ପରଲୋକରେ ପ୍ରଖ୍ୟାତ ମାଲାୟାଲମ୍‌ ଅଭିନେତା ନେଦୁମୁଦୀ ବେଣୁ

35

କନକ ବ୍ୟୁରୋ : ମନୋରଂଜନ ଦୁନିଆରୁ ପୁଣି ଏକ ଦୁଃଖ ଖବର ଆସିଲା । ପ୍ରଖ୍ୟାତ ମାଲାୟାଲମ୍‌ ଅଭିନେତା ନେଦୁମୁଦୀ ବେଣୁଙ୍କ ଆଜି ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ଗତ କିଛି ମାସ ହେଲା ସେ ଅସୁସ୍ଥ ଥିଲେ ଏବଂ କେରଳର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁରେ ଦକ୍ଷିଣ ଭାରତୀୟ ସିନେମା ଶିଳ୍ପରେ ଶୋକର ଛାୟା ଖେଳିଯାଇଛି । ସୋସିଆଲ ମିଡିଆରେ ସେଲିବ୍ରିଟି ଏବଂ ପ୍ରଶଂସକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବେଣୁ ତାଙ୍କ ଫିଲ୍ମ କ୍ୟାରିୟରରେ ୫୦୦ରୁ ଊର୍ଦ୍ଧ୍ବ ସିନେମାରେ ଅଭିନୟ କରି ଦର୍ଶକ ଗ୍ୟାଲେରିରୁ ପ୍ରଶଂସା ସାଉଁଟିଛନ୍ତି ।

ଅଭିନେତା ତଥା ଫିଲ୍ମ ନିର୍ମାତା ପୃଥ୍ବୀରାଜ ସୁକୁମାରନ୍‌ ଏବଂ ନିର୍ଦ୍ଦେଶକ ସଙ୍ଗୀତ ଶିବନ୍‌ ନେଦୁମୁଦୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଟ୍ବିଟ୍‌ରରେ ଲେଖିଛନ୍ତି, ‘ଅଲ୍‌ବିଦା ବେଣୁ ଅଙ୍କଲ୍‌! ଆପଣ ଯେଭଳି କାମ କରିଛନ୍ତି ଏବଂ ସିନେମା ଜଗତ ପାଇଁ ଆପଣଙ୍କ ଯୋଗଦାନ ଆଗାମୀ ପିଢ଼ି ପାଇଁ ଶିକ୍ଷଣୀୟ ହେବ । ରେଷ୍ଟ ଆଣ୍ଡ ପିସ୍‌।’

ତେବେ, ଚଳିତ ବର୍ଷ ଆରମ୍ଭରେ ନେଦୁମୁଦୀ କରୋନାରେ ସଂକ୍ରମିତ ହୋଇଥି‌ଲେ । ଏହା ପୂର୍ବରୁ ସେ ପାକସ୍ଥଳୀଜନିତ ରୋଗରେ ପୀଡ଼ିତ ଥିଲେ। କରୋନାରେ ସଂକ୍ରମିତ ହେବା ପରେ ତାଙ୍କ ସ୍ବାସ୍ଥ୍ୟ ଅଧିକ ବିଗିଡ଼ି ଯାଇଥିଲା । ଜଣେ ସାମ୍ବାଦିକ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିବା ନେଦୁମୁଦୀ ୩ଟି ଜାତୀୟ ଫିଲ୍ମ ପୁରସ୍କାର ଏବଂ ୬ଟି ରାଜ୍ୟ ଫିଲ୍ମ ପୁରସ୍କାର ବିଜେତା ଥିଲେ। କବଲମ ନାରାୟଣ ପନିକରଙ୍କ ନାଟକରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ୧୯୭୮ ମସିହାରେ ଅରାବିନ୍ଦନ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଥଂବୁ’ରେ ଅଭିନୟ କରି ସେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପାଦ ଥାପିଥିଲେ। କେବଳ ଅଭିନେତା ନୁହେଁ ହାସ୍ୟଅଭିନେତା ଭାବେ ମଧ୍ୟ ସେ ଲୋକପ୍ରିୟ ଥିଲେ ।