରିଟିଶ ସରକାରରେ ଜଣେ କଲେକ୍ଟର ଥିଲେ । ପିଲାଟି ଦିନରୁ ଭରତନଟ୍ୟମ୍ ପ୍ରତି ତାଙ୍କର ଅନେକ ରୁଚି ରହିଥିଲା । ପରେ ଯାହା ତାଙ୍କୁ ଅଭିନୟ ଆଡକୁ ଟାଣି ଆଣିଥିଲା । ତାଙ୍କ ନୃତ୍ୟରେ ପ୍ରଭାବିତ ହୋଇ ଲିଜେଣ୍ଡ୍ରୀ ଅଭିନେତା ତଥା ନିର୍ଦ୍ଦେଶକ ଗୁରୁ ଦତ ତାଙ୍କୁ ଅଭିନୟର ତାଲିମ ଦେଇଥିଲେ । ଆଉ ଗୁରୁ ଦତ ହିଁ ପ୍ରଥମେ ତାଙ୍କ ଫିଲ୍ମ ସିଆଇଡିରେ ଅଭିନେତା ଦେବାନନ୍ଦଙ୍କ ବିପକ୍ଷରେ ୱାହୀଦା ରେହମାନଙ୍କୁ ଅଭିନୟର ସୁଯୋଗ ଦେଇଥିଲେ । ପ୍ରଥମ ଫିଲ୍ମରୁ ହିଁ ବଲିଉଡରେ ସଫଳ ହୋଇଥିଲା ୱାହୀଦା । ଏହାପରେ ଏକ ସେ ଏକ ଆକର୍ଷଣୀୟ ସିନେମା ଭେଟି ଦେଇ ଦର୍ଶକଙ୍କ ମନ ଜିଣି ନେଇଥିଲେ । ପ୍ୟାସା, କାଗଜ କେ ଫୁଲ, ଚୌଦଭି କା ଚାନ୍ଦ, ସାହେବ ବିବି ଔର ଗୁଲାମ୍, ଗାଇଡ୍, ଖାମୋସି, ଭଳି ସିନେମାରେ ନିଜ ନିଖୁଣ ଅଭିନୟ ଦ୍ୱାରା ସିନେ ପ୍ରେମୀଙ୍କ ହୃଦୟରେ ସ୍ଥାନ ବନାଇ ପାରିଥିଲେ ୱାହୀଦା ରେହମାନ୍ ।
ପରବର୍ତୀ ସମୟରେ ଅନେକ ଚରିତ୍ର ଅଭିନୟରେ ବି ନଜର ଆସିଲେ ୱାହୀଦା ରେହମାନ । ଫିଲ୍ମ ଇଣ୍ଡଷ୍ଟ୍ରୀ ପ୍ରତି ତାଙ୍କ ଅବଦାନ ପାଇଁ ୧୯୭୨ରେ ତାଙ୍କୁ ପଦ୍ମଶ୍ରୀ ଓ ୨୦୧୧ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଆଉ ଏବେ ସିନେ ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାର ପାଇବାକୁ ଯାଉଛନ୍ତି ୱାହୀଦା ରେହମାନ ।